ଜୁଆ ଖେଳରୁ ଗୋଷ୍ଠୀ ସଂଘର୍ଷ; ଦୁର୍ଦାନ୍ତ ବଚନକୁ ଛୁରୀ ଭୁଶି ହତ୍ୟା, ୨ ଭାଇ ଅଟକ

ବ୍ରହ୍ମପୁର/କୁକୁଡାଖଣ୍ଡି/ଦିଗପହଣ୍ଡି: ବ୍ରହ୍ମପୁର ପୁଲିସ ଜିଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଶନିବାର ସକାଳୁ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗଣ୍ଡ​ଗୋଳ ହୋଇଛି। ଜୁଆ ​ଖେଳକୁ କେନ୍ଦ୍ର କରି ଘଟିଥିବା ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ମୁଖିଆ ତଥା ସେହି ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ବଚନ ସ୍ୱାଇଁ(୩୫)ର ମୃତ୍ୟୁ ହୋଇ ଯାଇଛି। ଘଟଣାରେ ସଂପୃକ୍ତ ଥିବା ୨ ଭାଇଙ୍କୁ ପୁଲିସ ଅଟକ ରଖିଥିବା ମଧ୍ୟ ସୂଚନା ମିଳିଛି।
ମିଳିଥିବା ସୂଚନା ପ୍ରକାରେ ମୃତ ବଚନଙ୍କ ନାମରେ ଦିଗପହଣ୍ଡି ଓ ସଦରଥାନାରେ ହତ୍ୟା ଉଦ୍ୟମ, ଚୋରି, ଡକାୟତି ଭଳି ବହୁ ମାମଲା ରହିଥିଲା। ସେହିପରି ଆଜିର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ସେହି ଗ୍ରାମର କଙ୍ଗାରୁ ଭୂୟାଁ ନାମରେ ମଧ୍ୟ ହତ୍ୟା ଭଳି ବହୁ ସଂଗୀନ ମାମଲା ରହିଛି। ବଚନ ଓ କଙ୍ଗାରୁ ଉଭୟ ନିଜ ନିଜର ଅପରାଧୀକ ଗୋଷ୍ଠୀ ଚଳାଇ ଆସୁଥିଲେ। ଉଭୟଙ୍କ ମଧ୍ୟରେ ଅନେକ ଥର ବଚସା ଓ ଆକ୍ରମଣ ହୋଇଥିଲେ ମଧ୍ୟ ଅନେକ ସୟମରେ ମିଳିମିଶି ଚଳୁଥିବା ମଧ୍ୟ ଦେଖା ଯାଉଥିଲା। ଗତକାଲି ଉଭୟ ଗୋଷ୍ଠୀର ୫ ଜଣ ଗ୍ରାମର ଏକ ସ୍ଥାନରେ ଜୁଆ ଖେଳୁଥିଲେ। ରାତିସାରା ଜୁଆ ଖେଳ ଚାଲୁଥିବା ବେଳେ କଙ୍ଗାରୁର ଭାଇ କାଳିଆ ସ୍ବାଇଁ ଓରଫ ସୁଶାନ୍ତ ସବୁ ଟଙ୍କା ଜିତି ନେଇଥିଲେ। ଏହି କଥାକୁ ନେଇ ଭୋରୁ ବଚନ ଓ କଙ୍ଗାରୁ ମଧ୍ୟରେ ବଚସା ହୋଇଥିଲା। ସକାଳ ୭ଟାରେ କଙ୍ଗାରୁ ଓ କାଳିଆ ବଚନଙ୍କ ଘର ନିକଟରେ ପହଞ୍ଚିଥିଲେ। କିଛି ସମୟ ପାଟିତୁଣ୍ଡ ପରେ ପ୍ରଥମେ ବଚନର ମୁଣ୍ଡକୁ କାଳିଆଏକ ଶକ୍ତପ୍ରହାର ପକାଇଥିଲା। ସେହି ସମୟରେ ଭାଇ କଙ୍ଗାରୁ ତାକୁ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲା। ଦୁଇ ଭାଇଙ୍କ ଆକ୍ରମଣରେ ଦୁର୍ଦାନ୍ତ ବଚନ ଘାଇଲା ହେବା ସହ ତଳେ ପଡ଼ି ଯାଇଥିଲା। ତାକୁ ମେଡିକାଲ ନେବାକୁ ୧୦୮କୁ ଫୋନ କରାଯାଇଥିଲେ ମଧ୍ୟ ପରିବାର ଲୋକେ ଅପେକ୍ଷା ନକରି କୌଣସି ମତେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ବଚନକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦିଗପହଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ମୁଖ୍ୟ ଅଭିଯୁକ୍ତ କଙ୍ଗାରୁ ଓ କାଳିଆକୁ କାବୁ କରି ଥାନାକୁ ନେବା ସହ ଅଧିକ ପଚରାଉଚରା ଜାରି ରହିଛି। ଏ ନେଇ ଥାନାରେ କେସ ନଂ ୨୫୦/୨୦ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯାଉଛି ବୋଲି ଥାନାଅଧିକାରୀ ବସନ୍ତକୁମାର ସେଠୀ କହିଛନ୍ତି ା

Comments are closed.