ଅଙ୍ଗନବାଡି କର୍ମୀଙ୍କ ଅମାପ ସମ୍ପତ୍ତି: ୭ ସ୍ଥାନରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବରରେ ୨ ଫ୍ଲାଟ ସହ ୨.୨୫ କୋଟିର ସମ୍ପତ୍ତି ଠାବ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଜଣେ କୋଟିପତି ଅଙ୍ଗନବାଡି କର୍ମୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢଉ କରିଛି। ତାଙ୍କ ଠାରୁ ୨ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ବ୍ରହ୍ମପୁର ମହାନଗର ନିଗମ ୯ ନଂ ୱାର୍ଡ ଅନ୍ତର୍ଗତ ଗଣେଶନଗରର ଅଙ୍ଗନବାଡି କର୍ମୀ ନମିତା ଦଳାଇଙ୍କ ଘରେ ଚଢଉ କରିବାକୁ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ସେହି ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସର ଏକାଧିକ ଟିମ ଆଜି ନମିତାଙ୍କ ବାସଗୃହ, ଅଙ୍ଗନାବାଡି କେନ୍ଦ୍ର ସହ ଭୁବନେଶ୍ବରରେ ଥିବା ବାସଗୃହକୁ ମିଶାଇ ମୋଟ ୭ଟି ସ୍ଥାନରେ ଚଢଉ କରିଥିଲେ। ୧୯୯୦ରୁ ଅଙ୍ଗନାବାଡି କର୍ମୀଭାବେ ଚାକିରି ଜୀବନ ଆରମ୍ଭ କରିଥିବା ନମିତାଙ୍କ ନିକଟରୁ ଅଚାଚଳ ସମ୍ପତ୍ତି ଠାବ କରାଯାଇଥିଲା। ନମିତାଙ୍କ ନାଁରେ ଥିବା ବ୍ରହ୍ମପୁର ହରିଡାଖଣ୍ଡି ନିକଟସ୍ଥ ଲକ୍ଷ୍ମୀନୃସିଂହ ସାହି ପ୍ରଥମ ଲାଇନରେ ଥିବା ୮୩ ଲକ୍ଷ ୪୪ ହଜାର ଟଙ୍କାର ୩ ମହଲା କୋଠା, ୨୨ ଲକ୍ଷ ଟଙ୍କାର ୨ ମହଲା କୋଠା, ଲକ୍ଷ୍ମୀନୃସିଂନଗର ୧୨ ଲାଇନରେ ଥିବା ୫ ଲକ୍ଷ ୨୮ ହଜାରର କୋଠା, ଭୁବନେଶ୍ବରର ଗୌତମନଗରସ୍ଥିତ ଶ୍ରୀ ଏନକ୍ଳେଭରେ ଥିବା ୪୫ ଲକ୍ଷ ୨୧ ହଜାର ମୂଲ୍ୟର ୨ ବିଏଚକେ ଫ୍ଲାଟ ଓ ସୁନ୍ଦରପଦାସ୍ଥିତ ହାଇଟେକ ପ୍ଲାଜାରେ ଥିବା ୨୭ ଲକ୍ଷ ୬୮ ହଜାରର ଫ୍ଲାଟ, ବ୍ରହ୍ମପୁର ସୋରଳ ଠାରେ ଥିବା ଏକ ପ୍ଲଟ ଠାବ ହୋଇଛି। ନମିତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ ନାଁରେ ଗଣେଶନଗରରେ ଥିବା ୧୧ ଲକ୍ଷ ୬୩ ହଜାରର କୋଠାକୁ ମଧ୍ୟ ଭିଜିଲାନ୍ସ ଠାବ କରିଛି। ସେହିପରି ନମିତାଙ୍କ ଘରୁ ୩ ଲକ୍ଷ ୩୪ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର, ୪ ଲକ୍ଷ ୭୦ ହଜାର ଟଙ୍କାର ଏକ ଛତୁଆ ମେସିନ, ଏକ ଇଣ୍ଡିଗୋ କାର, ସ୍କୁଟର, ୩ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର, ନଗଦ ୨୮୭୨ ଟଙ୍କା ଓ ୧୨ ଲକ୍ଷ ୭୦ ହଜାର ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନିଲ କୁମାର ପାତ୍ର କହିଛନ୍ତି।

 

Comments are closed.