ସାଉଥ୍‌କୋର ଭିତିରି କଥା; ମାସିକ ବିପୁଳ କ୍ଷତି, ଅନାଦାୟ ୧୫୦୦ କୋଟି

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସାଉଥ୍‌କୋ କ୍ଷତିରେ ଚାଲିଛି। ବିଭିନ୍ନ ଆଳରେ ଉପଭୋକ୍ତାଙ୍କୁ ଶୋଷି ଚାଲିଥିବା ଏହି ସଂସ୍ଥାର ଦାୟିତ୍ବରେ ରହୁଥିବା ପଦାଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ହେଉ କି ଏହାର ବାଣିଜ୍ୟ ଏବଂ ଏନଫୋର୍ସମେଣ୍ଟ ବିଭାଗର ଅପରିଣାମଦର୍ଶିତା ହେଉ ବିଭିନ୍ନ କାରଣରୁ ସାଉଥକୋର କ୍ଷତି ପ୍ରାୟ ୧୫ ଶହ କୋଟିରେ ପହଞ୍ଚିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଉପଭୋକ୍ତାଙ୍କଠାରୁ ବର୍ଦ୍ଧିତ ଦରରେ ଶୁଳ୍କ ଆଦାୟ ସତ୍ତ୍ବେ ଏହି ସଂସ୍ଥା କ୍ଷତିରେ ଚାଲିଛି। ଫଳରେ ଏହାକୁ ପୁଣି ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ସରକାର ମସୁଧା ଚଳାଇଛନ୍ତି।
କୋଟି କୋଟି କ୍ଷତିରେ ଚାଲିବାରୁ ଏହି ସଂସ୍ଥାକୁ ପୂର୍ବରୁ ବିଏସଇଏସ/ରିଲାଏନ୍ସ ଏନର୍ଜିକୁ ଦାୟିତ୍ବ ଦିଆଯାଇଥିଲା। ସମ୍ପୃକ୍ତ ସଂସ୍ଥା ଦାୟିତ୍ବ ନେବା ପରେ ମଧ୍ୟ ପରିସ୍ଥିତିରେ ସୁଧାର ଆସି ନଥିଲା। ୧୯୯୯ ଏପ୍ରିଲ ପହିଲାରୁ ୨୦୧୫ ଏପ୍ରିଲ ୪ ପର୍ଯ୍ୟନ୍ତ ରିଲାଏନ୍ସ ସଂସ୍ଥା ସାଉଥକୋ ଦାୟିତ୍ବରେ ରହିଥିଲା। ହେଲେ ସରକାର ଏହାର ନବୀକରଣ ନକରି ଏହାକୁ ନିଜ ହେପାଜତକୁ ନେଇଥିଲେ। ଆଜି ସୁଦ୍ଧା ସାଉଥକୋର ପ୍ରାୟ ୧୫୦୦ କୋଟି ଟଙ୍କା ଅନାଦେୟ ରହିଛି। ସରକାରୀ ଅଧିନକୁ ଆସିବା ପରେ ସଂସ୍ଥାର ଅଧିକାରୀଙ୍କ ବେପରୁଆ ମନୋଭାବ କି ଅନ୍ୟ କାରଣ ପାଇଁ ହେଉ କ୍ଷତି ପରିମାଣ ବଢି ଚାଲିଛି।
ମିଳିଥିବା ସୂଚନା ମୁତାବକ ସାଉଥକୋର ମାସିକ ୯୦ରୁ ୯୫ କୋଟି ଆୟ ବେଳେ ଖର୍ଚ୍ଚ ହେଉଛି ୧୦୫ କୋଟି ଟଙ୍କା। ୮ ଜିଲାର ୨୧ଲକ୍ଷ ଉପଭୋକ୍ତାଙ୍କଠାରୁ ଏହି ପରିମାଣର ବିଦ୍ୟୁତ ଶୁଳ୍କ ଆଦାୟ ହେଉଛି। ୪୦୦ ଅଧିକାରୀ ଏବଂ ୧୭୦୦ କର୍ମଚାରୀଙ୍କ ପାଇଁ ମାସିକ ପ୍ରାୟ ୨୦ କୋଟି ଟଙ୍କା ଦରମା ବାବଦରେ ଖର୍ଚ୍ଚ ହେଉଛି। ମିଟର ଟ୍ୟାମ୍ପରିଂ, ଚୋରି, ବୈଷୟିକ ତନାଘନାର ଅଭାବ, ବକେୟା ଆଦାୟ ପାଇଁ ଏନଫୋର୍ସମେଣ୍ଟ ଏବଂ ବାଣିଜ୍ୟ ବିଭାଗର ତତ୍ପରତା ଅଭାବରୁ ଅନାଦେୟ ପରିମାଣ ବୃଦ୍ଧି ପାଇଚାଲିଛି। ମାତ୍ର କେଇଟା ଟଙ୍କା ପାଇଁ ଗରିବ ଉପଭୋକ୍ତାଙ୍କ ଉପରେ ସାଉଥକୋ ଦାଉ ସାଧୁଥିବାବେଳେ କୋଟି କୋଟି ଟଙ୍କା ବକେୟା ରଖିଥିବା ଶିଳ୍ପସଂସ୍ଥା, ସରକାରୀ କାର୍ଯ୍ୟାଳୟ, କୃଷି କ୍ଷେତ୍ର ଏବଂ ଅନ୍ୟାନ୍ୟ ବାବଦରେ କୋଟି କୋଟି ଟଙ୍କାର ବିଦ୍ୟୁତ୍‌ବିଲ ପ୍ରତି ଆଖିବୁଜି ଦେଇଥିବା ପ୍ରତୀୟମାନ। କ୍ୟାସଚେଷ୍ଟ ଭାବେ ପରିଗଣିତ ମିଟର ବାକ୍ସକୁ ଠିକ ବାଟରେ ପରିଚାଳନା କରା ନ ଯିବା କ୍ଷତିର କାରଣ ବୋଲି କୁହାଯାଉଛି। ମିଟର ରିଡିଂକୁ ପ୍ରାୟ ସ୍ଥାନରେ ଆଉଟ୍‌ସୋର୍ସିଂ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଜଣେ ଉପଭୋକ୍ତାଙ୍କ ମାସିକ ମିଟର ରିଡିଂ ବାସ୍ତବରେ କେତେ ହୋଇଛି ତାହାର ଉପଯୁକ୍ତ ତଦାରଖ ହେଉ ନଥିବା ଅଭିଯୋଗ ହୋଇଛି। ମିଟର ରିଡରମାନେ ଠିକ ସମୟରେ ରିଡିଂ ନେଉ ନଥିବାରୁ ଉପଭୋକ୍ତାଙ୍କ ବିଲିଂ ପ୍ରଭାବିତ ହେଉଛି।

ଦକ୍ଷିଣ ଓଡ଼ିଶାର ୮ ଜିଲାର ୬ ସର୍କଲରେ ଏନଫୋର୍ସମେଣ୍ଟ ସେଲ ରହିଛି। ପୂର୍ବରୁ ରିଲାଏନ୍ସ ଦାୟିତ୍ବରେ ଥିବା ବେଳେ ଏନଫୋର୍ସମେଣ୍ଟ ବିଭାଗ ମାସିକ କୋଟି କୋଟି ଟଙ୍କା ଅନାଦେୟ ଏବଂ ଅନ୍ୟାନ୍ୟ ବାବଦରେ ଆଦାୟ ହେଉଥିଲା। ଏବେ ମାସିକ ଏହି ବିଭାଗ ଜରିଆରେ ୩୦ ଲକ୍ଷ ଟଙ୍କା ଆଦାୟ ହେଉଥିବା ଶୁଣାଯାଉଛି। ରିଲାଏନ୍ସ ଏନର୍ଜି ସଂସ୍ଥା ସାଉଥ୍‌କୋ ଛାଡିବାର ୫ ବର୍ଷ ଅତିକ୍ରାନ୍ତ ସତ୍ତ୍ବେ ସେହି ସଂସ୍ଥାର ସର୍ଭେରରେ ସାଉଥକୋର ବିଲିଂ ବାବଦ ସୂଚନା ରହଛି। ମାସିକ ୯୫ କୋଟି ଆଦାୟ ବେଳେ ଖର୍ଚ୍ଚ ପ୍ରାୟ ୧୧୦ କୋଟି ହେଉଛି। ଯଦ୍ବାରା ମାସିକ ହାରାହାରି ୧୫ କୋଟି ଟଙ୍କା ସାଉଥ୍‌କୋ କ୍ଷତିରେ ଚାଲିଛି। ଅନାଦେୟ ବାବଦରେ ପ୍ରାୟ ୧୫୦୦ କୋଟି ରହିଛି ବୋଲି କହିଛନ୍ତି ସାଉଥକୋର ସିଓଓ ପି.ଅରୁଣ କୁମାର। କ୍ଷତି ପରିମାଣ ହ୍ରାସ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

Comments are closed.