ନୀଳକଣ୍ଠନଗର ଶିଶୁମନ୍ଦିରକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର

ବ୍ରହ୍ମପୁର: ୨୦୧୯ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳରେ ରାଜ୍ୟରେ ବିରଳ କୃତିତ୍ୱର ଅଧିକାରୀ ହୋଇଥିବାରୁ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଦ୍ୟାଳୟ ଏହି ପୁରସ୍କାର ପାଇଛି। ପୁରସ୍କାର ସ୍ୱରୂପ ବିଦ୍ୟାଳୟ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବା ସକାଶେ ଯୋଗ୍ୟ ବିବେଚିତ ହୋଇଛି। ଶିକ୍ଷାବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ଛାତ୍ରଛାତ୍ରୀ ତଥା ଗୁରୁଜୀଗୁରୁମାଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି। ବିଦ୍ୟାଳୟ ଶ୍ରେଷ୍ଠ ପୁରସ୍କାର ପାଇଥିବାରୁ ପରିଚାଳନା ସମିତି ସଦସ୍ୟମାନେ ପ୍ରଧାନାଚାର୍ଯ୍ୟ ଏସ୍‍. ମୋହନ ରାଓ ଓ ଶିଶୁମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ତଥା ଗୁରୁଜୀଗୁରୁମାଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ,ଦୀର୍ଘ ୨୮ବର୍ଷ ଧରି ଏହି ଅନୁଷ୍ଠାନ ଶତପ୍ରତିଶତ ଫଳାଫଳ ରଖି ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚଳିତ ବର୍ଷ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାଫଳରେ ବିଦ୍ୟାଳୟର ସର୍ବାଧିକ ୫୭ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‍ରେ, ୧୨୪ଜଣ ଏ-୨ ଗ୍ରେଡ଼, ୬୩ଜଣ ବି-୧ ଗ୍ରେଡ, ୨୫ଜଣ ବି-୨ ଗ୍ରେଡ୍‍, ୧୦ଜଣ ସି-ଗ୍ରେଡ୍‍ରେ ଓ ୫ଜଣ ଡି-ଗ୍ରେଡ୍‍ରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟରେ ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି। ଶିଶୁଙ୍କ ସର୍ବାଙ୍ଗୀନ ବିକାଶ କରିବା ତଥା ସମାଜରେ ସୁପ୍ରତିଷ୍ଠିତ କରାଇବା ଅନୁଷ୍ଠାନର ମୂଳ ଲକ୍ଷ୍ୟ। ବିଦ୍ୟାଳୟ ଏଭଳି ସ୍ୱତନ୍ତ୍ର ପୁରସ୍କାର ପାଇଥିବାରୁ ପରିଚାଳନା ସମିତି ସଭାପତି ଶ୍ରୀକାନ୍ତ ମହାପାତ୍ର, ଉପ ସଭାପତି ହରିକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ବାସନ୍ତୀ ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ନରସିଂହ ଚୌଧୁରୀ, ସୁଦର୍ଶନ ପାଢୀ, ହରିକୃଷ୍ଣ ପାଢୀ,ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବି.ଗଜପତି ରାଓଙ୍କୁ ଛାତ୍ରଛାତ୍ରୀ, ଆଚାର୍ଯ୍ୟଆଚାର୍ଯ୍ୟା ତଥା ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି। ବିଦ୍ୟାଳୟକୁ ଶ୍ରେଷ୍ଠ ପୁରସ୍କାର ମିଳିଥିବାରୁ ସମସ୍ତ ଅଭିଭାବକ, ଆଚାର୍ଯ୍ୟଆଚାର୍ଯ୍ୟା, ପରିଚାଳନା ସମିତିର ସମସ୍ତ ସଦସ୍ୟସଦସ୍ୟା ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.