ସ୍ବାମୀ ହତ୍ୟା ଷଡ଼ଯନ୍ତ୍ର:ସୁପାରି ଦେଇଥିବା ଚୋରଣୀ ପତ୍ନୀ ଗିରଫ

ବେଙ୍ଗାଲୁର: ରାସ୍ତାରେ ଯାଉଥିବା ପଥିକଙ୍କୁ ପତ୍ନୀ ନିୟମିତ ଲୁଟ୍‌ କରୁଥିବା ଜାଣି ସ୍ବାମୀ ଜଣକ ସେ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରୁଥିଲେ। ପତି ତାଙ୍କ ବିରୋଧରେ ଗୁଇନ୍ଦାଗିରି କରୁଥିବା ଜାଣି ପତ୍ନୀ ଜଣକ କେତେକ ଗୁଣ୍ଡାଙ୍କୁ ସୁପାରି ଦେଇ ହତ୍ୟା ଉଦ୍ୟମ କରିଥିଲେ। ତେବେ ସୌଭାଗ୍ୟବଶତଃ ସ୍ବାମୀ ବର୍ତ୍ତି ଯାଇଛନ୍ତି।

ଏଭଳି ଫିଲ୍ମ ଷ୍ଟାଇଲର ରହସ୍ୟ ଉନ୍ମୋଚନ କରିଛି ମହୀଶୁର ପୁଲିସ। ମଞ୍ଜୁଳା (୪୪) ସ୍ବାମୀ ଶଙ୍କର (୪୫)ଙ୍କ ସହ ବାଇକରେ ବନରଘଟା ରୋଡରେ ଯାଉଥିଲେ। ହଠାତ୍‌ ଏକ କାର ତାଙ୍କ ବାଇକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ସ୍ବାମୀ-ସ୍ତ୍ରୀ ତଳେ ପଡ଼ି ଯାଇଥିଲେ। ଏହି ସମୟରେ କାରରୁ କେତେକ ଦୁର୍ବୃତ୍ତ ଓହ୍ଲାଇ ଧାରୁଆ ଅସ୍ତ୍ରରେ ଶଙ୍କରଙ୍କୁ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟବଶତଃ ସେ ଏଥିରୁ ବର୍ତ୍ତି ଯାଇଥିଲେ। ଏ ସଂକ୍ରାନ୍ତରେ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ପ୍ରଥମେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ୪ ଜଣ ଦୁର୍ବୃତ୍ତ ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଲା। ତୁରନ୍ତ ଏମାନଙ୍କୁ ଗିରଫ କରି ପୁଲିସ୍‌ ଜେରା କରିଥିଲା। ଖୋଦ୍‌ ଶଙ୍କରଙ୍କ ପତ୍ନୀ ମଞ୍ଜୁଳା ହତ୍ୟା ପାଇଁ ସୁପାରି ଦେଇଥିବା ଅଭିଯୁକ୍ତମାନେ କହିଥିଲେ। ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଓ ମଞ୍ଜୁଳାଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ତାଙ୍କୁ ଜେରା କରିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ମଞ୍ଜୁଳା ମହୀଶୁର ଜଣେ ଖ୍ୟାତନାମା ଚୋରଣୀ ଭାବେ ଜଣାଶୁଣା। ବିଶେଷକରି ବୃଦ୍ଧା, ମହିଳାମାନଙ୍କୁ ଠକି ସେମାନଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟି ଥାଏ। ତାଙ୍କ ବିରୋଧରେ ମହୀଶୁରର ବିଭିନ୍ନ ଥାନାରେ ଏକାଧିକ ଚୋରି ଓ ଠକେଇ ମାମଲା ରହିଛି। ଗତମାସରେ ମହୀଶୁର ପୁଲିସ ମଞ୍ଜୁଳାଙ୍କ ଜଣେ ସହଯୋଗୀଙ୍କୁ ଗିରଫ କରି ତାଙ୍କଠାରୁ ଏକ କିଲୋ ସୁନା ଜବତ କରିଥିଲା। ସ୍ବାମୀ ଶଙ୍କର ଏ ବିଷୟରେ ପୁଲିସକୁ ସୂଚନା ଦେଉଥିବା ମଞ୍ଜୁଳା ସନ୍ଦେହ କରିଥିଲା। ସ୍ବାମୀଙ୍କୁ ତାଙ୍କ ବିରୋଧରେ ଗୁପ୍ତଚର ବୃତ୍ତି କରୁଥିବା ଭାବି ସେ ଆର, ଗଣେଶ (୨୫) ନାମକ ଜଣେ ଅପରାଧୀକୁ ସୁପାରି ଦେଇ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ଉଦ୍ୟମ କରିଥିଲା। ମଞ୍ଜୁଳାଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଜେଲ ପଠାଇଛି।

Comments are closed.