ବଙ୍ଗାଳୀମାନଙ୍କ ଦୁର୍ଗାପୂଜାର ବିଶେଷ ଆକର୍ଷଣ, ମହିଳାମାନଙ୍କ ଧଳା-ନାଲି ଶାଢୀ ପରିଧାନ

ଆସିଯାଇଛି ପାର୍ବଣର ଋତୁ। ଆଉ ମାତ୍ର କିଛିଦିନ ପରେ ଧରା ପୃଷ୍ଠରେ ଅବତରଣ କରିବେ ଦୁର୍ଗତୀନାଶିନୀ ମା’ଦୁର୍ଗା। ଅର୍ଥାତ୍‍ ଆରମ୍ଭ ହେବ ଦୁର୍ଗାପୂଜା। ତେବେ ସମସ୍ତେ ଦୁର୍ଗାପୂଜା ଅତ୍ୟନ୍ତ ଧୁମ୍‍ଧାମରେ ପାଳନ କରିଥାଆନ୍ତି, ମାତ୍ର ବଙ୍ଗାଳୀମାନଙ୍କ ଏହା ହେଉଛି ଏକ ପ୍ରମୁଖ ପର୍ବ। ନବରାତ୍ରି ଆରମ୍ଭ ହେବା ଦିନରୁ ବଙ୍ଗାଳୀମାନେ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ଧୁମଧାମରେ ପାଳନ କରନ୍ତି। ଏହି ସମୟରେ ବିଭିନ୍ନ ପରମ୍ପରା ଓ ନୀତିନିୟମ ପାଳନ କରନ୍ତି ବଙ୍ଗାଳୀ ମହିଳାମାନେ। ଆଲୋକମାଳାରେ ପୂଜାମଣ୍ଡପ ସବୁ ଝଲସୁଥିଲା ବେଳେ ସବୁଠୁ ଆକର୍ଷଣୀୟ ଥାଏ ନାରୀମାନଙ୍କ ଧଳା ଓ ନାଲି ରଙ୍ଗର ବସ୍ତ୍ର ପରିଧାନ ପରମ୍ପରା। ହେଲେ କ’ଣ ଆପଣ ଜାଣନ୍ତି, ଏହି ପର୍ବରେ ବଙ୍ଗାଳୀ ମହିଳାମାନେ କାହିଁକି ଧଳା ଓ ନାଲି ରଙ୍ଗର ବସ୍ତ୍ର ବା ଶାଢୀ ପରିଧାନ କରନ୍ତି?

ଧଳା ଓ ନାଲି ରଙ୍ଗକୁ ପବିତ୍ର ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଦୁର୍ଗାଷ୍ଟମୀ ଦିନ ଧଳା-ନାଲି ଶାଢୀ ସହିତ ନାଲି ଟୋପା, ନାଲି ସିନ୍ଦୁର, ନାଲି ଚୁଡ଼ି ଆଉ ସୁନା ଆଭୂଷଣ ପିନ୍ଧି ମା’ ଦୁର୍ଗତୀନାଶିନୀଙ୍କ ଆରାଧନା କରନ୍ତି ମହିଳାମାନେ। ଏହାପରେ ଦଶହରା ଦିନ ପୁଣି ଥରେ ସେହି ଶାଢୀ ପିନ୍ଧି ମା’ ଦୁର୍ଗାଙ୍କୁ ସିନ୍ଦୁର ଚଢ଼ାଇବା ପରେ ସିନ୍ଦୁର ଖେଳ ଖେଳନ୍ତି ମହିଳାମାନେ। ଧଳା ରଙ୍ଗରେ ନାଲି ଧଡ଼ି ପଡ଼ିଥିବା ଏହି ଶାଢୀକୁ ଜାମ୍ ଦାନୀ ଶାଢ଼ି କୁହାଯାଏ। ବୁଣାକାରମାନେ ହାତରେ ଏହାକୁ ବୁଣନ୍ତି। ସଂପୂର୍ଣ୍ଣ ସୂତାରେ ତିଆରି ଜାମ୍ ଦାନୀ ଶାଢ଼ୀ ପିନ୍ଧିବାକୁ ବହୁତ ହାଲୁକା। ତେଣୁ ବଙ୍ଗାଳୀ ମହିଳାମାନେ ଜାମ୍ ଦାନୀ ଶାଢୀ ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ତେବେ ବର୍ତ୍ତମାନ ଏହି ଶାଢୀ ଏକ ଫ୍ୟାଶନ୍‍ ପାଲଟିଯାଇଛି। ପ୍ରାୟ ସମସ୍ତେ ଏହି ଶାଢୀ ପିନ୍ଧୁଥିବା ଦେଖିବାକୁ ମିଳୁଛି।

Comments are closed.