ଦିଶୁଛି କରୋନା, ଲୁଚିଛି ଏଚ୍‌ଆଇଭି!

ସବୁ ଫେରନ୍ତାଙ୍କ ସ୍କ୍ରିନିଂ ପାଇଁ ଓସାକ୍ସର ପରାମର୍ଶ

ବ୍ରହ୍ମପୁର : କରୋନା ମହାମାରୀ ବିପତ୍ତି ବେଳେ ଗଞ୍ଜାମ ଜିଲାକୁ ଆଉ ଏକ ଚିନ୍ତା ମାଡି ଆସିବା ଜଳଜଳ ଦିଶିଲାଣି। ତେବେ ଏହା ପ୍ରକାଶ୍ୟରେ ଜଣାପଡିନଥିଲେ ମଧ୍ୟ ଫେରନ୍ତା ପ୍ରବାସୀଙ୍କୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। ମହାମାରୀ କରୋନା ଭିତରେ ଲୁଚି ରହିଥିବା ଏହି ସମ୍ଭାବ୍ୟ ଆତଙ୍କ ହେଉଛି ଏଚଆଇଭି। ଏହାକୁ ପ୍ରତିହତ କରିବାକୁ ହେଲେ ଭିଟାମାଟି ଫେରିଥିବା ସବୁ ପ୍ରବାସୀଙ୍କ ଏଚଆଇଭି ସ୍କ୍ରିନିଂ କରିବାକୁ ଓଡ଼ିଶା ଷ୍ଟେଟ ଏଡସ ନିୟନ୍ତ୍ରଣ ସୋସାଇଟି(ଓସାକ୍ସ) ପରାମର୍ଶ ଦେଇଛି। କୋଭିଡ ଚିକିତ୍ସା ସମୟରେ ପଞ୍ଜୀକୃତ ପ୍ରବାସୀଙ୍କ ଏଚଆଇଭି ସ୍କ୍ରିନିଂ କରାଯାଇପାରିଲେ ତାହା ରାଜ୍ୟ ପାଇଁ ବେଶ୍ ମଙ୍ଗଳକର ହେବ ବୋଲି ଓସାକ୍ସ ମତ ଦେଇଛି।

ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ଯେତେଜଣ ଏଡସରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରତ, ମୁମ୍ବଇ ଏବଂ କେରଳ ପ୍ରବାସୀ । ଏବେ କରୋନା ମହାମାରୀଜନିତ ଲକଡାଉନ ସ୍ଥିିତିରେ ଲକ୍ଷଲକ୍ଷ ପ୍ରବାସୀ ଓଡ଼ିଶାକୁ ଫେରିଛନ୍ତି। ଗଞ୍ଜାମ ଜିଲାକୁ ମଧ୍ୟ ପ୍ରାୟ ୭୦ ହଜାର ପ୍ରବାସୀ ଫେରିଲେଣି। ଏହି ସଂଖ୍ୟା ଆହୁରି ବଢିବ। ଫେରି ଆସିଥିବା ପ୍ରବାସୀଙ୍କ ମଧ୍ୟରୁ କିଏ ଏଚଆଇଭି ସଂକ୍ରମିତ ତାହା ଠାବ କରିବାକୁ ହେଲେ ବର୍ତ୍ତମାନ ପରିସ୍ଥିତିରେ ସ୍କ୍ରିନିଂର ଆବଶ୍ୟକତା ରହିଥିବା ଦର୍ଶାଇ ଓସାକ୍ସ ଏଚଆଇଭି ବିରୋଧରେ କାମ କରୁଥିବା ୪୮ଗୋଟି ଏନଜିଓଙ୍କୁ ପତ୍ର ଲେଖି ଜଣାଇଛନ୍ତି। ସ୍ଥାନୀୟ ଆଇସିଟିସି ସହଯୋଗରେ ସବୁ ଫେରନ୍ତାଙ୍କ ଏଚଆଇଭି ସ୍କ୍ରିନିଂ କରିବାକୁ ଓସାକ୍ସ ପତ୍ର ଜରିଆରେ ପରାମର୍ଶ ଦେଇଛି। ପଞ୍ଜୀକରଣ ମାଧ୍ୟମରେ ପ୍ରବାସୀମାନେ ଫେରିଥିବାରୁ ସେମାନଙ୍କ ଏଚଆଇଭି ସ୍କ୍ରିନିଂ କରାଯିବାରେ ବର୍ତ୍ତମାନେ ପ୍ରକୃଷ୍ଟ ସମୟ ବୋଲି ଓସାକ୍ସ କହିଛି। ଓଡ଼ିଶାରେ ଏଚଆଇଭି ସଂକ୍ରମଣ ହାର ବହୁ ମାତ୍ରାରେ ହ୍ରାସ ପାଇଛି। ଗଞ୍ଜାମ ଜିଲାରେ ମଧ୍ୟ ଏହି ହାର ମଧ୍ୟ ଯଥେଷ୍ଟ ରହିଛି। ଏକ ସଂଗଠନର ସର୍ଭେ ମୁତାବକ ବିଗତ ଦୁଇବର୍ଷ ଭିତରେ ଏଚଆଇଭି ସଂକ୍ରମିତ ମହିଳା ଜନ୍ମ ଦେଇଥିବା ଶିଶୁ ଦେହରେ ଏଚଆଇଭି ନଥିବା ଜଣାପଡିଛି। ଯାହାକି ଜିଲା ପାଇଁ ଅତୀବ ଖୁସି ଖବର। ଏଚଆଇଭି ରୋକିବାକୁ ଓସାକ୍ସର ପରାମର୍ଶ ଉପାଦେୟ ହୋଇଥିଲେ ହେଁ କିନ୍ତୁ ବିପୁଳ ସଂଖ୍ୟାରେ ପଞ୍ଜୀକୃତ ପ୍ରବାସୀ ଫେରିବା ଏବଂ ସମସ୍ତେ ସଂଗରୋଧ କେନ୍ଦ୍ରରେ ରହୁଥିବାରୁ ସେମାନଙ୍କ ସ୍କ୍ରିନିଂ କରିବା ବର୍ତ୍ତମାନ ସମୟରେ ଗଞ୍ଜାମ ଜିଲାରେ କଷ୍ଟକର ବ୍ୟପାର ହେବ ବୋଲି ଏଚଆଇଭି ବିରୋଧରେ କାମ କରୁଥିବା ‘ଅରୁଣା’ ସଂସ୍ଥାର ପରିଚାଳନା କମିଟି ସଦସ୍ୟ ଲୋକନାଥ ମିଶ୍ର କହିଛନ୍ତି। କୋଭିଡ-୧୯ ଚିକିତ୍ସା ଜାରି ରହିଥିବାରୁ ବର୍ତ୍ତମାନ ସ୍ଥିତିରେ ଗଞ୍ଜାମକୁ ବିପୁଳ ସଂଖ୍ୟାରେ ଆସିଥିବା ପ୍ରବାସୀଙ୍କ ରାପିଡ ସ୍କ୍ରିନିଂ କରାଯିବା ଅସମ୍ଭବ ହୋଇଛି। ଯେଉଁସ୍ଥାନକୁ କମ୍ ସଂଖ୍ୟକ ପ୍ରବାସୀ ଫେରିଛନ୍ତି ସେଠାରେ ଏହି ବ୍ୟବସ୍ଥା ସମ୍ଭବପର ହେବ ବୋଲି ସେ କହିଛନ୍ତି।

ଗଞ୍ଜାମ ଜିଲାର ବହୁ ଶ୍ରମିକ ବାହାର ରାଜ୍ୟରେ ରହୁଛନ୍ତି। ରାଜ୍ୟରେ ମୋଟ ଏଚଆଇଭି ଆକ୍ରାନ୍ତଙ୍କ ମଧ୍ୟରୁ ଶତକଡା ୩୬ଭାଗ ଗଞ୍ଜାମ ଜିଲାରେ। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ସୁରତରେ କାମ କରନ୍ତି। ସଂଗରୋଧ କେନ୍ଦ୍ରରୁ ଘରକୁ ଫେରିବା ପରେ ଏଚଆଇଭି ସ୍କ୍ରିନିଂ କାମ ସମ୍ଭବପର ହୋଇପାରିବ ବୋଲି ଅରୁଣା ସଂଗଠନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲାରେ ଏଚଆଇଭି ସଂକ୍ରମଣ ପ୍ରତିରୋଧ ଓ ସଚେତନତା ଦିଗରେ କାମ କରୁଥିବା ଏହି ସଂସ୍ଥାର ମାତ୍ର ୩୦ଜଣ କର୍ମଚାରୀ ରହିଛନ୍ତି। ଏତିକି କର୍ମଚାରୀରେ ସଂଗରୋଧ କେନ୍ଦ୍ର ବୁଲି ବୁଲି ବ୍ୟାପକମାତ୍ରାରେ ସ୍କ୍ରିନିଂ କରିବା ସମ୍ଭବପର ହେବନି ବୋଲି କହିଛନ୍ତି ଶ୍ରୀ ମିଶ୍ର। ବର୍ତ୍ତମାନ ଜିଲାରେ ୧୬ହଜାର ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ହଜାର ପ୍ରତିଷେଧକମୂଳକ ଔଷଧ ସେବନ କରୁଛନ୍ତି। ଅବଶିଷ୍ଟ ୧୦ ହଜାର ମଧ୍ୟରୁ କିଏ କେଉଁଠି ରହୁଛନ୍ତି ତାହାର ଠିକଣା ନାହିଁ। ୨୦୩୦ ମସିହା ସୁଦ୍ଧା ସମଗ୍ର ବିଶ୍ବରୁ ଏଡସ ନିର୍ମୂଳ କରିବାକୁ ଯୋଜନା ହୋଇଛି। ଗଞ୍ଜାମ ଜିଲାରେ ୨୦୦୦ ମସିହାରୁ ଏଚଆଇଭି ପରୀକ୍ଷା ହୋଇ ୨୦୦୮ ମସିହାରେ ଚିକିତ୍ସା ସେବା ଆରମ୍ଭ ହୋଇଥିଲା। ସଂକ୍ରମିତ ୬ହଜାର ପ୍ରତିମାସରେ ଏଆରଟି ଔଷଧ ସେବନ କରିବା କଥା। ଲକଡାଉନ କାରଣଣରୁ ଏହି ପ୍ରକ୍ରିୟା ବନ୍ଦ ହୋଇଯିବା ଆଶଙ୍କାରେ ଜାତୀୟ ଏଡସ ନିୟନ୍ତ୍ରଣ ସଂଗଠନ ଦୁଇମାସର ଔଷଧ ଥରକେ ବଣ୍ଟନ କରିବାକୁ ନିର୍ଦେଶ ଦେବା ପରେ ଗଞ୍ଜାମ ଜିଲାର ପ୍ରାୟ ୬ହଜାର ସଂକ୍ରମିତଙ୍କ ଘରକୁ ଘର ବୁଲି ଔଷଧ ଯୋଗାଇ ଦିଆଯାଇଛି। ସଂଗରୋଧ କେନ୍ଦ୍ର ସାରି ଘରକୁ ଫେରିବା ପରେ ପଞ୍ଚାୟତ ସରପଞ୍ଚମାନଙ୍କ ସହ ଆଲୋଚନା କରି ଘରକୁ ଘର ବୁଲି ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଯୋଜନା ରହିଛି। ଏଥିପାଇଁ ଏମକେସିଜି ମେଡିକାଲ କଲେଜ ଓ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ କିଟ୍ ମହଯୁଦ ରହିଛି।

Comments are closed.