ସେଣ୍ଟ୍ରିଫ୍ୟୁଜ୍‍ ମେସିନ ଅଚଳ : ମିଳୁନି ପ୍ଲେଟଲେଟ

ବ୍ରହ୍ମପୁର (ନି.ପ୍ର): ଏମ୍‍କେସିଜି ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଥିବା ଓଡ଼ିଶା ରକ୍ତଭଣ୍ଡାରର ହାଇସ୍ପିଡ୍‍ ସେଣ୍ଟ୍ରିଫ୍ୟୁଜ ମେସିନ ଦୁଇଟି ଅଚଳ ହୋଇପଡ଼ିଛି। ଆଜକୁ ୨୫ ଦିନ ହେବ ଏହି ଦୁଇ ମେସିନ ଅଚଳ ହୋଇଥିଲେ ମଧ୍ୟ ଏହାର ମରାମତି ହୋଇପାରୁନାହିଁ। ମେସିନ ଚାଲୁନଥିବାରୁ ଏମକେସିଜିକୁ ଆସୁଥିବା ରୋଗୀଙ୍କୁ ପ୍ଳେଟଲେଟ ମିଳୁନଥିବା ବେଳେ ବିଭିନ୍ନ ସମସ୍ୟା ଉପୁଜିଛି।

ରକ୍ତରୁ ପ୍ଳେଟଲେଟ ବହାର କରିବାକୁ ୨୦୦୮ରେ ଏହି ରକ୍ତଭଣ୍ଡାରକୁ ଜର୍ମାନୀ ନିର୍ମିତ ଦୁଇଟି ହାଇସ୍ପିଡ୍‍ ସେଣ୍ଟ୍ରିଫ୍ୟୁଜ ମେସିନ ଯୋଗାଇ ଦିଆଯାଇଥିଲା। ଗୋଟିଏ ମେସିନ କାର୍ଯ୍ୟକ୍ଷମ କରାଇ ଅନ୍ୟଟିକୁ ଆବଶ୍ୟକ ବେଳେ ଚାଲୁ କରିବାକୁ କୁହାଯାଇଥିଲା। ହେଲେ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରକ୍ତଭଣ୍ଡାର କର୍ମଚାରୀ ଦୁଇଟି ମେସିନକୁ ସବୁଦିନ ଚଲାଇ ଆସୁଥିଲେ। ତେବେ ଗତ ଡିସେମ୍ବର ୨୭ ତାରିଖରେ ଏହି ଦୁଇଟି ମେସିନ ଏକାବେଳେ ଖରାପ ହୋଇଯାଇଥିଲା। ମେସିନରେ ଲାଗିଥିବା ମଦରବୋର୍ଡ କାମ କରୁନଥିବା ଜଣାପଡ଼ିଥିଲା। ସେହିଦିନଠାରୁ ରକ୍ତଭଣ୍ଡାରରୁ ପ୍ଲେଟଲେଟ ବାହାରି ପାରୁନାହିଁ। ମେସିନ ଖରାପ ହେବା ପରେ ରକ୍ତଭଣ୍ଡାର କର୍ତ୍ତୃପକ୍ଷ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପରେ ଜଣେ ମେକାନିକ ଆସି ମେସିନକୁ ଦେଖିଥିଲେ ମଧ୍ୟ ମରାପତି କରିପାରିନଥିଲେ। ଏହାପରେ କଲକତାରୁ ଜଣେ ମେକାନିକ ଆସି ଏହାର ମଦରବୋର୍ଡ ଖରାପ ହୋଇଥିବା ଜଣାଇବା ସହ ଏଥିପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏ ନେଇ ରକ୍ତଭଣ୍ଡାର ପକ୍ଷରୁ ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ଜଣାଇ ଦିଆଯାଇଥିଲା। ନିଗମ ପକ୍ଷରୁ ଟଙ୍କା ମଞ୍ଜୁୁର ହୋଇସାରିଥିବା ବେଳେ ସଂପୃକ୍ତ କମ୍ପାନୀ ପକ୍ଷରୁ ନୂତନ ମଦରବୋର୍ଡ କିଣା ମଧ୍ୟ ସରିଛି। ହେଲେ ବିଭିନ୍ନ କାରଣରୁ ବର୍ତ୍ତମାନ ସୁଦ୍ଧା ସେଣ୍ଟ୍ରିଫ୍ୟୁଜ ମେସିନ କର୍ଯ୍ୟକ୍ଷମ ହୋଇପାରିନାହିଁ। ଏପଟେ ପ୍ଲେଟଲେଟ ନଥିବାରୁ ଏମକେସିଜିକୁ ଆସୁଥିବା କିଛି ରୋଗୀ କଟକ ତ ଆଉ କିଛି ରୋଗୀଙ୍କୁ ବିଶାଖାପାଟଣା ଯିବାକୁ ବାଧ୍ୟ ହେଉଛନ୍ତି। ରୋଗୀଙ୍କ ଆବଶ୍ୟକତା ଦୃଷ୍ଟିରୁ ରକ୍ତଭଣ୍ଡାର ପକ୍ଷରୁ ପ୍ଲେଟଲେଟ ଆଣିବା ପାଇଁ ଏକ ଗାଡି ଭୁବନେଶ୍ୱର ପଠାଯାଇଥିଲା।

Comments are closed.