କରୋନା କଟକଣା ନମାନି ହେଲା ବାହାଘର: ଗିରଫ ହେଲେ ବର, ବାପା ଓ ଦାଦା -ହୋଟେଲ ସିଲ

ବ୍ରହ୍ମପୁର: କରୋନା କଟକଣା ନ ମାନି ବାହାହେଲେ। କୋଭିଡ୍‌ ନିୟମାନୁସାରେ ବିବାହ ଉତ୍ସବରେ କେହି ମାସ୍କ ପିନ୍ଧିଲେନି କିମ୍ବା ସାମାଜିକ ଦୂରତା ରଖିଲେନି। ଏହି ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଜିଲା ପ୍ରଶାସନର ଚେତା ପଶିଲା। ଏଥିନେଇ ଥାନାରେ ଏତଲା ଦିଆଯିବା ପରେ ବର ସହିତ ବାପା ଓ ଦାଦାକୁ ଗିରଫ କରାଗଲା। ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ହୋଟେଲ୍‌କୁ ସାତ ଦିନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଏବେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ବାହାଘରରେ ବ୍ରହ୍ମପୁର ସହରର ବହୁ ନାମିଦାମୀ ଲୋକ ଯୋଗ ଦେଇଥିବା ବେଳେ ଯଦି କରୋନା ବ୍ୟାପେ ତେବେ ପରିସ୍ଥିତି ସାଙ୍ଘାତିକ ହେବ ବୋଲି ଆଲୋଚନା ହେଉଛି।
ବ୍ରହ୍ମପୁରର ହୋଟେଲ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ ପୁଅ ବାହାଘର କରି ଗିରଫ ହୋଇଛନ୍ତି। ତାଙ୍କ ପୁଅ ତଥା ବର ଦୀପକ ସାହୁଙ୍କ ସମେତ ପରିବାରର ଅନ୍ୟ ୩ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଗତ ଜୁଲାଇ ୨ ତାରିଖ ସନ୍ଧ୍ୟାରେ ଗୋପାଳପୁର ସ୍ଥିତ ଏକ ହୋଟେଲରେ କୃଷ୍ଣଚନ୍ଦ୍ରଙ୍କ ପୁଅଙ୍କ ବାହାଘର ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବରେ ବର ଓ କନ୍ୟା ପକ୍ଷରୁ ଶତାଧିକ ଲୋକ ଯୋଗ ଦେଇଥିଲେ। ହୋଟେଲ ନିକଟରେ ବରଯାତ୍ରୀ ନାଚଗୀତ ଓ ମଉଜ ମଜଲିସ କରିଥିଲେ।


ଦୀପକ ସାହୁଙ୍କ ବାହାଘର ଉତ୍ସବ ଆୟୋଜନ ପାଇଁ ପୂର୍ବରୁ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ନିଆ ଯାଇଥିଲା। କିନ୍ତୁ ବିବାହ ଉତ୍ସବ ସମୟରେ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନ ସହ କେହି ମଧ୍ୟ ମାସ୍କ ପିନ୍ଧି ନଥିଲେ। ଦୀପକ ସାହୁଙ୍କ ବିବାହ ଉତ୍ସବ ଭିଡିଓ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରାଯାଇଥିଲା। ସେହି ବିବାହ ଉତ୍ସବ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେଇଥିଲା। ଏହାପରେ ଅତିରିକ୍ତ ତହସିଲଦାରଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଏତଲା ଦିଆଯାଇଥିଲା। କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗକୁ ଗଞ୍ଜାମ ଜିଲାପାଳ ଗୁରୁତ୍ବର ସହିତ ନେଇଥିଲେ। ଗଞ୍ଜାମ ଜିଲାପାଳ ଓ ବ୍ରହ୍ମପୁର ଏସପିଙ୍କ ନିର୍ଦେଶ ଅନୁଯାୟୀ ବର ପକ୍ଷରୁ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ସେହିପରି ବିବାହ ଉତ୍ସବରେ ବ୍ୟବହୃତ ୨ଟି କାର ମଧ୍ୟ ପୁଲିସ ପକ୍ଷରୁ ଜବତ କରାଯାଇଛି ।
ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲା ପ୍ରଶାସନର ଏକ ଟିମ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ହୋଟେଲ ଯାଇଥିଲେ। କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସେହି ହୋଟେଲ୍‌କୁ ୫୦ ହଜାର ଜୋରିମାନା ଦେବାକୁ ଫତୁଆ ଜାରି କରିଥଲା ଜିଲା ପ୍ରଶାସନ। ଏହା ସହିତ ହୋଟଲ୍‌କୁ ସାତ ଦିନ ପାଇଁ କରି ଦିଆଯାଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିବାହ ଉତ୍ସବ ଅନୁଷ୍ଠିତ କରିଥିବା ହୋଟେଲ୍‌କୁ ସାତ ଦିନ ପାଇଁ ସିଲ୍‌ କରିଦିଆଯାଇଛି। କରୋନା କଟକଣା ସମସ୍ତେ ମାନିବା ଉଚିତ। ଫଳରେ ଏହି ମହାମାରୀକୁ ପ୍ରତିହତ କରାଯାଇପାରିବ।

କୋଭିଡ୍‌ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

Comments are closed.