ଧଳା ପୋଷାକରେ ସବୁଜ ମଣିଷ, ୩୦ ବର୍ଷରେ ଲଗାଇଲେଣି ୩୦ ହଜାର ଗଛ

ବ୍ରହ୍ମପୁର: ଜଣେ ବରିଷ୍ଠ ରାଜେନତା ହେଲେ ବି କଥା କଥାକେ ତାଙ୍କ ପାଟିରୁ ବାହାରି ପଡେ ଗଛ ଗଛ ଗଛ, ଆଉ ସବୁ ପଛ। ବ୍ରହ୍ମପୁର ସହରକୁ ସବୁଜ ବନାନୀ କରିବା ତାଙ୍କର ଲକ୍ଷ୍ୟ। ଧଳା ପୋଷାକ ପରିହିତ ଏହି ରାଜନେତା ଜଣକ ଦୀର୍ଘ ୩୦ ବର୍ଷ ହେଲା ସହରକୁ ସବୁଜମୟ କରିବାକୁ ପୋତି ସାରିଲେଣି ୩୦ ହଜାରରୁ ଅଧିକ ବୃକ୍ଷ। ସହରର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ସେ ପୋତି ନାହାଁନ୍ତି ଚାରା। ୧୯୯୯ ମହାବାତ୍ୟା ଏବଂ ଫାଇଲିନ ପରେ ଶ୍ରୀହୀନ ହୋଇପଡିଥିବା ବ୍ରହ୍ମପୁରକୁ ପୁଣି ସବୁଜବନାନୀରେ ପରିଣିତ କରିବାକୁ ସେ କରିଥିବା ପଣକୁ କାର୍ୟ୍ୟରେ ପରିଣତ କରିଛନ୍ତି। ଏଥିପାଇଁ ସେ ସାଉଁଟିଛନ୍ତି ଅନେକ ପ୍ରଶଂସା, ପାଇଛନ୍ତି ଏକାଧିକ ସମ୍ମାନ। ଏଥିପାଇଁ ସହରରେ ତାଙ୍କୁ ଗଛର ମଣିଷ ଭାବେ ବିବେଚନା କରାଯାଏ। ଏଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଗଞ୍ଜାମ ଜିଲା ବିଜେଡିର ଆଗଧାଡିର ନେତା ସୁବାସଚନ୍ଦ୍ର ମହାରଣା।
ମାତ୍ର ୧୨ ବର୍ଷ ବୟସରେ ମେଡିକାଲ କଲେଜ ପରିସରରେ ଉଠିଥିବା ଦୁଇଟି ଦେବଦାରୁ ଚାରା ସଂଗ୍ରହ କରି ତାହାକୁ ନିଜ ଘର ସମ୍ମୁଖରେ ପୋତି ଯତ୍ନ ନେଇଥିଲେ। ଗଛ ଦୁଇଟି ହୃଷ୍ଟପୃଷ୍ଟ ହେବା ପରେ ଏ ଦିଗରେ ଆଗକୁ କାମ କରିବାକୁ ସେ ଉତ୍ସାହିତ ହୋଇ ଦୀର୍ଘ ୩୦ ବର୍ଷ ହେଲା ଚାରା ରୋପଣ କାମ କରି ଆସୁଛନ୍ତି। ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଗଞ୍ଜାମ ଜିଲା ସଂଯୋଜକ ସୁବାସ ମହାରଣା ନିଜେ ନର୍ସରୀ ପ୍ରତିଷ୍ଠା ସହ ୬ଜଣ ଜଗୁଆଳଙ୍କୁ ୧୫ ବର୍ଷ ହେଲା ନିଯୁକ୍ତ କରିଛନ୍ତି। ନିଜ ଜମିରେ ଖତ ପ୍ରସ୍ତୁତ କରୁଛନ୍ତି। ରାତି ପାହିଲେ ଜଗୁଆଳଙ୍କ ସହ ନିଜେ ପୋତା ଯାଇଥିବା ଚାରା ସ୍ଥଳକୁ ଯାଇ ଯତ୍ନ ନେଉଛନ୍ତି। ଜୀବନ କାଳ ଭିତରେ ୩୦ ହଜାର ଚାରା ରୋପଣ କରିବା ସହ ପ୍ରାୟ ୫ଲକ୍ଷ ଚାରା ସହର ଏବଂ ସହର ବାହାରେ ବଣ୍ଟନ କରିଛନ୍ତି। ଦୁଇଥର ଗଞ୍ଜାମ ଜିଲା ବିଜେଡି ସଭାପତି ରହିଥିବା ସୁବାସ ବିଡିଏ ଅଧ୍ୟକ୍ଷ ହେବା ପରେ ଚାରା ରୋପଣକୁ ଅଧିକ ପରିବ୍ୟାପ୍ତ କରିଥିଲେ। ଛୋଟ ଚାରା ରୋପଣ କରିବା ବଦଳେ ଏବେ ସେ ନିଜ ନର୍ସରୀରେ ୧୦ ଫୁଟିଆ ଗଛ ପ୍ରସ୍ତୁତ କରି ତାହାକୁ ବିଭିନ୍ନ ସ୍ଥାନରେ ରୋପଣ କରୁଛନ୍ତି। ଯଦ୍ବାରା ଏହାର ଯତ୍ନ ନେବାରେ ଆଉ ବର୍ଷ ବର୍ଷ ସମୟ ଅପଚୟ ହେଉନି ବୋଲି କହିଛନ୍ତି। ଏତଦଭିନ୍ନ ତାଙ୍କ ଦ୍ବାରା ବଢିଥିବା ପ୍ରାୟ ୨୦ଟି ଗଛମୂଳେ ମଣ୍ଡପ ନିର୍ମାଣ କରିଛନ୍ତି। ପ୍ରାତଃଭ୍ରମଣ ଏବଂ ଚାଲି ଚାଲି ଯାଉଥିବା ଲୋକେ ସୁଶିତଳ ଗଛ ତଳେ ବସି ପବନ ପାଇବାର ବ୍ୟବସ୍ଥା କରିଛନ୍ତି। ଚାରା ରୋପଣ ଓ ଯତ୍ନ ନେବାରେ ଜୀବନ ଉତ୍ସର୍ଗ କରିଥିବା ସୁବାସ ମହାରଣା ୪ଥର ପ୍ରକୃତି ବନ୍ଧୁ ଏବଂ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଗଛ ପୋତିବା ସମ୍ପର୍କରେ ତାଙ୍କର କହିବା କଥା ହେଲା ଜଣେ ମଣିଷ ଜୀବନ କାଳ ଭିତରେ ପ୍ରାୟ ୨୦ଟି ଗଛ ବିଭିନ୍ନ ବାଟରେ ବ୍ୟବହାର କରିଥାଏ। ତେଣୁ ପ୍ରତିଟି ମଣିଷ ସମ ପରିମାଣର ଚାରା ପ୍ରତିରୋପଣ କଲେ ତାହା ପରିବେଶ ସନ୍ତୁଳନରେ ସହାୟକ ହୋଇପାରିବ। ସରକାରୀସ୍ତରରେ ଯାହାକିଛି ଚାରା ରୋପଣ କରାଯାଉଛି ତାହା ପରିବେଶ ସନ୍ତୁଳନରେ ଯଥେଷ୍ଟ ହେଉନି। ତେଣୁ ବେସରକାରୀ ଭାବେ ଗଛ ପୋତିବାର ଆବଶ୍ୟକତା ରହିଛି। ଗରିବଠାରୁ ଧନି ସଭିଏଁ ଗଛକୁ ଜୀବନ କାଳ ଭିତରେ ବ୍ୟବହାର କରୁଛନ୍ତି। ମୃତ୍ୟୁ ବେଳେ ମଧ୍ୟ ଜଣକୁ ୨ଟି ଗଛର କାଠ ଆବଶ୍ୟକ ପଡିଥାଏ। ସଂସାର କୀଟ, ପତଙ୍ଗ, ପଶୁ, ପକ୍ଷୀ ଓ ମଣିଷ ସମାଧାରାରେ ବଢିବା ଉଚିତ। ଏଥିପାଇଁ ଗଛର ଆବଶ୍ୟକତା ଯଥେଷ୍ଟ ରହିଛି। ଜୀବନ ବଞ୍ଚାଉଥିବା ଗଛକୁ ମାରିଦେବା ନରହତ୍ୟାଠାରୁ ବି ଅଧିକ ପାପ ବୋଲି ସେ ବିଚାରୁଛନ୍ତି । ମଣିଷର ଦୈନନ୍ଦିନ କାମରେ ଗଛ ହିଁ ସବୁକିଛି। ଏହାର ଭାରସାମ୍ୟ ନରହିଲେ ସଂସାର ଉଜୁଡିବା ନିଶ୍ଚିତ। ଗଛ ସବୁ ବେଳେ ବିଷ ନେଇ ଅମୃତ ଦାନ କରୁଛି। ଏହାର ମହତ୍ବ ମଣିଷ ସମାଜ ବୁଝିବା ଉଚିତ ଏବଂ ଜୀବନ ଥିବା ଯାଏଁ ଚାରା ରୋପଣ କାମ ଜାରି ରହିବ ବୋଲି ସେ କହିଛନ୍ତି।

Comments are closed.