ଯୌବନର ଜଉଘର

ଚିରନ୍ତନତା ବା ପ୍ରାକୃତିକତାର ଭାବ ଓ ଉଦ୍ଦେଶ୍ୟ ବୁଝିବାରେ କେବଳ ପରିବର୍ତ୍ତନ ଓ ପରିବର୍ଦ୍ଧନର ଯଥାର୍ଥତା ଅନୁଭବ କରିହେବ। ତେଣିକି ତମ ପରିବର୍ତ୍ତନ ଓ ପରିବର୍ଦ୍ଧନର ପ୍ରଚେଷ୍ଟା ବାଟ କି ଅବାଟ ନିଜେ ବୁଝି ପାରିବ, ହେଜି ପାରିବ। ତମେ ବାଟିଆ କି ଅବାଟିଆ ହେଉଛ କି ନାହିଁ ତା’ ବି କଳି ପାରିବ। ‘ଶିଙ୍ଗାର’ ଭଳି ଏକ ଦୈହିକ ସାଜସଜ୍ଜା କଥା ହେଜାଯାଉ। ସୌନ୍ଦର୍ଯ୍ୟମୟୀ ଅଯୋଧ୍ୟା ରମଣୀକୁଳଙ୍କ ସୌନ୍ଦର୍ଯ୍ୟର ଛିଟା ବିଷୟରେ ଆଭାସ ଦେଇ ଗଙ୍ଗାଧର ମେହେର ‘ରାମ ବନବାସ’ରେ ଲେଖିଛନ୍ତି, ‘‘ଘନ ନୀଳକେଶୀ ବିଦ୍ୟୁତ ନୟନା ଅଯୋଧ୍ୟା ରମଣୀକୁଳ ଯେ।’’ ଏବେ ‘ଶିଙ୍ଗାର’ କେନ୍ଦ୍ର ତ ଆଧୁନିକ ‘ପାର୍ଲର’ ବନିଯାଇଛି। ମରଦେ ପ୍ରତିଦିନ କି ସପ୍ତାହକୁ ଥରେ ଦାଢ଼ି, ନିଶ, ଚୁଟି କାଟିଲା ପରି ଆଜିର ମହିଳା କି ଯୁବତୀଗଣ ନିୟମିତ ପାର୍ଲର ଯାଉଛନ୍ତି। ସେଠି ‘କେଶ’କୁ ଘୁଷୁରି ଲାଞ୍ଜ ପରି ଛୋଟ ଛୋଟ କରି ଦିଆଯାଉଛି। ଇଏ କୁଆଡ଼େ ଆଧୁନିକତାର ସମ୍ଭାର! ହେଇଥିବ। ଅବଶ୍ୟ ଆଜିକାଲି ତ ଯୁଦ୍ଧ ଓ ପୁଲିସ ବିଭାଗରେ ମାଇପିମାନେ ମିଶୁଛନ୍ତି। ସେମାନଙ୍କୁ ପୁରୁଷମାନଙ୍କ ସହ ସମାନ କରାଯିବାର ଇଏ ଏକ ଉଦ୍ୟମ କଥା। ପୁଲିସ ଓ ଯୁଦ୍ଧ ବିଭାଗରେ ପଶିଲେ, ଶାଢ଼ି ପିନ୍ଧି, ଲମ୍ବା କେଶ କୁ ଯୋଗାଇବ? ଆରେ ୟେ ତ ଲଢ଼ିବା, ବଳ କଷାକଷିର କଥା। ଫୁଲପେଣ୍ଟ ପିନ୍ଧା ବାଧ୍ୟକତା ଏଥିରେ। ତଦନୁଯାୟୀ ସବୁ ବଦଳିବ। ପୁଅ ବିଭାହୋଇ ଘରକୁ ଆସିଲେ ଶାଶୂବୁଢ଼ୀ କହୁଥିଲେ, ‘‘ମୋ ଘରକୁ ଲକ୍ଷ୍ମୀ ଆସିଲା।’’ ନାରୀ, ଲକ୍ଷ୍ମୀ ସହ ତୁଳନୀୟା ଥିଲା।

ଏବେ ଯୁଗ ବଦଳୁଛି। ଲକ୍ଷ୍ମୀ, ସରସ୍ବତୀ ଆଦି ଲମ୍ବ ପେଣ୍ଟ ପିନ୍ଧି ଯାଇପାରେ। ମାତ୍ର ଏମାନେ ସେ ପୁରୁଣା ସ୍ତୋତ୍ର, ସ୍ତବକୁ କୋଉ ଘେନିବେ? ସେମିତି ହୋଇଛି ନାରୀଙ୍କ କଥା। ଆମ ସଂସ୍କୃତି ଓ ସଂସ୍କାରରେ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ନାରୀ ଗରୁଆ। ପୁରୁଷର ଯାବତୀୟ କାମ ନାରୀ କରି ପାରିବ, ମାତ୍ର ନାରୀର ଯାବତୀୟ କାମ ପୁରୁଷ କୁ କରିପାରିବ? ତେଣୁ ଆମେ ପୂଜା କରୁଥିଲୁ ମାତୃଶକ୍ତିଙ୍କୁ ‘‘ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା, ଶକ୍ତିରୂପେଣ ସଂସ୍ଥିତା, ଚଣ୍ଡୀରୂପେଣ ସଂସ୍ଥିତା, ଶାନ୍ତି ରୂପେଣ ସଂସ୍ଥିତା, ନମସ୍ତସୌ ନମସ୍ତସୌ ନମସ୍ତସୌ ନମୋନମଃ’’। ଥୋଡ଼େ ଭାଣ୍ଡ କି ଅନ୍ଧ ନାରୀକୁ ପୁରୁଷଠୁ କମ୍‌ ଦେଖେଇ, ପ୍ରଚାର କରି, ତାଙ୍କ ସହଜ ସହାନୁଭୂତି ପାଇବା ପାଇଁ ତାଙ୍କୁ ଉଠେଇ ପୁରୁଷ ସହ ସମାନର ଉଦ୍ୟମ ଆରମ୍ଭ କରିଛନ୍ତି। ତାଙ୍କୁ ଲକ୍ଷ୍ମଣ ରେଖା ଡିଆଁଉଛନ୍ତି। ଆରେ ପ୍ରକୃତି ଓ ଚିରନ୍ତନତାର ବ୍ୟବସ୍ଥାନୁଗତ ତ ‘ଲକ୍ଷ୍ମଣରେଖା’। ଏକୁ ଡେଇଁ ସୀତା କି ଅବସ୍ଥା ଭୋଗ ନ କଲେ! ଆଉ ତମ ଆମ କଥା ପଚାରେ କିଏ? ଡିଅଁ ଲକ୍ଷ୍ମଣରେଖା, ପଡ଼ ରାବଣମାନଙ୍କ ହାବୁଡ଼ରେ।

ନାରୀମାନଙ୍କ ସୌନ୍ଦର୍ଯ୍ୟ ଓ ଗୁଣାଗୁଣର ସଫଳତା କେବଳ ‘ପତିରତା’ ଭାବରୁ ହିଁ କଳାଯାଏ। ‘‘ଯା ସୌନ୍ଦର୍ଯ୍ୟ ଗୁଣାନ୍ବିତା ପତିରତା, ସା କାମିନୀ କାମିନୀ’’। ଆଖି କେବଳ ସୌନ୍ଦର୍ଯ୍ୟ ହେଲେ କୁଥିକୁ ପାଏନି, ଯଦି ତମେ ପତିରତା ନ ହେଲ? ସେମିତି ଆମ ଗୃହସ୍ଥାଶ୍ରମର ବାଟବଣା ଦେଖୁନା! ପୂଜନୀୟ, ଦେବୋପମ ପିତାମାତାଙ୍କୁ ଗୋଇଠା ମାରିବା, ଅବହେଳା କରିବାର କୁ ଆବଶ୍ୟକତା ଥିଲା? ଆରେ ବୟସ ହୋଇଗଲେ, ଘରେ ନିଜକୁ ବୋଝ ପ୍ରତିପାଦିତ କରିବା ପୂର୍ବରୁ ବାନପ୍ରସ୍ଥୀ ବନିଯାଉଥିଲେ। ଆଶ୍ରମ ଜୀବନରେ ପ୍ରଭୁ ପ୍ରାର୍ଥନା ଓ ଆରପୁର ଯାତ୍ରା ଉପାୟନ ସଂଗ୍ରହ ଓ ବ୍ୟବସ୍ଥାରେ। ପୁଅଝିଅ ଆଦିଙ୍କ ଏ ମୋହମୟ ସଂସାର ଖେଳରୁ ବିରାମ ନେଉଥିଲେ। ଏବେ ଏ ବାପ ମା’ଙ୍କର ମୋହ ତୁଟୁନି ଯେମିତି ବାନପ୍ରସ୍ଥ ପାଇଁ ଆଶ୍ରମ ଏକ ଅତିରଞ୍ଜିତ କଳ୍ପନା ବନିଯାଇଛି ସେମିତି। ପାଶ୍ଚାତ୍ୟ ସଭ୍ୟତାନୁଗତ ଏ ଦେଶର ସଂସ୍କୃତିରୁ ଏକାନ୍ନବର୍ତ୍ତୀ ପରିବାର ହଟିଯିବା ପରି ବାନପ୍ରସ୍ଥାଶ୍ରମ ବିଲୁପ୍ତ ହୋଇଯାଇଛି। ଆଜିର ‘ଓଲ୍‌ଡଏଜ୍‌ ହୋମ୍‌’ କେବଳ ପରିଣତ ବୟସକୁ ଖତେଇ ହେଲାପରି ହୋଇଛି। ଏଥିରେ ଏ ଭାବ ତ ନାହିଁ ତେଣୁ ବ୍ୟବସ୍ଥା ହେବ କେମିତି? ବ୍ୟବସ୍ଥା ତ ସବୁବେଳେ ଭାବ ଅନୁଗତ, ଅନୁଗାମୀ।

କେନ୍ଦ୍ର ସରକାର ଏବେ କୁଆଡ଼େ ନାରୀ ବା ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସାମ୍ବିଧାନିକ ସଂଶୋଧନ କରୁଛନ୍ତି। ଜୟା ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ‘କାର୍ଯ୍ୟବଳ’ ପୁଅ ଝିଅଙ୍କ ମଧ୍ୟରେ ବିବାହ ବୟସର ତାରତମ୍ୟ ଦୂର ପାଇଁ ଝିଅଙ୍କ ବିବାହ ବୟସ ବାଇଶି କି ତେଇଶି ବର୍ଷ କରି ସେମାନଙ୍କ ନାବାଳିକାତ୍ବକୁ ବଢ଼େଇ ଦେଇଛନ୍ତି। ମୋଦୀ ସରକାର ଅବଶ୍ୟ ଏକୁ ୧୮ରୁ ୨୧ କରିବା ବିଚାର କରୁଛନ୍ତି। ନାବାଳିକାତ୍ବ ଅର୍ଥ ଏମାନେ କ’ଣ ବୁଝନ୍ତି କେଜାଣି? ପୁଅ ଝିଅଙ୍କ ବିବାହ ବୟସ ସମାନ କରିବା କୋଉ ଜ୍ଞାନର ସମର୍ଥନ? ବାଳକତ୍ବ ବା ବାଳିକାତ୍ବ ଏକ ଭାବଗତ ଓ ବୋଧଗତ ବିଷୟ। ଗୋଟିଏ ନ’ ବର୍ଷର ବାଳକ ଓ ନ’ ବର୍ଷର ବାଳିକାକୁ ଦେଖୁନା। ଦେହ ମନ ବିଷୟରେ କିଏ ଅଧିକ ସଚେତନ? ଫୁଙ୍ଗୁଳା ଦିହ ହେବାକୁ ନ’ ବର୍ଷର ବାଳିକା ଭଳି କୋଉ ବାଳକ ସଚେତନ ବା ଲଜ୍ଜାଶୀଳ? ପେଣ୍ଟ ଫିଙ୍ଗିଦେଇ ଲଙ୍ଗଳା ଦେହରେ ଝାଡ଼ା ଧାଉଁଥିବା ବାଳକ ଭଳି କୋଉ ବାଳିକାକୁ କିଏ ଦେଖିଛି? ଏ ଲଜ୍ଜା, ଏ ସମ୍ଭ୍ରମତା ଏମାନଙ୍କ ଠେଇ ଜେଟଲୀ ମାଡାମ କି କୋଉ ବାପ ମା’ ପୂରେଇଛନ୍ତି? ୟେ ପରା ପ୍ରକୃତିଗତ ଓ ପ୍ରବୃତ୍ତିଗତ। ବୈବାହିକ ଆବଶ୍ୟକତା ଓ ଆନନ୍ଦ ତ ପ୍ରବୃତ୍ତିଗତ। ପ୍ରକୃତି ଏହାର ମୁଖ୍ୟ ଆଧାର, ଦିହ ତଦନୁଗତ ନିର୍ମିତ। ପଞ୍ଚକର୍ମେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ, ମନ ଚେତନା ଓ ଚୈତନ୍ୟକୁ ଜୟା ଜେଟଲୀଙ୍କ କାର୍ଯ୍ୟବଳ କେମିତି ବୁଝିଛି କେଜାଣି? ଆରେ ବାବୁ, ତୋଟାରେ ଫଳିଥିବା ସବୁ ଗଛର ସବୁ ଆମ୍ବ ଏକ ସମୟରେ କୁ ପାଚେ? ଗଛ ପାଚିଲା ଆମ୍ବର ସ୍ବାଦ କାରବାଇଟ ଆମ୍ବରେ କାଇଁ? ଫଳ ତୋଳିବ ଫଳର ‘ପାକଳ’କୁ ଦେଖି। ମାଙ୍କଡ଼ ଖାଇଯାଉଛନ୍ତି, ଚୋରି ହୋଇଯାଉଛି ବୋଲି, ଆହୁରି ପାଚି ନ ଥିବା ଆମ୍ବକୁ ତୋଳି ତା’ ମୁଣ୍ଡିରେ କାରବାଇଟ ଲେସିଲେ, ସିଏ ପାଚିବ, ମାତ୍ର ଗଛ ପାଚିଲାର ସ୍ବାଦ ଏଥିରେ କାଇଁ? ୟେ ଜେଟଲୀଙ୍କ କାରବାଇଟ ଆମ୍ବ।

ଆମ ଶାସ୍ତ୍ର କେବଳ ଲେଖିନି, ଏବେ ଏହା ଦେହରେ ମୁଣ୍ଡରେ ଭୋଗ ହୋଇଯାଉଛି। ‘‘ସଦ୍ୟ ଅନ୍ନ, ପକ୍ବ ଫଳ, ନାରୀ ପ୍ରଥମ ଯୌବନା, କାଳକ୍ଷେପ ନ କର୍ତ୍ତବ୍ୟଂ କିଂ କାଳେ କିଂ ଭବିଷ୍ୟତି’’। ବଢ଼ାଯାଇଥିବା ତଟକା ଭାତ, ପାଚିଲା ଫଳ ଓ ପ୍ରଥମ ଯୌବନ ତୁରନ୍ତ ଭୋଗ ନ କଲେ କେତେ ବେଳେ କ’ଣ ଘଟିବ କିଏ କହିବ? ତା’ପରେ ପାଠପଢ଼ା ଯେଣୁ ଏକୋଇଶ ବର୍ଷ ଯାଏ ଲମ୍ବି ଯାଇଛି, ଉଦ୍ଦାମ ଯୌବନର ସାଧନାକୁ, ସମ୍ଭାରକୁ ସିଏ ଆଉ ତିନିବର୍ଷ ବଢ଼େଇ ଦେଲେ। ଆରେ ଇଏ କି ପାଠପଢ଼ା? ଏଠି ପରା ମେଞ୍ଚଡ଼ ପିଲେ ଇସ୍କୁଲ ପରିସ୍ରାଗାରରେ କୁକର୍ମ ପ୍ରୟାସୀ ହେଲେଣି। ମୋବାଇଲ ଫୋନ୍‌ରେ ଦିନ ରାତି ମୈଥୁନ କ୍ରିୟା ତାଲିମ ବାପ ମା’ଙ୍କ ଜାଣନ୍ତରେ ନେଉଛନ୍ତି, ବାପ ମା’ଙ୍କର ଏଙ୍କ ଉପରେ କୋଉ ନିୟନ୍ତ୍ରଣ ରହୁଛି? ଏବେ ଆମ ବେପାରପତ୍ର ଭାଇମାନେ ଲେଖିଥିଲେ, ଏମିତି ପୁଅଠାରୁ ମା’ ମୋବାଇଲ ଫୋନ୍‌ ନେଇଯିବାରୁ ସେ ଆତ୍ମହତ୍ୟା କଲା। ହେଜ ଏବେ ଚଉଦ ବର୍ଷର ଏ ଟୋକାର ଭେଜା ଚେତନତା? କ’ଣ କହିବେ ଜେଟଲୀ ମାଡାମଙ୍କ କାର୍ଯ୍ୟବଳ? ପାଠପଢ଼ାରେ ଏ ବୟସ ସୀମା କୁଆଡ଼େ ବାଧକ ହୋଇଛି। ଛ’ ଅନ୍ଧ ହାତୀ ଦେଖି ତା’ର ବିବରଣୀ ଦେଲା ପରି ଏକୁ ‘ଉଦ୍ଭଟତା’ ଅତି କମ୍‌ରେ କୁହାଯାଇ ପାରିବ। ସମସ୍ତଙ୍କୁ ଶୀର୍ଷଶିକ୍ଷା ଦେବାରେ ନା’ ସରକାରଙ୍କର ନା’ ସବୁ ପରିବାରର ଅଛି। ପଢ଼ାଖୋର ମେଧାବୀ ଛାତ୍ର ବା ଛାତ୍ରୀ ପଢ଼ା ମଝିରୁ ବିବାହରେ ମାତନ୍ତି ନାହିଁ। ଯେଉଁଠି ଏମିତି ମେଧାବୀ ବା ପାଠଆଗ୍ରହୀଙ୍କ ବିବାହ ହୁଏ ସେଠି ସେମାନେ ବିଭା ପରେ ପଢ଼ିବାର ସର୍ତ୍ତ ରଖିଥା’ନ୍ତି। ପଢ଼ା ଓ ଚାକେରି କରିବାର ସର୍ତ୍ତ ଭିନ୍ନ ଭାବ ଓ ରୁଚି ଅନୁଗତ। ଏକୁ ଜେଟ୍‌ଲୀ ମାଡାମ ଫେଣ୍ଟାଫେଣ୍ଟି କରି ଦେଇଛନ୍ତି। ତା’ ପରେ, ଯେଉଁ ବାଳିକାକୁ ଅଷ୍ଟମ ଶ୍ରେଣୀଯାଏ ପଢ଼ାଇବାକୁ ବାପ ମା’ଙ୍କର ବି କ୍ଷମତା ନ ଥାଏ, ସେଠି ସେଇ ସୁନ୍ଦରୀ ନିରୀହା ବାଳିକାକୁ ଘରେ ଘଷି ପାରିବା କାମରେ ଏକୋଇଶ ବର୍ଷ ଯାଏ ଘୋଷାରିବା କୁ ଜ୍ଞାନ ବା ବ୍ୟବସ୍ଥାର କଥା? ଗରିବ ବାଳିକାଙ୍କ ଏ ଭରା ଓ ପୁଷ୍ପିତ ଯୌବନ ଆହୁରି ୮/୧୦ ବର୍ଷ ଯାଏ ଅନାହତ, ଅକ୍ଷତ ରହିବ ତ? ରହୁଛି କି? ବୟସ କ’ଣ ଏକମାତ୍ର ଏ ପୋଥି ବାଇଗଣ ପାଠପଢ଼ା ପାଇଁ ଉଦ୍ଦିଷ୍ଟ ବୋଲି ଏ କାର୍ଯ୍ୟବଳ ଭାବିଛନ୍ତି?

ଜ୍ଞାନ ଓ ବିଦ୍ୟା ଯେ ଆଜିର ଏ ଶିକ୍ଷା ପଦ୍ଧତିରେ ନାହିଁ, ଏ କଥା ସେମାନେ ବୁଝି ନାହାନ୍ତି। ଏବେ ଦେଖୁନା, ଡଃ ସୁମିତ୍‌ ଓ ତପସ୍ବିନୀଙ୍କ ‘ହାଇଟେକ୍‌’ ପ୍ରେମ, ପ୍ରଣୟ ଓ ବିବାହ କଥା। ଦୁଇ ଅପରିପକ୍ବ ଓ ବାଡ଼ଲଙ୍ଘା ବ୍ୟକ୍ତିଙ୍କର ଏ ବ୍ୟକ୍ତିଗତ ଦୁରାଚାର ସମ୍ବାଦ ପ୍ରତିଦିନ କେମିତି ଏ ବେପାର ପତ୍ରରେ ଛାଇ ହୋଇଯାଉଛି! କେତେ ଅର୍ଥ, ସମୟ ଓ ସ୍ଥାନ ଏଥିରେ ଅପଚୟ ନ ହେଉଛି? ବି.ଏସ୍‌ସି. ନର୍ସିଂ ଭଳି ଗରୁଆ ପାଠ, ଦିହର ଅନ୍ଧିସନ୍ଧି ବିଷୟରେ ଢେର ଜ୍ଞାନ ଥିବା ଓ ତା’ଠୁ ଅଧିକ ଜ୍ଞାନ ଥିବା ଜଣେ ଡାକ୍ତର ଭିତରେ ପ୍ରେମ କିପରି ଏମିତି ଲୋକହସା ହେଲା ମ! ଏଙ୍କୁ ସିନା ଲାଜ ଲାଗୁନି, ସଭିଙ୍କ ଦିହ ମନ ଲାଜରେ ଜଡ଼ି ଯାଉଛି। ଏମାନଙ୍କର କ’ଣ ହିତାହିତ ଜ୍ଞାନ ନ ଥିବା ନାବାଳକତ୍ବ କି ବାଳିକାତ୍ବ କଟିନଥିଲା, ଜେଟଲୀ କମିଟି କହନ୍ତୁ। ଗୁଡ଼େ ମାଙ୍କଡ଼ ଏଇଲେ ଶାଳଗ୍ରାମ ଖଟୁଲି ଦାୟିତ୍ବରେ। ନଚାଇ ନଚାଇ ପ୍ରାଣ ନେବେ ହିଁ ନେବେ। ଦିନ ଦେଖିପାରୁ ନ ଥିବା ପେଚା ସମସ୍ତେ ନୁହନ୍ତି। ସମାଜବାଦୀ ପାର୍ଟି ନେତା ସାଂସଦ ଏସ୍‌ ହସନ ଏପରି ସଂଶୋଧନର ଘୋର ବିରୋଧ କରିଛନ୍ତି। ଝିଅ ବିବାହଯୋଗ୍ୟା ହେବା ମାତ୍ରେ ବିବାହ ନ ଦେଲେ, ପିଲେ ବିଶୃଙ୍ଖଳିତ ଓ ଅବାଟିଆ ହେବା କଥା ସେ ଯଥାର୍ଥରେ କହିଛନ୍ତି। ଅନୁ ଆଜ୍‌ମୀ ଓ ସୁଫିକର ରହେମାନ ମଧ୍ୟ ସେଇଭଳି ଏହାର ବିରୋଧ କରିଛନ୍ତି।

ମାତ୍ର ଭାରତୀୟ ସଂସ୍କାର ଓ ସଂସ୍କୃତିର ମନ୍ତ୍ରଦାତା ମୋଦିଜୀ କେମିତି ଏଭଳି ଉଦ୍ଭଟ ପରାମର୍ଶକୁ ଗ୍ରହଣ କରୁଛନ୍ତି, ତା’ କେବଳ ବିସ୍ମୟକର ଓ ଅବୋଧ୍ୟ। ୟେ କ’ଣ ‘ସାତ କଥାରେ ସତୀ’ ଭୁଲା ଭଳି ଗୋଟାଏ ଭ୍ରମ? କାମାତୁରତା ଓ ତଦୀୟ ଭାବର ପ୍ରସୂତିଶାଳା ଏ ସମାଜ ନ ବନୁ, ଏବେ ଯାହା ଘଟୁଛି। କୁହା ବି ଯାଇଛି, ‘‘କ୍ଷୁଧାତୁରାଣାଂ ନ ଚ ଶୁଦ୍ଧବୁଦ୍ଧିଃ, ତୃଷାତୁରାଣାଂ ନ ଚ ପାତ୍ର ଶୁଦ୍ଧି, ନିଦ୍ରାତୁରାଣାଂ ନ ଚ ଭୂମିଶଯ୍ୟା, କାମାତୁରାଣାଂ ନହି ଲୋକଲଜ୍ଜା।’’ କବିବର ବି ତ ଲେଖିଲେ, ‘‘ଯେ ଯେତେ ଦାମ୍ଭିକ ତା’ ଦମ୍ଭ ମୋତେ ଅଛଇ ଜଣା, ଫୁଲଶର ଆଗେ ପଡ଼ିଲେ ବୁଦ୍ଧି ହୁଅଇ ବଣା।’’ ତେଣୁ ଯେଉଁ ଆଳରେ ହେଲେ ବି ବହୁମୂଲ୍ୟବାନ ସୀମିତ ଯୌବନକୁ ଏମିତି ଅପ୍ରାକୃତ ଲମ୍ବେଇ ଦାରୁଣ ଦଂଶନ ଓ କାଳିମା ପାଇଁ ସୁଯୋଗ ସୃଷ୍ଟି ନ ହେଉ। ଏ ସୀମା ୧୬ ନୁହଁ କି ୨୧ ନୁହଁ, ପ୍ରକୃତି ବ୍ୟବସ୍ଥାରେ ଗୃହଯୋଗ୍ୟାର ପ୍ରାଥମିକ ଅବସ୍ଥାକୁ ଆଧାର କରାଯାଉ। ସେତେବେଳେ ତାକୁ ୧୩ ହେଉ କି ୧୬ ହେଉ, ସେ ନାବାଳିକା ଆଦୌ ନୁହଁ। ଇଏ ତ ବିଚାର। ଆଧୁନିକ ପଣ୍ଡିତେ ଗାଲୁ କରୁଥା’ନ୍ତୁ ଓ ପବିତ୍ରତା ବିହିନ ଦାମ୍ପତ୍ୟ କଳହରେ ଜର୍ଜରିତ ହେଉଥାଆନ୍ତୁ।

Comments are closed.