ଅଳଙ୍କାର ଚାଲାଣ ବେଳେ ଜବତ ୬ କେଜି ସୁନା, ୨୩୯କେଜି ରୁପା

ବ୍ରହ୍ମପୁର: ତାମିଲନାଡୁରୁ ବ୍ରହ୍ମପୁରକୁ ଚାଲାଣ ହେଉଥିବା ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାରକୁ ଜବତ କରିଛି ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ପୁଲିସ। ଏହି ସୁନା ଓ ରୂପା କାରରେ ଆଣୁଥିବା ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେଗୁଡ଼ିକ ଅସଲ କି ନୁହେଁ ଏବଂ ଜିଏସଟି ପଇଠ ହୋଇଛି କି ନାହିଁ ତାହାର ଖୋଳତାଡ ଆରମ୍ଭ ହୋଇଛି।

ଲୁଚାଛପାରେ କାରରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ରାଜ୍ୟରୁ ପ୍ରତ୍ୟେକ ଦିନ ବିପୁଳ ପରିମାଣରେ ସୁନା ଓ ରୂପା ଅଳଙ୍କାର ବ୍ରହ୍ମପୁରକୁ ଚାଲାଣ ହେଉଥିବା ନେଇ ବ୍ରହ୍ମପୁର ପୁଲିସ ନିକଟରେ ଖବର ରହିଥିଲା। ସେହିକ୍ରମରେ ଶନିବାର ସନ୍ଧ୍ୟାରେ ଗୋସାଇଁନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ ଓ ତାଙ୍କ ଟିମ ଅନ୍ଧପସରା ରୋଡରେ ଯାଞ୍ଚ ଆରମ୍ଭ କରିଥିଲେ। ଜାତୀୟ ରାପଥ ୧୬ ଦେଇ ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ତାମିଲନାଡୁର ଏକ କାର (ଟିଏନ-୯୦-ଡି-୮୧୧୬)କୁ ସନ୍ଦେହରେ ଅଟକାଇ ଯାଞ୍ଚ ବେଳେ ତା ଭିତରୁ ବିପୁଳ ପରିମାଣରେ ସୁନା ଓ ରୂପା ଅଳଙ୍କାର ଥିବା ଜଣାପଡ଼ିଥିଲା। କାରରେ ବସିଥିବା ୩ ଜଣ ବ୍ୟକ୍ତି ଅଳଙ୍କାରଗୁଡ଼ିକୁ କାରର ଡିକି ସହ ସିଟ ଭିତରେ ଲୁଚାଇ ଆଣୁଥିଲେ। ପୁଲିସ କାର ସହ ୩ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଏହି ସୁନା ସବୁ ତାମିଲନାଡୁର ସାଲେମ ଅଞ୍ଚଳରୁ ବ୍ରହ୍ମପୁରର ପ୍ରେମନଗରକୁ ଅଣାଯାଉଥିଲା ବୋଲି ସେମାନେ କହିଥିଲେ। ଅଲଗା ଅଲଗା ପ୍ୟାକେଟରେ ଭର୍ତ୍ତି ରୂପା ଅଳଙ୍କାରକୁ ଓଜନ କରାଯିବା ପରେ ତାହା ୪୦୧ କେଜି ଓ ସୁନା ଅଳଙ୍କାର ଓଜନ ପରେ ତାହା ୬.୧୭୬ କେଜି ବୋଲି ସ୍ପଷ୍ଟ ହୋଇଥିଲା। ଅନେକ ବର୍ଷ ହେବ ସେମାନେ ଏଭଳି ସୁନା ଓ ରୂପା ଅଳଙ୍କାର ଆଣି ବ୍ରହ୍ମପୁରର ବ୍ୟବସାୟୀଙ୍କୁ ଯୋଗାଇଥାନ୍ତି ବୋଲି ଥାନାରେ ଅଟକ ଥିବା ୩ଜଣ ଡି.ସନ୍ତୋଷ, ଡି. ଶ୍ରୀନିବାସ ଓ ପେଦାନ୍ନା ରମଣା ପୁଲିସକୁ କହିଥିଲେ। ଜବତ ଅଳଙ୍କାରର ଜିଏସଟି ବିଲ ମଧ୍ୟ ଦେଖାଇଥିଲେ। ସେହି ବିଲରେ କିଛି ୧୮ କ୍ୟାରେଟ ଓ କିଛି ୨୨ କ୍ୟାରେଟ ସୁନା ରହିଥିବା ଲେଖା ହୋଇଛି। ହେଲେ ଯେତିକି ଅଳଙ୍କାର ଜବତ ହୋଇଛି ତାହାର ସମ୍ପୂର୍ଣ୍ଣ ବିଲ ଅଛିକି ନାହିଁ ତାହା ସନ୍ଦେହ ଘେରରେ ଥିବାରୁ ଜିଏସଟି ଅଧିକାରୀଙ୍କୁ ଡକାଯାଇଛି ​ବୋଲି ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି କହିଛନ୍ତି। ଅଳଙ୍କାରଗୁଡ଼ିକ ଅସଲି କି ନକଲି ନେଇ ମଧ୍ୟ ସନ୍ଦେହ ଉପୁଜିଥିବାରୁ ତାହାର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

Comments are closed.