ପୁଣି ନିର୍ବାଚନ ଲଢ଼ିବେ ବେଣୁ ମଉସା

ବାଲେଶ୍ୱର: ଗତ ବର୍ଷ ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ବସ୍ତି ବାସିନ୍ଦା ନେତା ବେଣୁଧର ବାରିକ ଓରଫ ବେଣୁ ମଉସା। ଏବେ ସାଧାରଣ ନିର୍ବାଚନରେ ପ୍ରମୁଖ ଦଳମାନଙ୍କ ପ୍ରାର୍ଥୀ କୋଟି କୋଟି ଟଙ୍କା ଉଡାଉଛନ୍ତି ବୋଲି ସାଧାରଣରେ ଧାରଣା ରହିଥିବାବେଳେ ହାତରେ ପଇସା ନ ଥିବା, ଅତି ଅଳ୍ପ ରୋଜଗାରରେ ଘର ଚଳାଉଥିବା ଜଣେ ମାମୁଲି ମଣିଷ ସେମାନଙ୍କ ସହ ଲଢ଼ିବାକୁ ସାହସ କରିବା ଗଣତନ୍ତ୍ରର ବିଜୟ ବୋଲି ବହୁ ଲୋକ କହିଥିଲେ। ଅନ୍ୟମାନେ ମାଳମାଳ ନେତା, ଅସଂଖ୍ୟ କର୍ମୀଙ୍କ ସହ ଅନେକ ଦାମୀ ଗାଡ଼ିରେ ଯାଇ ପ୍ରଚାର କରିଥିବାବେଳେ ଏକ ଭଙ୍ଗା ପୁରୁଣା ସାଇକେଲରେ ବୁଲି ବୁଲି ଭୋଟ ଭିକ୍ଷା କରିଥିବା ନିଃସ୍ୱ ବେଣୁ ମଉସାଙ୍କ ପ୍ରତି ବିଭିନ୍ନ ମହଲରୁ ସହାନୁଭୂତି ପ୍ରକାଶ ପାଇଥିଲା। ନିର୍ବାଚନରେ ପରାଜିତ ହୋଇଥିଲେ ବି ଜନସେବା ପାଇଁ ତାଙ୍କ ମନରୁ ଉତ୍ସାହ ମଉଳିଯାଇ ନାହିଁ। ନିଜ କୌଳିକ ବୃତ୍ତି କିମ୍ବା ସମାଜସେବାରୁ ସେ ବିରତ ହୋଇନାହାନ୍ତି। ଅର୍ଥ ନ ଥିଲେ ବି ଆଗାମୀ ପୌର ନିର୍ବାଚନରେ ସେ ଭାଗ ନେବେ ବୋଲି କହିଛନ୍ତି। ପ୍ରତ୍ୟକ୍ଷ ନିର୍ବାଚନ ହେଲେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷ ପଦ ପାଇଁ ଲଢ଼ିବେ। ମାତ୍ର ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ନ ହେଲେ ସେ କେଉଁ ୱାର୍ଡର କାଉନସିଲର ପଦ ପାଇଁ ଲଢ଼ିବେ। ଆଉ ବିଜୟୀ ହେଲେ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ଦେଇଛନ୍ତି।

ବାଲେଶ୍ୱର ପୌରପାଳିକାର ୨୧ ନଂ ୱାର୍ଡ଼ ଗୁଡ଼ିପଦାର ବାସିନ୍ଦା ବେଣୁ ମଉସା। ସେ ସହରର ବହୁ ବସ୍ତି ବାସିନ୍ଦାଙ୍କ ସୁଖଦୁଃଖର ସାଥୀ ହୋଇ ରହିଛନ୍ତି। ରାତି ପାହିଲେ ପୁରୁଣା ଏକ ସାଇକେଲରେ କ୍ଷୁୁରମୁଠି ଝୁଲା ଝୁଲାଇ ଘରୁ ବାହାରି ଯା’ନ୍ତିି। ମଧ୍ୟାହ୍ନ ପର୍ଯ୍ୟନ୍ତ କ୍ଷୌର କାର୍ଯ୍ୟରେ ବ୍ୟସ୍ତ ରହିବା ସହ ବାକି ଗୋଟିଏ ଓଳି ବସ୍ତି ବାସିନ୍ଦାଙ୍କ ସମସ୍ୟା ସମାଧାନରେ ବିତାଇଦିଅନ୍ତି। ଭଙ୍ଗା ସାଇକେଲରେ ଏ ବସ୍ତିରୁ ସେ ବସ୍ତିକୁ ଘୂରି ବୁଲନ୍ତି। ବସ୍ତି ବାସିନ୍ଦାଙ୍କ ସମସ୍ୟା ସମାଧାନ ସାଙ୍ଗକୁ ଜଣେ ଜଣେ ଦାୟିତ୍ୱବାନ ମତଦାତା ହେବାକୁ ଲୋକଙ୍କୁ ବୁଝାନ୍ତି। ଆବାଳ ବୃଦ୍ଧ ବନିତାଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଆଦରର ବେଣୁ ମଉସା। ଲୋକଙ୍କ ସମସ୍ୟାକୁ ନେଇ ପ୍ରତିଦିନ ତାଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ, ପୌରପାଳିକା, ତହସିଲ ପ୍ରଭୃତି ଅଫିସକୁ ଯିବାକୁ ପଡ଼ୁଛି। ପିଲାଟି ଦିନରୁ ବାମପନ୍ଥୀ ତଥା ସାମ୍ୟବାଦୀ ଚିନ୍ତାଧାରାକୁ ସେ ଗ୍ରହଣ କରିଆସିଛନ୍ତି।

ସଦର ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ତାଙ୍କ ଦଳ ସିପିଆଇ ପକ୍ଷରୁ ପ୍ରାର୍ଥୀ କରା ନ ଯିବା ତାଙ୍କୁ ମର୍ମାହତ କରିଥିଲା। ଶେଷରେ ଦଳୀୟ ଅନୁଶାସନ ପ୍ରତିବାଦରେ ସେ ବାଧ୍ୟ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନିଷ୍ପତ୍ତି ନେଇଥିଲେ। ନିର୍ବାଚନ ପ୍ରଚାର ବେଳେ ବ୍ୟକ୍ତିଗତ ସାଙ୍ଗକୁ ଆନୁଷ୍ଠାନିକ ଭାବେ ତାଙ୍କୁ ବିଭିନ୍ନ ମହଲରୁ ସହଯୋଗ ମିଳିଥିଲା। ମାତ୍ର ତାଙ୍କ ସପକ୍ଷରେ ମତଦାନ ହାର ବୃଦ୍ଧି ପାଇ ନ ଥିଲା। ସ୍ୱଳ୍ପ ଭୋଟ ମିଳିବାକୁ ନେଇ ସେ କେବେ ଅନୁଶୋଚନା କରି ନାହାନ୍ତି। ଟଙ୍କା ପାଖରେ ମାନବିକତା ଯେଉଁଠି ବନ୍ଧା ପଡ଼ିଯାଉଛି, ସେଠାରେ ସାଧାରଣ ମତଦାତାଙ୍କ ପାଇଁ ନୀତି ଆଦର୍ଶ ମୂଲ୍ୟହୀନ ହୋଇଯାଇଛି ବୋଲି ସେ ମତ ଦେଇଛନ୍ତି। ନିରପେକ୍ଷ ତଥା ଚାପମୁକ୍ତ ନିର୍ବାଚନ ପାଇଁ ସେ ଲୋକଙ୍କୁ ବୁଝାଇଚାଲିଛନ୍ତି। ଆଜୀବନ ତାଙ୍କର ଏହି ଅଭିଯାନ ଏମିତି ଜାରି ରହିବ ବୋଲି ସେ କହିଛନ୍ତିି।

Comments are closed.