ଷ୍ଟେସନ୍‌ରୁ ୧୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ଅହମ୍ମଦାବାଦ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରେଳ ସୁରକ୍ଷା ବଳ (ଆରପିଏଫ) ୨ ଜଣ ଯୁବକଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧୭ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ପୋଲସରା ଥାନା ତଳ ସାହି ବିଟୁ ଗୌଡ଼ (୨୨) ଓ ଧରାକୋଟ ଥାନା ଅନ୍ତର୍ଗତ ବାରିଗୁଡ଼ା ଗ୍ରାମର ଶ୍ରୀଧର ନାୟକ(୨୧)। ସୂଚନା ଯୋଗ୍ୟ, ଆରପିଏଫ ପାଟ୍ରୋଲିଂ କରୁଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନର ପ୍ଲାଟଫମ୍ ନଂ-୧ର ଫୁଡ଼୍ ପ୍ଲାଜା ନିକଟରେ ଛିଡ଼ା ହୋଇଥିବା ୨ ଜଣ ଯୁବକଙ୍କୁ ପଚରାଉଚୁରା କରିଥିଲା। ସେମାନେ ଧରିଥିବା ୨ଟି ବ୍ୟାଗ୍ ପୋଲିସ୍ ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ।

ଏ ନେଇ ଜିଆରପିକୁ ଖବର ଦିଆଯାଇଥିଲା। ସେମାନଙ୍କୁ ଜେରା ବେଳେ ଉକ୍ତ ଗଞ୍ଜେଇ ପୁରୀ-ଦ୍ୱାରିକା ଓଖା ଏକ୍ସପ୍ରେସ୍‌ରେ ଚାଲାଣ କରିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିବା ବୋଲି ଆରପିଏଫ ଜାଣିବାକୁ ପାଇଛି। ଅଭିଯୁକ୍ତ ନିକଟରୁ ସୁରତକୁ ଯିବା ପାଇଁ ଟ୍ରେନ ଟିକଟ ଓ ମୋବାଇଲ ଜବତ କରାଯାଇଛି ବୋଲି ଆରପିଏଫ ଅଧିକାରୀ ଦିଲୀପ କୁମାର କହିଛନ୍ତି।

Comments are closed.