ରାଜ୍ୟରେ ପ୍ରଥମ, ଦେଶରେ ୧୨ – ବ୍ରହ୍ମପୁର ଆଇଟିଆଇ

ବ୍ରହ୍ମପୁର: ଦେଶରେ ଥିବା ୧୨ ହଜାର ୩୫୨ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ମଧ୍ୟରେ ବ୍ରହ୍ମପୁର ସରକାରୀ ଆଇଟିଆଇ ୧୨ ନମ୍ବର ସ୍ଥାନ ଅଧିକାର କରିଛି। ସେହିପରି ଏହି ମାନ୍ୟତାରେ ବ୍ରହ୍ମପୁର ଆଇଟିଆଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟୋଗୀକ ବିଭାଗର ତାଲିମ ମହାନିର୍ଦେଶକଙ୍କ ପକ୍ଷରୁ ଅନୁଷ୍ଠିତ ଆଇଟିଆଇ ମାନ୍ୟତା( ଗ୍ରେଡିଂ) ଫେଜ୍-୨ର ପ୍ରକାଶିତ ଫଳରୁ ଏହା ଜଣାପଡ଼ିଛି। ବିଭାଗ ପକ୍ଷରୁ ‘ଫ୍ରେମୱାର୍କ ଆଣ୍ଡ ମେଥଡୋଲଜି’ ଡକ୍ୟୁମେଣ୍ଟ ଅଫ ଗ୍ରେଡିଂ ଅଫ୍ ଆଇଟିଆଇ ଇନ୍ ଫେଜ-୨ରେ ଦେଶରେ ଥିବା ୧୨ ହଜାର ୩୫୨ ସରକାରୀ ଓ ବେସରକାରୀ ଆଇଟିଆଇ ସାମିଲ ହୋଇଥିଲେ।

ଏହି ଗ୍ରେଡିଂ ବ୍ୟବସ୍ଥାରେ ଥିବା ମୋଟ ୫ ପଏଣ୍ଟରୁ ବ୍ରହ୍ମପୁର ଆଇଟିଆଇ ୪.୦୫ ପଏଣ୍ଟ ପାଇଛି ବୋଲି ବ୍ରହ୍ମପୁର ଆଇଟିଆଇର ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ କହିଛନ୍ତି। ଏହି ମାର୍କ ରାଜ୍ୟରେ ସର୍ବାଧିକ। ଏହା ଦ୍ବାରା ବ୍ରହ୍ମପୁର ଆଇଟିଆଇ ରାଜ୍ୟର ସର୍ବୋଚ୍ଚ ମାର୍କ ପାଇ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ୩.୯୫ ପଏଣ୍ଟ ପାଇ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ସରକାରୀ ଆଇଟିଆଇ ସର୍ବଭାରତୀୟ ସ୍ତରରେ ଦେଶରେ ୨୧ ନମ୍ବରରେ ରହିଥିବା ବେଳେ ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାର ଯାଜପୁର ସରକାରୀ ଆଇଟିଆଇ ଦେଶରେ ୩୧ ନମ୍ବରରେ ରହିଛି।

Comments are closed.