ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ପୁନର୍ଗଠନ ଓ ସୀମା ନିର୍ଦ୍ଧାରଣ ଅସ୍ପଷ୍ଟ; ଦ୍ବନ୍ଦ୍ବରେ ଆଶାୟୀ ଓ ପୂର୍ବତନ କର୍ପୋରେଟର

ବ୍ରହ୍ମପୁର: ଆଗାମୀ କିଛି ମାସ ମଧ୍ୟରେ ପୌରନିର୍ବାଚନ କରିବାକୁ ରାଜ୍ୟ ସରକାର ସଜବାଜ ହେଉଥିବା ଅନୁମାନ କରାଯାଉଛି। ମହାନଗର ନିଗମ ଏବଂ ପୌରାଞ୍ଚଳରେ ୱାର୍ଡ ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ଅବ୍ୟବସ୍ଥିତ ହୋଇ ରହିଛି। ଏହାକୁ ନେଇ ମାଲିମକଦ୍ଦମା ମଧ୍ୟ ହୋଇଛି। ୱାର୍ଡ ସଂରକ୍ଷଣ ୫୦%ରୁ ଅଧିକ କରାନଯିବାକୁ ବହୁ ଆଶାୟୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସଂରକ୍ଷଣ ଉପରେ ଉଚ୍ଚନ୍ୟାୟାଳୟ ନିଜର ମତ ଦେଇଥିବାରୁ ସବୁ ପୌରାଞ୍ଚଳରେ ଏହି ନିର୍ଦେଶ ଅନୁସାରେ ପୁନର୍ଗଠନ ଓ ସୀମାନିିର୍ଦ୍ଧାରଣ ହେବ। ଆଉ ମାସେ କିମ୍ବା ଦୁଇ ମାସ ମଧ୍ୟରେ ସବୁ ପୌରାଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଅଧିକାଂଶ ସ୍ଥାନରେ ୱାର୍ଡ ସଂରକ୍ଷଣ ଝାମେଲା ତୁଟିନାହିଁ। ବ୍ରହ୍ମପୁର ମହାନଗର ନିଗ​‌ମରେ ମଧ୍ୟ ଏହି ଅବସ୍ଥା।
୨୦୧୮ ଫେବୃଆରୀରେ ବିଏମସି ପକ୍ଷରୁ ବ୍ରହ୍ମପୁର ସହରାଞ୍ଚଳର ୱାର୍ଡ ପୁନର୍ଗଠନ ଓ ସୀମା ନିର୍ଦ୍ଧାରଣ କରାଯାଇ ଏ ସଂକ୍ରାନ୍ତ ପ୍ରସ୍ତାବ ସରକାରଙ୍କୁ ପଠାଯାଇଥିଲା। କିନ୍ତୁ ଏହା ଉପରେ ଆପତ୍ତି ଓ ପ୍ରତିବାଦ ହୋଇଥିଲା। ସେହିଦିନଠାରୁ ପୁନର୍ଗଠନ ଉପରେ କୌଣସି ନିଷ୍ପତ୍ତି ହୋଇନି। ସହରର ୱାର୍ଡ ସଂଖ୍ୟା ୪୦ରୁ ୪୩କୁ ବୃଦ୍ଧି କରାଯିବାକୁ ପ୍ରସ୍ତାବ ରହିଛି। ୪୩ଟି ୱାର୍ଡ ମଧ୍ୟରୁ ୧୨ଟି ୱାର୍ଡ ଅସଂରକ୍ଷିତ ରହିଥିବାବେଳେ ୧୪ଟି ୱାର୍ଡ ସାଧାରଣବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଏସ୍‍ସି ମହିଳାଙ୍କ ପାଇଁ ୨ଟି ଏବଂ ଏସ୍‍ଟି ମହିଳାଙ୍କ ପାଇଁ ଗୋଟିଏ ୱାର୍ଡ ସଂରକ୍ଷିତ ରହିଥିବାବେଳେ ପଛୁଆବର୍ଗ ଏବଂ ପଛୁଆବର୍ଗ ମହିଳାଙ୍କ ପାଇଁ ୬ଟି ଲେଖାଏଁ ୱାର୍ଡ ସଂରକ୍ଷିତ ରହିଛି। ୨ଟି ୱାର୍ଡ ଏସ୍‍ସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ୪୩ଟି ୱାର୍ଡ ମଧ୍ୟରୁ ୨୩ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସରକାରୀ ନିୟମ ଅନୁସାରେ ମୋଟ ୱାର୍ଡ ମଧ୍ୟରୁ କେବଳ ୫୦ ପ୍ରତିଶତ ୱାର୍ଡ ହିଁ ସଂରକ୍ଷିତ ରହିପାରିବ। କିନ୍ତୁ ବିଏମ୍‌ସିର ଉକ୍ତ ୱାର୍ଡ ସଂରକ୍ଷଣ ବ୍ୟବସ୍ଥାରେ ପ୍ରାୟ ୬୦ପ୍ରତିଶତ ୱାର୍ଡ ସଂରକ୍ଷିତ ହୋଇଯାଇଥିବା ରାଜନେତାମାନେ ଅଭିଯୋଗ କରିଛନ୍ତି। କିଛି ୱାର୍ଡର ସାହି ଅନ୍ୟ ୱାର୍ଡରେ ମିଶିଥିବା ବେଳେ ଆଉ କିଛି ସାହିର ନାମ ନୂତନ ୱାର୍ଡ ସଂରକ୍ଷଣରେ ନଥିବା ଜଣାପଡ଼ିଛି। ଏହାକୁ ନେଇ ପ୍ରତିବାଦର ସ୍ବର ଉଠିଛି। ଫଳରେ ବିଭିନ୍ନ ୱାର୍ଡରୁ ଲଢିବାକୁ ଚାହୁଁଥିବା ଆଶାୟୀ ଦ୍ବନ୍ଦ୍ବରେ ରହିଛନ୍ତି। ବହୁ ଆଶାୟୀଙ୍କ ୱାର୍ଡ ପରିବର୍ତ୍ତନ ହୋଇଯାଇଥିବାରୁ ସେମାନେ ନୂତନ ୱାର୍ଡ ସନ୍ଧାନରେ ରହିଛନ୍ତି। ଇତିମଧ୍ୟରେ ବ୍ରହ୍ମପୁର ମହାନଗରରେ ନୂତନ ରାଜନୈତିକ ସମୀକରଣ ମଧ୍ୟ ସୃଷ୍ଟି ହୋଇଛି। ୨୦୧୩ରେ କଂଗ୍ରେସ ଟିକଟରୁ ନିର୍ବାଚନ ଲଢି କର୍ପୋରେଟର ହୋଇଥିବା ବହୁ ନେତା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଅଧିକାଂଶ ୱାର୍ଡର ପୂର୍ବତନ କର୍ପୋରେଟରଙ୍କ ଦଳ ପରିବର୍ତ୍ତନ ହୋଇଯାଇଛି। ବିଜେଡିକୁ ବାଦ ଦେଲେ କଂଗ୍ରେସ ଓ ବିଜେପିର ମଧ୍ୟ ସେହି ଏକା ଅବସ୍ଥା। ପରିସ୍ଥିତି ଏପରି​‌ ହୋଇଛି ଯେ ପ୍ରତି ୱାର୍ଡରେ ଗୋଟିଏ ଦଳରୁ ଏକାଧିକ ଆଶାୟୀ ରହିଛନ୍ତି। ଶାସକ ବିଜେଡ଼ି ପାଇଁ ପ୍ରତି ୱାର୍ଡରୁ ଚୂଡ଼ାନ୍ତ ପ୍ରାର୍ଥୀ ଚୟନ କରିବା ଅଧିକ ଚ୍ୟାଲେଞ୍ଜ ହେବ। ବିଭିନ୍ନ ୱାର୍ଡରେ ପୂର୍ବତନ କର୍ପୋରେଟରମାନେ ଅନିଶ୍ଚିତତା ମଧ୍ୟ​‌େ​‌ର ରହିଛନ୍ତି। ପୁଣି ଥରେ ସରକାର ୱାର୍ଡ ପୁନର୍ଗଠନ କରିବାକୁ ଯାଉଥିବାରୁ ଏହାକୁ ନେଇ ନାନା ଆଶଙ୍କା ଲାଗି ରହିଛି। ସହରତଳି ଅଞ୍ଚଳ ଗୁଡ଼ିକୁ ବିଏମସିରେ ମିଶାଯିବା ଯୋଜନା ଆରମ୍ଭ ହୋଇଥିବାରୁ ପୌର ନିର୍ବାଚନ ପୂର୍ବରୁ ଏହା ଉପରେ କି ନିଷ୍ପତ୍ତି ନିଆଯାଉଛି ତାହାକୁ ଅପେକ୍ଷା।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ ସେପ୍ଟେମ୍ବର ୨୯ ତାରିଖରୁ ବିଏମସିର କାଉନସିଲ ନାହିଁ। କାଉନସିଲର ୫ବର୍ଷିଆ କାର୍ୟ୍ୟକାଳ ଶେଷ ହେବା ପରେ ଆଉ ନିର୍ବାଚନ ହୋଇନି। ଗଞ୍ଜାମ ଜିଲାପାଳ ବିଏମସି ପ୍ରଶାସକ ଦାୟିତ୍ବରେ ରହିଛନ୍ତି।

 

Comments are closed.