ପୁଣି ଖଲାସି ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ଦୀର୍ଘ ମାସ ପରେ ଜବରଦଖଲ ଉଚ୍ଛେଦ ପୁଣି ଥରେ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ସକାଳୁ ଖଲାସି ସାହିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସାହି ଛକରେ ଥିବା ତ୍ରିନାଥ ମନ୍ଦିର ଠାରୁ ଭଙ୍ଗା ଆରମ୍ଭ ହୋଇଥିଲା । ସାହି ଭିତରେ ଉଭୟ କଡ଼ରେ ଡ୍ରେନ୍‌ ଉପରେ ନିର୍ମିତ ହୋଇଥିବା ଘରକୁ ମଧ୍ୟ ଭଙ୍ଗା ଯାଇଥିଲା । ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଥିବା ଯୋଗୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଅଫିସର ତୁରଣକାନ୍ତଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରାମଲିଙ୍ଗେଶ୍ବର ପାର୍କ ଉଦ୍‌ଘାଟନ ପରେ ଆଖାପାଖ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଉଛି । କିଛି ଦିନ ପୂର୍ବରୁ ପାର୍କ କଡ଼ରେ ଥିବା ଏକ ଦେଶୀ ମଦ ଦୋକାନକୁ ମଧ୍ୟ ଭଙ୍ଗା ଯାଇଛି । ଆଗାମୀ ଦିନରେ ଉଚ୍ଛେଦ ଜାରି ରହିବ ବୋଲି ଅଧିକାରୀଙ୍କ ତରଫରୁ କୁହାଯାଇଛି ।

Comments are closed.