ମାଟ୍ରିକ ପାସହାର ବଢାଇବାକୁ ଗଞ୍ଜାମରେ ‘ଡ୍ରିମ’ ; ଟେଷ୍ଟ ପରୀକ୍ଷା ପୂର୍ବରୁ ସବୁ ସ୍କୁଲରେ କମନ ଟେଷ୍ଟ

ଟେଷ୍ଟ ପରୀକ୍ଷା ପୂର୍ବରୁ ସବୁ ସ୍କୁଲରେ କମନ ଟେଷ୍ଟ

ବ୍ରହ୍ମପୁର : ମାଟ୍ରିକ ପରୀକ୍ଷାରେ ଜଣେ ବି ପିଲା ଫେଲ ହେବେନି। ଏ-୧ ଗ୍ରେଡରେ ପିଲା ଉତ୍ତୀର୍ଣ୍ଣ ହେବେ। ପିଲାମାନେ ନୂତନ ପ୍ରଶ୍ନ ପ୍ରଣାଳୀ ସହ ପରିଚିତ ହେବେ। ଏଭଳି କିଛି ଲକ୍ଷ୍ୟ ନେଇ ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ‘ଡ୍ରିମ୍‍’ ଅଭିଯାନ।
ଅନ୍ୟ ଜିଲା ଅପେକ୍ଷା ଗଞ୍ଜାମରେ ରାଜ୍ୟର ସବୁଠୁ ଅଧିକ ମ୍ୟାଟ୍ରିକ ପରୀକ୍ଷାର୍ଥୀ ରହିଛନ୍ତି। ଗତବର୍ଷ ମାଟ୍ରିକ ପାରୀକ୍ଷାରେ ଏହି ଜିଲାରୁ ସର୍ବାଧିକ ପିଲା ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ। ତଥାପି କିଛି ହାଇସ୍କୁଲର ପରୀକ୍ଷା ଫଳ ଭଲ ନଥିଲା। କିଛି ସ୍କୁଲରେ ଅଧିକାଂଶ ପିଲା ଫେଲ ହୋଇଥିଲେ। ଯାହା ଜିଲା ଶିକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଏହି ସମସ୍ୟା ଦୂର ତଥା ଜିଲାରେ ଫେଲ ହାର ଶୂନ କରିବାକୁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ମୋ ସ୍କୁଲ ଅଭିଯାନ ଓ ସମଗ୍ର ଶିକ୍ଷା ପକ୍ଷରୁ ଡ୍ରାଇଭ ଫର ରେଜଲ୍ଟ ଏନହାନ୍ସମେଣ୍ଟ ଇନ୍‍ ଆନୁଆଲ ମ୍ୟାଟ୍ରିକୁଲେସନ ଏକ୍‍ଜାମିନେସନ୍‍(ଡ୍ରିମ) ନାମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଜରିଆରେ ମାଟ୍ରିକ ଟେଷ୍ଟ ପରୀକ୍ଷା ପୂର୍ବରୁ ପ୍ରତ୍ୟେକ ସ୍କୁଲରେ କମନ ଟେଷ୍ଟ ନାମରେ ଦୁଇଟି ପରୀକ୍ଷା ହେବ। ପ୍ରଥମ କମନ ଟେଷ୍ଟରେ ଦଶମ ଶ୍ରେଣୀର ସମସ୍ତ ବିଷୟର ୫୦ ଭାଗ ପାଠ୍ୟକ୍ରମ ଓ ଦ୍ୱିତୀୟରେ ଆଉ ୫୦ ଭାଗ ପାଠ୍ୟକ୍ରମର ପରୀକ୍ଷା ହେବ। ଏଥିପାଇଁ ଜିଲା ବିଜ୍ଞାନ ନିରୀକ୍ଷକଙ୍କ ତତ୍ତ୍ୱାବଧାନରେ ଅଦର୍ଶ ପ୍ରଶ୍ନପତ୍ର ପ୍ରସ୍ତୁତି କରାଯାଇଛି। ସପ୍ତାହର ସୋମବାର ଓ ଗୁରୁବାର ୨ଟି ବିଷୟରେ ପରୀକ୍ଷା କରାଯାଇ ଏକ ମାସ ଭିତରେ ସମସ୍ତ ୮ଟି ବିଷୟର ପରୀକ୍ଷା ଶେଷ ହେବ। ବିଷୟ ଅନୁସାରେ କମନ ଟେଷ୍ଟ ପରୀକ୍ଷା ଶେଷ ହେବା ପରେ ଏହାର ଫଳ ଏକ ସପ୍ତାହ ଭିତରେ ଅଭିଭାବକ-ଶିକ୍ଷକ ବୈଠକରେ ଉପସ୍ଥାପନ କରାଯିବ। ଯେଉଁ ବିଦ୍ୟାର୍ଥୀ ପରୀକ୍ଷାରେ ଭଲ କରିନାନହାନ୍ତି ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। ସେମାନେ କିଭଳି ନିଜ ପାଠ୍ୟକ୍ରମ ବିଷୟରେ ଅବଗତ ହେବେ ଓ ବୋର୍ଡ ପରୀକ୍ଷାରେ ନିଶ୍ଚିତ ପାସ କରିବେ ତାହାକୁ ଗୁରୁତ୍ୱ ଦିଆଯିବ। ତେବେ ଏହି ପରୀକ୍ଷା ପାଇଁ ବିଦ୍ୟାଳୟସ୍ତରରେ ବଛାବଛା ଶିକ୍ଷକଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରାଯିବ। ମେଣ୍ଟରମାନେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଅଭିଭାବକଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନର ପଦକ୍ଷେପ ନେବେ। ସେହିପରି ଭଲ ଛାତ୍ରଛାତ୍ରୀ ଯେପରି ଏ-୧ ଗ୍ରେଡ ହାସଲ କରିବେ ତାହା ଶୁନିଶ୍ଚିତ କରାଇବେ। ତେବେ ଏହି କମନ ଟେଷ୍ଟ ଆୟୋଜନରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନ ଶିକ୍ଷକ ଜଣଙ୍କ ମେଣ୍ଟର ନିଯୁକ୍ତି କରିବା ସହ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସେତୁ ଭାବେ କାମ କରିବେ। ସବୁ ପିଲା ଯେପରି ପରୀକ୍ଷାରେ ବସିବେ ତାହା ସୁନିଶ୍ଚିତ କରାଇବେ। ସେହିପରି ବ୍ଳକ ଶିକ୍ଷା ଅଧିକାରୀମାନେ ସ୍କୁଲ ଭ୍ରମଣ କରି ପରୀକ୍ଷା ପରିଚାଳନା ଓ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶନ ତଦାରଖ କରି ଜିଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ସମଗ୍ର ଶିକ୍ଷା ପକ୍ଷରୁ ପରୀକ୍ଷା ଫଳର ଗୁଗୁଲ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ଅନଲାଇନରେ ଅପଲୋଡ କରିଦିଆଯିବ। ଫଳରେ ଜିଲା ଶିକ୍ଷାବିଭାଗ ପରୀକ୍ଷା ଫଳକୁ ବିଶ୍ଳେଷଣ କରି ସ୍କୁଲଗୁଡ଼ିକ ଆବଶ୍ୟକ ପରାମର୍ଶ ଦେବାରେ ସହାୟ ହେବ। ଏହି ଅଭିଯାନ ଆରମ୍ଭ କରି ଜିଲା ଶିକ୍ଷା ବିଭାଗ ଦଶମ ଶ୍ରେଣୀରେ ପଢୁଥିବା ବିଦ୍ୟାର୍ଥୀଙ୍କ ଗୁଣାତ୍ମକ ଓ ପରିମାଣାତ୍ମକ ବିକାଶ କରିବାକୁ ଯୋଜନା ରଖିଛି। ଏଥିପାଇଁ ବିଭାଗ ପକ୍ଷରୁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରି ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିୟମାବଳୀ ପଠାଯାଇଛି। ଏହି ଅଭିଯାନ ଦ୍ୱାରା ବୋର୍ଡ ପରୀକ୍ଷାକୁ ଆଳ ଦେଇ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆଣିବା, ଅଭିଭାବକଙ୍କ ସଂପୃକ୍ତି ବଢାଇବା, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରିବାକୁ ମଧ୍ୟ ଯୋଜନା ରଖାଯାଇଛି। ମାଟ୍ରିକ ବୋର୍ଡରେ ଭଲ କଲେ ବିଦ୍ୟାର୍ଥୀ, ଶିକ୍ଷକ ଓ ବିଦ୍ୟାଳୟକୁ ପୁରସ୍କୃତ କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ଡ.ସନାତନ ପଣ୍ଡା ସବୁ ବିଦ୍ୟାଳୟକୁ ଉକ୍ତ ନୂତନ ଅଭିଯାନ ପତ୍ର ପ୍ରେରଣ କରିଛନ୍ତି।

Comments are closed.