ଗଣତନ୍ତ୍ରର ସଫଳତା ପାଇଁ ରାଜଭବନ ଓ ରାଜ୍ୟ ସରକାରଙ୍କୁ ଏକତ୍ର କାମ କରିବାକୁ ହେବ : ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା : ଗଣତନ୍ତ୍ରକୁ ସଫଳ କରିବା ଉଦେଶ୍ୟରେ ରାଜ ଭବନ ଓ ରାଜ୍ୟ ସରକାରଙ୍କୁ ଏକତ୍ର କାମ କରିବାର ସମୟ ଆସିଜାଇଛି। କାରଣ ଉଭୟ ଏକତ୍ର କାମ କରିବା ଦ୍ବାରା ହିଁ ଗଣତନ୍ତ୍ର ବଞ୍ଚି ରହିପାରିବ ବୋଲି ମଙ୍ଗଳବାର ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ କହିଛନ୍ତି। ସେ ମଙ୍ଗଳବାର ରାଜ୍ୟ ବିଧାନସଭାରେ ପହଞ୍ଚି ସାମ୍ବାଦିକମାନଙ୍କୁ କହିଥିଲେ, ରାଜ୍ୟର କଲ୍ୟାଣ ପାଇଁ ରାଜଭବନ ଓ ରାଜ୍ୟ ସରକାରଙ୍କୁ ଏକତ୍ର କାମ କରିବାର ଆବଶ୍ୟକତା ରହିଛି। ଗଣତନ୍ତ୍ରକୁ ସଫଳଭାବେ ରୁପାୟନ କରିବାରେ ପଶ୍ଚିମବଙ୍ଗ ସରକାରଙ୍କର ବିଶେଷ ଅବଦାନ ରହିଆସିଛି। ତେଣୁ ରାଜଭବନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ସହିତ ଏକତ୍ର କାମ କରିବା ଦରକାର ବୋଲି ଜଗଦୀପ ଧନଖଡ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ, ପଶ୍ଚିମବଙ୍ଗରେ ଡିସେମ୍ବର ୫ରେ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମମତା ବାନାର୍ଜୀଙ୍କ ସରକାର ବିଧାନସଭା କାର୍ଯ୍ୟକୁ ଅଚାନକ ସ୍ଥଗିତ କରାଯିବା ପରେ ରାଜ୍ୟପାଳ ଜଗଦୀପ ଧନଖଡ଼ ବିଧାନସଭା ସଚିବାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟପାଳ ବିଧାନସଭା ୧ ନମ୍ବର ଗେଟ୍‌ ଦେଇ ଯିବାର ଥିବାବେଳେ ଗେଟ୍‌ରେ ତାଲା ପଡ଼ିଥିଲା, ଯାହାକୁ ନେଇ ରାଜ୍ୟପାଳ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଥିଲେ। କିଛି ସମୟ ପରେ ସେ ୨ୟ ଗେଟ୍‌ ଦେଇ ବିଧାନସଭାରେ ପ୍ରବେଶ କରିବା ସହିତ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।

Comments are closed.