ବିନା ହେଲମେଟରେ ସ୍କୁଟର ଚାଳନା: ପୁଲିସ ଧରାଇଲା ୨ ମିଟର ଲମ୍ବାର ଚାଲାଣ, ଗାଡ଼ି ଦାମରୁ ଜୋରିମାନା ଅଧିକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିନା ହେଲମେଟରେ ସ୍କୁଟର ଚଳାଉଥିବା ଜଣେ ପରିବା ବିକ୍ରେତାଙ୍କ ନାଁରେ ଟ୍ରାଫିକ ପୁଲିସ କାଟିଛି ୨ ମିଟର ଲମ୍ବାର ଚାଲାଣ । ଖାଲି ସେତିକି ନୁହେଁ, ସ୍କୁଟରର ଦାମଠାରୁ ଚାଲାଣର ଦାମ ଏଥିରେ ଅଧିକ ହୋଇଛି ।

ପରିବା ବିକ୍ରେତା ମାଡ଼ିୱାଲା ଅଞ୍ଚଳର ଅରୁଣ କୁମାରଙ୍କ ନାମରେ ଏହି ଚାଲାଣ କଟାଯାଇଛି । ଅରୁଣ କହିଛନ୍ତି ଯେ ସେ ହେଲମେଟ ପିନ୍ଧି ନ ଥିବାରୁ ଟ୍ରାଫିକ୍ ପୁଲିସ ଶୁକ୍ରବାର ତାଙ୍କୁ ଅଟକାଇଥିଲା । ଏହାପରେ ତାଙ୍କ ନାଁରେ ଯେଉଁ ଚାଲାଣ କଟା ଯାଇଥିଲା ତାକୁ ଦେଖି ସେ ଚମକି ପଡ଼ିଥିଲେ । ଚାଲାଣର ଲମ୍ବା ୨ ମିଟର ଓ ଏଥିରେ ୪୨୫୦୦ ଟଙ୍କା ଜୋରିମାନା ଧାର୍ଯ୍ୟ ହୋଇଥିଲା । ଏହାକୁ ଦେଖି ସେ ଚକିତ ହୋଇଛନ୍ତି । ଏହି ଜୋରିମାନା ତାଙ୍କ ପୁରୁଣା ସ୍କୁଟରର ଦାମଠାରୁ ୨ ଗୁଣରୁ ବି ଅଧିକ ବୋଲି ଅରୁଣ କହିଛନ୍ତି ।

ଅନ୍ୟପକ୍ଷରେ ମାଡ଼ିଓ୍ୱାଲା ପୁଲିସ ସୂଚନାନୁସାରେ ଅରୁଣକୁମାର ୭୭ ଥର ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ କରିଛନ୍ତି । ଏଥିପାଇଁ ତାଙ୍କୁ ୪୨୫୦୦ ଟଙ୍କା ଜୋରିମାନା କରାଯାଇଛି । ତାଙ୍କ ସ୍କୁଟର ଜବତ କରାଯାଇଛି ।  ଟଙ୍କା ଜମା ଦେଇ ସ୍କୁଟର କୋର୍ଟରୁ ନେବା ପାଇଁ ଅରୁଣ କୁମାରଙ୍କୁ ସମୟ ଓ ସୁଯୋଗ ଦିଆଯାଇଛି ।

Comments are closed.