ସିବିଆଇ ପ୍ରସଙ୍ଗରେ ଆକ୍ସନରେ କେନ୍ଦ୍ର: ମମତାଙ୍କୁ କାରଣ ଦର୍ଶାଅ ନୋଟିସ୍

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ସେତେ ଜୋର ଧରିବାରେ ଲାଗିଛି। ଏହି କାଦୁଅ ଛିଟା ଏବେ ସିବିଆଇ ଉପରେ ମଧ୍ୟ ପଡ଼ିଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଚିଟଫଣ୍ଡ ମାମଲାରେ ସିବିଆଇର ତଦନ୍ତକୁ ନେଇ କଲକାତାରେ ତୁମୂଳ କାଣ୍ଡ ଘଟିଛି। ପରିସ୍ଥିତି ଏପରି ହୋଇଛି ଯେ, ଘଟଣାରେ ସୁପ୍ରିମ କୋର୍ଟକୁ ହସ୍ତକ୍ଷେପ କରିବାକୁ ପଡ଼ିଛି।
ରବିବାର ସନ୍ଧ୍ୟାରେ ସିବିଆଇ ଟିମ୍ କଲକାତା ସ୍ଥିତ ପୁଲିସ କମିଶନର ରାଜୀବ କୁମାରଙ୍କ ବାସଘୃହ ଉପରେ ଚଢାଉ କରିଛନ୍ତି। ତେବେ ସିବିଆଇର ଏହି ଟିମକୁ କଲକାତା ପୁଲିସ ଗିରଫ କରିବା ଘଟଣା ଭାରତୀୟ ବ୍ୟବସ୍ଥାକୁ ଅସନ୍ତୁଳିତ କରିଦେଇଛି। ସିବିଆଇ ଟିମକୁ ଗିରଫ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ମୋଦୀ ସରକାରଙ୍କୁ ଦାୟୀ କରି ଅନଶନରେ ବସିଛନ୍ତି।

ସୋମବାର ପଶ୍ଚିମବଙ୍ଗରେ ବଜେଟ୍ ଅଧିବେଶନ ବସିବାର କାର୍ଯ୍ୟକ୍ରମ ଥିଲା। ବିଧାନସଭାରେ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାସ୍ଥଳରୁ ସମ୍ବୋଧିତ କରିଥିଲେ। ଏପରିକି ଧାରଣସ୍ଥଳରେ ବସି ସରକାରୀ ଫାଇଲରେ ଦସ୍ତଖତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଧାରଣାସ୍ଥଳରେ କେବଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁହେଁ ବରଂ ପୁରା କ୍ୟାବିନେଟ ଉପସ୍ଥିତ ଥିବା ଦୃଶ୍ୟମାନ ହୋଇଥିଲା।

ଅପରପକ୍ଷରେ ସୋମବାର ସକାଳେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ସହ ଫୋନରେ ଆଲୋଚନା କରିଛନ୍ତି। ଆଲୋଚନା ପରେ ରାଜ୍ୟପାଳ ପଶ୍ଚିମବଙ୍ଗ ଡିଜିପି ଓ ପ୍ରମୁଖ ସଚିବଙ୍କୁ ଡକାଇ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ପଶ୍ଚିମବଙ୍ଗର ମମତା ସରକାରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗୃହ ମନ୍ତ୍ରଣାଳୟର ତଦନ୍ତରେ ବାଧା ସୃଷ୍ଟି କରିଥିବା ସମ୍ପୃକ୍ତ ପୁଲିସ ବରିଷ୍ଠ ଅଧିକାରୀଙ୍କ କର୍ତ୍ତବ୍ୟପରାୟଣତାକୁ ନେଇ ସନ୍ଦେହ ପ୍ରକାଶ କରିଛି ଗୃହ ମନ୍ତ୍ରଣାଳୟ।

ଅପର ପାର୍ଶ୍ବରେ ମମତାଙ୍କ ଧାରଣାସ୍ଥଳ କ୍ରମଶଃ ବିପକ୍ଷ ଦଳର ଶକ୍ତି ପ୍ରଦର୍ଶନର ସ୍ଥାନରେ ପରିଣତ ହେଉଛି। ଟିଏମସି କର୍ମୀ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମୋଦୀ ସରକାର ବିରୋଧରେ ପ୍ରଦର୍ଶନ ଓ ନାରାବାଜୀ କରୁଥିବା ଦୃଶ୍ୟମାନ ହୋଇଛି। ଟିଏମସି କର୍ମୀ ୩୪ନମ୍ବର ଜାତୀୟ ରାଜପଥ ଅବରୋଧ ମଧ୍ୟ କରିଛନ୍ତି। ସେହିପରି ସିବିଆଇ କାର୍ଯ୍ୟାଳୟ ମଧ୍ୟରେ ସିଆରପିଏଫ ଯବାନ ନିୟୋଜିତ ହୋଇଥିବାବେଳେ କାର୍ଯ୍ୟାଳୟ ବାହାରେ ପଶ୍ଚିମବଙ୍ଗ ପୁଲିସ ମୁତୟନ ରହିଛନ୍ତି।

ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରଥମ ଥର ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା। ଯେତେବେଳେ ରାଜ୍ୟ ପୁଲିସ ବିରୋଧରେ କେନ୍ଦ୍ର ସରକାରଙ୍କ ଏକାଧିକ ଏଜେନ୍ସି ମୁହାଁମୁହିଁ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଫଳରେ ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ସିବିଆଇ ମମତା ସରକାର ବିରୋଧରେ ସୁପ୍ରିମ କୋର୍ଟରେ ଗୁହାରି କରିଛି। ଏହି ମାମଲାର ଶୁଣାଣି ଆସନ୍ତା କାଲି ରଖାଯାଇଛି। ତେବେ ପଶ୍ଚିମବଙ୍ଗ ପୁଲିସ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ କୋର୍ଟରେ ଦାଖଲ କରିବାକୁ ସୁପ୍ରିମ କୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି।

ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ରାଜନୈତିକ ନାଟକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଧାରଣା ପର୍ଯ୍ୟାୟରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତି ୮ଟା ସୁଦ୍ଧା ମେଟ୍ରୋ ଚ୍ୟାନେଲ ସମ୍ମୁଖରେ ଧାରଣାରେ ବସିଥିଲେ। କଲକାତା ପୁଲିସ କମିଶନର ରାଜୀବ କୁମାର ସକାଳ ୫ଟା ପର୍ଯ୍ୟନ୍ତ ଧାରଣାସ୍ଥଳରେ ଥିଲେ ବୋଲି ମମତା ଗଣମାଧ୍ୟମରେ ସୂଚନା ଦେଇଥିଲେ। ରାଜୀବ କୁମାର ଜଣେ ଅଭିଜ୍ଞ ଅଫିସର ହୋଇଥିବାବେଳେ ସିବିଆଇ ଦ୍ୱାରା ତାଙ୍କ ସହ ହୋଇଥିବା ବ୍ୟବହାର ତାଙ୍କୁ ବ୍ୟଥିତ କରିଛି ବୋଲି ମମତା ଗଣମାଧ୍ୟମରେ ପ୍ରକାଶ କରିଥିଲେ।

ମମତାଙ୍କ ଏହି ସଂଗ୍ରାମକୁ ସମର୍ଥନ ଜଣାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଧାରଣାସ୍ଥଳରେ ଯାଇ ପହଞ୍ଚିଛନ୍ତି। ସମାଜବାଦୀ ପାର୍ଟି ନେତା କିରଣ ମୟ ନନ୍ଦା ମଧ୍ୟ ଧାରଣାସ୍ଥଳରେ ପହଞ୍ଚି ମମତାଙ୍କୁ ସମର୍ଥନ ଜଣାଇଛନ୍ତି। ଆପ୍ ରାଜ୍ୟ ସଭା ସାଂସଦ ସଞ୍ଜୟ ସିଂହ ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇବେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଜମ୍ମୁ-କାଶ୍ମୀର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ଉତ୍ତରପ୍ରଦେଶ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ବିହାରର ପୂର୍ବ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସମେତ ବିପକ୍ଷର ଏକାଧିକ ନେତା ମମତା ବାନାର୍ଜୀଙ୍କୁ ଫୋନ କରି ତାଙ୍କ ସମର୍ଥନ ଜଣାଇଛନ୍ତି। ବିଜେଡି ମଧ୍ୟ ଲୋକସଭାରେ ସିବିଆଇର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି। ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ନିର୍ବାଚନ ଆସିଲେ ସକ୍ରିୟ ହୋଇପଡ଼ୁଛି ବୋଲି ବିଜେପି ସାଂସଦ ଭର୍ତ୍ତୃହରୀ ମହତାବ ଲୋକସଭାରେ ଅଭିଯୋଗ କରିଥିଲେ। ପଞ୍ଚାୟତ ନିର୍ବାଚନରେ ସିବିଆଇ ସକ୍ରିୟ ଥିଲା ପୁଣି ସାଧାରଣ ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇଛି। ଏବେ ସୁଦ୍ଧା କୋର୍ଟରେ କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ। କିନ୍ତୁ ଅନ୍ୟାନ୍ୟ ରାଜନୈତିକ ନେତାଙ୍କ ଛବି ଖରାପ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନିର୍ବାଚନ ପୂର୍ବରୁ ନେତାଙ୍କୁ ଗିରଫ କରାଯାଉଛି ବୋଲି ସାଂସଦ କୋର୍ଟରେ ଅଭିଯୋଗ କରିଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଟିଡିପି ସାଂସଦଙ୍କୁ ସଂସଦ ଭିତରେ ଓ ବାହାରେ ପ୍ରଦର୍ଶନ କରିବାକୁ ନିର୍ଦେଶ ଦେଇଛନ୍ତି। ନାଇଡ଼ୁ ଆଜି ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୁପ୍ରିମ କୋର୍ଟର ଟିପ୍ପଣୀ ପରେ ପ୍ରମୁଖ ବିରୋଧୀ ଏକତ୍ରିତ ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରିବାର ସମ୍ଭାବନା ଦେଖା ଦେଇଛି।

Leave A Reply