ଆଶଙ୍କାରେ ଉଦ୍ଭାବନ

“କୁଛ ପା’କର ଖୋନା ହୈ, କୁଛ ଖୋକର ପାନା ହୈ’’, ବହୁ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତଟିଏ। ସତରେ କିଛି ପାଇବାକୁ ହେଲେ କିଛି ହରେଇବାକୁ ହୁଏ। ଆଶା, ଅଭୀପ୍‌ସା ଓ କାମନାରେ ସଂଗ୍ରାମରତ ଏ ଜୀବନର ଇଏ ଗୋଟିଏ ନିଛକ ସତ କଥା। ତେଲଲୁଣ ବିଷୟାଭୂତ କାରବାର କଥା ଛାଡ଼, ଚେତନା କି ପ୍ରବଣତାର ହିସାବ ନଉନ। ଏ କଥାଟା ଶତକଡ଼ା ଶହେ ଠିକ୍‌। ଆଉ ଗୋଟେ ମଧୁ ବାରିଷ୍ଟର ଜନ୍ମ ଦେବାକୁ ଉତ୍କଳମାତାକୁ କେଜାଣି କେତେ ଶତାବ୍ଦୀ ଅପେକ୍ଷା କରିବାକୁ ହେବ! ହିମାଳୟ ଉତ୍ତୁଙ୍ଗ ଏଡ଼େ ବଡ଼ ବ୍ୟକ୍ତିତ୍ବ ଶେଷ ଜୀବନରେ ଦେବାଳିଆ ଘୋଷିତ ହେଲେ। କ’ଣ, ମଦ ଗଞ୍ଜେଇ ନିଶା କି ଅନ୍ୟ ହୀନ ଅଭ୍ୟାସରୁ ପଇସା ସବୁ ଉଡ଼େଇ ଦେଇ ଏ ଅବସ୍ଥା ପ୍ରାପ୍ତି ହେଲେ? ଆଦୌ ନୁହଁ, ଓଡ଼ିଆ ଜାତିକୁ ଜାଗ୍ରତ କରିବାକୁ, ବିଶ୍ବ ଦରବାରରେ ଓଡ଼ିଆଙ୍କୁ ପ୍ରତିଷ୍ଠିତ କରିବାକୁ ଓ ଏ ଆଶା ପୂରଣ ପାଇଁ ସେ ଜୀବନ ସାରା ସାଲିସହୀନ ସଂଗ୍ରାମ ଚଳେଇଥିଲେ।

ଏମିତି କି ଉତ୍କଳ ଟାନେରୀ ଚମଡ଼ା ଜୋତା କାରଖାନା କରି ତା’ର କିସମ ଓ ଗୁଣାତ୍ମକ ମୂଲ୍ୟ ଅତୁଟ ରଖିବାକୁ, ବହୁ ବ୍ୟାବସାୟିକ କାରସାଦି ସହ ଆଦୌ ସାଲିସ କଲେ ନାହିଁ। କୁ କାଳେ ଗ୍ରହାକି କି ସାଧାରଣ ଜନତା ଏ ସାଧୁତାକୁ ବୁଝେ? ବୁଝିଲେନି ବି। ‘ଉତ୍କଳ ଟାନେରୀ’କୁ ସ୍ବଚ୍ଛ ଓ ଉଚ୍ଚ ମାନର କରି, କୋଣାର୍କ ତିଆରି କରିଥିବା ଓଡ଼ିଆ କାରିଗର ଓ କଳାକାରଙ୍କ ନୈପୁଣ୍ୟ ପ୍ରମାଣ ନିଶାରେ ସେ ଭୟଙ୍କର ଭାବେ ଋଣଗ୍ରସ୍ତ ହେଲେ। ବହୁ ଗରିବ ମେଧାବୀ ଛାତ୍ରଙ୍କୁ, ଅସହାୟ ମଣିଷକୁ ଆର୍ଥିକ ସାହାଯ୍ୟ ମଧ୍ୟ ତାଙ୍କ ଦେବାଳିଆର କାରଣ। କାଇଁ, କୁ ଛାତ୍ର କି ଜନତା କି ରାଜନ୍ୟ ବର୍ଗ ତାଙ୍କ ପିଠିରେ ପଡ଼ିଲେ? ମାତ୍ର ସେଥିପାଇଁ ସେ ବ୍ୟସ୍ତ ବା ଅନୁତପ୍ତ ନ ଥିଲେ। ତାଙ୍କ ସଂଗ୍ରାମ ଓ ମୂଲ୍ୟବୋଧଭିତ୍ତିକ ଭାବକୁ ସେ ଅାସ୍ବାଦୁ ଥିଲେ ଓ ତା’ ବଦଳରେ ଆର୍ଥିକ ଅନଟନ ତାଙ୍କୁ ବିଚଳିତ କରିନଥିଲା। ଇଏ ଜଣେ ବଡ଼ ଲୋକର ପାଇବା ଓ ହରାଇବାର କଥା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ପ୍ରତିଷ୍ଠା ପାଇଁ, ବ୍ରିଟିଶ ସରକାରର ନିକଟ ଓ ଗାନ୍ଧୀ-ଗୋପବନ୍ଧୁଙ୍କଠାରୁ ଦୂରତ୍ବର ତୀବ୍ର ତ୍ୟାଗ ଆଉ କିଏ ଅନୁଭବ କରିବ?

ମୀନାକୁ ସାଙ୍ଗମାନେ କେତେ ବୁଝାଇଲେ। ଦେଖ୍‌, ତୁ ପ୍ରତିଷ୍ଠିତ ନୈଷ୍ଠିକ ବ୍ରାହ୍ମଣ ଘରର ଝିଅ। ସୁନ୍ଦର ବି। ତତେ ତ ବହୁତ ଭଲ ବର ମିଳିବେ, ତୁ ବିନ ବାବୁକୁ ଛାଡ଼ିଦେ। ସେ ଯେତେ ଭଲ ଓ ଉଚ୍ଚ ଚାକେରି କଲେ ବି ରଜକ ଘରର। ତାକୁ ଏ ସମାଜ ଗ୍ରହଣ କରି ପାରିବନି। ଏ ରକ୍ଷଣଶୀଳତାର ସଂକୀର୍ଣ୍ଣତା ଆହୁରି ଭାଙ୍ଗିନି। ତତେ ତାଙ୍କ ଘରେ ବି କୋଉ ଗ୍ରହଣ କରିବେ? ତା’ର ଝୁଙ୍କ, ଯାହାହେଲେ ବି ମୁଁ ତାଙ୍କୁ ବିବାହ କରିବି। ବାପ ମା’ଙ୍କ ସ୍ନେହ, ସମାଜର ସ୍ବୀକୃତି, ସବୁକୁ ଧକ୍କା, ଧୋକା ଦେଇ, ସେ ଦିନେ ରାତିରେ ଘରୁ ଛୁ’। ତା’ ଶାଶୂଘର ଲୋକେ ଏବେ ବି ଗାଁରୁ ଆସି ଲୁଗା ନିଅନ୍ତି ସଫା କରିବାକୁ। ବିନବାବୁ, ପଙ୍କରେ ପଦ୍ମ ଫୁଟିଲା ପରି ଲୋକଟିଏ। ତାଙ୍କ ଚଉଦ ପୁରୁଷରେ କେହି ଏଡ଼େ ଚାକେରି କରିନି କି ଏବେ ନିକଟରେ କିଏ ବି ସେମିତି ଉତୁରିଲା ପରି ଦିଶୁନି। ବ୍ରାହ୍ମଣ ଘର ଝିଅକୁ ରଜକ ଘର କେମିତି ଗ୍ରହଣ କରିବେ? ସେ କାଢ଼ୁଥିବା ପାଣିରେ କେମିତି ଗୋଡ଼ ଧୋଇବେ, କହି ଜିଭ କାମୁଡ଼ି ପକାଉଥାନ୍ତି। ଗାଁର ଅବଧାନ କହିଲେ, ‘‘ତମ ଘର ଉପରେ ପେଚା ବସିଲା ଜାଣ। ଘୋର ଅନ୍ୟାୟ ତମେ କଲ। ଦେଖ, ତାକୁ କେବେ ହଜମ କରି ପାରୁଛ କି? ଶଳେ ଖାଲି ଛେରି ହେବ।’’

ସତକୁ ସତ ମୀନା ଶାଶୂଘରେ ଅଣନିଃଶ୍ବାସୀ ହୋଇଗଲା। ତାକୁ ତା’ ବରକୁ ଦେଖେଇ ଶିଖେଇ କେତେ କଥା ସବୁ କହିଲେ। ମୀନା, ତା’ ବର, ମନର ପୁରୁଷକୁ, ଧାରଧାର ଲୁହରେ ଏ କଥା ସବୁ କହି, ତାକୁ ସଙ୍ଗରେ ବାଙ୍ଗାଲୋର ନେବାକୁ କାକୁତି ମିନତି ହେଲା। ତାଙ୍କର ଗୋଟିଏ କଥା ‘‘ଏବେ ନୁହଁ, ଟିକିଏ ଅପେକ୍ଷା କର।’’ ଏମିତି କହୁ କହୁ କହିପକେଇଲେ ଯେ, ‘‘ଏ ବିବାହ ଆମର ଅନୁଚିତ ଥିଲା।’’ ସ୍ତବ୍ଧ ହୋଇଗଲା ମୀନା। ‘‘ପ୍ୟାର କିୟା ତୋ ଡର୍‌ନା କ୍ୟା ନିଶା’’, ବାଲିଘର ପରି ଭୁଶୁଡ଼ି ପଡ଼ିଲା। ରାତି ତିନିଟାରୁ ସେଦିନ ତା’ ବର ବାଙ୍ଗାଲୋର ତାକୁ ଛାଡ଼ିଦେଇ ଗଲେ। କହିଲେ ‘‘ତମେ ଟିକେ ଘରେ ଆଡ୍‌ଜଷ୍ଟ କର, ପ୍ଲିଜ୍‌’’। ଗଲାବେଳେ ବି ସେ ପଛକୁ ଟିକେ ବି ଫେରି ଚାହିଁଲେନି। ଏ ପାଇବାରୁ ତା’ ହରେଇବା ଢେର ଅଧିକ ଥିଲା ବୋଲି ସେ ଭାବିଲା ବେଳକୁ ଲେଡ଼ି ଗୁଡ଼ କହୁଣିକି ବୋହି ଯାଇଥିଲା। ଆଲୋ, ହିନ୍ଦୀ ଗୀତକୁ ଘୋଷୁଥା’। ଆରେ ପାଇଲେ, ହରେଇବାଟା ସତ କଥା। ମାତ୍ର ତା’ ଭିତରେ ଇନ୍ଦ୍ରିୟ ଓ ପ୍ରବଣତାର ପ୍ରବଳତା ପଶିଗଲେ ତମେ ଏ ପାଇବା ଓ ହରେଇବାର ସନ୍ତୁଳନକୁ ହରେଇଦେବ।

ଗୋପବନ୍ଧୁ, ତାଙ୍କ ଯୌବନରେ ବିପତ୍ନୀକ ହୋଇଥିଲେ ବି ଆଉ ଦ୍ବିତୀୟ ବିବାହ କରି ନ ଥିଲେ। ସେ ଲେଖିଲେ, ‘‘ରହିଣ ଜଞ୍ଜାଳ-ବିଷମ ଜଗତେ, ସଂସାରୀ ସୋଦର ବାନ୍ଧବ ସଙ୍ଗତେ, ଇଚ୍ଛାମତେ କାହୁଁ ଚଳିବ ବା ଜନ, ସମାଜେ ନିଜର ନୁହେଁ ନିଜ ମନ।’’ ଭାଙ୍ଗ, ସମାଜର ନୀତି ନିୟମକୁ। ତା’ ମନର ପୁରୁଷକୁ ପାଇବାକୁ, ଏକମାତ୍ର ଏଇ ଗେହ୍ଲା ଝିଅ ତା’ ବାପ ମା’ଙ୍କ ଆଘାତ ପାସୋରି ଦେଇଥିଲା। ଶୁଣିଥିଲା ସେଦିନ ତା’ ବାପା ତାକୁ ଶୁଦ୍ଧି ହେଲେ, ବ୍ରାହ୍ମଣ ଶାସନ ଗୋସେଇଁମାନଙ୍କ ଜିଦ୍‌ରେ। ବର ତା’ର ତା’ ଭଲପାଇବାକୁ ଅନୁଚିତ କହି ଚାଲିଗଲେ। ସବୁଠୁ ତାକୁ ଭଲ ପାଉଥିବା ବାପା, ଲୁହ ଆଖିରେ ତାକୁ ଶୁଦ୍ଧି ହେଲେ। କାନ୍ଥ ଘଣ୍ଟାକୁ ଚାହିଁଲା ତିନିଟା ବାଜିଛି, କ୍ରମେ ରାତି ସରିସରି ଯାଉଛି। ସକାଳ ସୂର୍ଯ୍ୟ ତାକୁ ଆହୁରି ଯାତନା ଦିନଟା ଯାକ ଦେବେ। ତେବେ ଏବେ ଯିବ କୁଆଡ଼େ? ଏତେବେଳକୁ ମନେ ପଡ଼ିଲା, ପ୍ରଭୁଙ୍କ କଥା। ଭାବିଲା, ସମସ୍ତଙ୍କ ପ୍ରିୟ, ଆଶ୍ରୟ ସ୍ଥଳ ତା’ ପ୍ରଭୁଙ୍କ ପାଖୁ ଫେରିଯିବ। ଏ ରାତି ତା’ ପାଇଁ ସରିଯିବାକୁ ଦେବନି। ତା’ ବି କଲା। ପାଅ, ପାଇବାର ଏ ନୂଆ ଗୁଳାକୁ ସମ୍ଭାଳିବାର ବଳ ଆଗ ଆକଳନ କର। ନୋହିଲେ ମିନି ପରି ଆଉ ଦିନ ଦେଖିବାକୁ ବି ମନ କରିବନି।

ପାଇବା ହରାଇବା ଭାବଟା ଆସିଲା, ମଣିଷକୁ ଏବେ ଜୀବନ ରକ୍ଷା ପାଇଁ ସହଜରେ ମିଳିଯିବାକୁ ଥିବା ଘୁଷୁରି କଲିଜା ପ୍ରସଙ୍ଗରୁ। ମଣିଷଠେଇ ପଶୁ ଶରୀରକୁ ବା ଅଙ୍ଗକୁ ଯୋଡ଼ିବାଟା କିଛି ନୂଆ କଥା ନୁହଁ ଏ ଭାରତୀୟ ସନାତନ ସଂସ୍କୃତି ବିଶ୍ବାସୀଙ୍କ ପାଇଁ। ଆହେ, ଆମ ଗଣେଶଙ୍କୁ ଦେଖୁନା, ସବୁ ପୂଜାରେ ଅଗ୍ରପୂଜାର ଦେବତା, ବିଘ୍ନ ବିନାଶକ। ତାଙ୍କ ମୁଣ୍ଡଟା ତ ହାତୀର। ୟେ ପୁଣି କଟା ମୁଣ୍ଡରେ ଯୋଖା ଯାଇଛି। ସେମିତି ଦକ୍ଷ ପ୍ରଜାପତିଙ୍କୁ ଦେଖୁନା, ଛେଳିମୁଣ୍ଡ ତାଙ୍କଠି ଯୋଖା ଯାଇଛି ନା ନାହିଁ ମ! ମହିଷାସୁର ମଇଁଷି ମୁଣ୍ଡର ହୋଇ ଆସିଥିଲା। ଦୁର୍ଗାଙ୍କ ପାଖେ ମୁଣ୍ଡ କଟିଗଲା ପରେ ତା’ ପ୍ରକୃତ ମୁଣ୍ଡରେ ଲଢ଼ିଥିବା କଥା ତ ପୁରାଣ ପ୍ରସିଦ୍ଧ। ହାତୀମୁଣ୍ଡର ଶ୍ରୀଗଣେଶ ଓ ଛେଳି ମୁଣ୍ଡର ଦକ୍ଷ ପ୍ରଜାପତି ଆଦିଙ୍କ କଥାକୁ ଯେଉଁମାନେ ଉପହାସ କରି ଉଡ଼େଇ ଦେଉଥିଲେ, ସେମାନେ ଏବେ କ’ଣ କହୁଛନ୍ତି? ଆମ ପାଇଁ ଇୟେ ‘ୟୁରେକା’ ନୁହଁ, ବରଂ ନିରୀହ ପଶୁ ଜଗତ ପ୍ରତି ୟେ ଆଉ ଏକ ବିପତ୍ତି। ଦେଖୁନା ଏବେ କିଡ୍‌ନୀ ପ୍ରତିରୋପଣରେ ସଫଳତା ମିଳିବା ପରେ, ନିରୀହ, ସରଳ ମଣିଷଟିଏ ପାଇଁ ଆଉ ଏକ ବିପତ୍ତି ସୃଷ୍ଟି ହୋଇଗଲା।

ପଇସାବାଲା ଲୋକ ବେକାର, ଦରିଦ୍ର ଯୁବକର କିଡ୍‌ନୀ ନେଇ ତା’ ଜୀବନକୁ ମାଟି କରିବା ପରି, କୌଣସି ରୋଗରେ ଡାକ୍ତରଖାନାରେ ପଡ଼ିଥିବା ରୋଗୀର ଅନ୍ୟ ଅ‌େସ୍ତ୍ରାପଚାର ବେଳେ ମଧ୍ୟ କିଡ୍‌ନୀ ଉଠାଇ ନେଲେ। ଓଃ କି ପାଶବିକତା, ବର୍ବରତା! ଅବସ୍ଥା ଏପରି ହେଲା ଯେ ସରକାର କିଡ୍‌ନୀ ପ୍ରତିରୋପଣ ପାଇଁ ଆଇନ କଲେ। ଜଣେଅଧେଙ୍କ ଏ ରୋଗ ମାନବିକତା ଉପରେ ପ୍ରଶ୍ନ ଉଠାଇଲା ପରି ଏବେ ନିରୀହ ପଶୁମାନେ ଏମିତି ମୃତ୍ୟୁର ଶିକାର ହେବେ କି ନାଇଁ ମ? ସନାତନ ସଂସ୍କୃତିରେ, ବଳି ଦିଆଯାଉଥିବା ଜୀବର ପୁନଃ ପ୍ରାଣ ପ୍ରତିଷ୍ଠା କରାଯାଇ ପାରୁଥିଲା। ଏ ପଶୁଙ୍କ ଜୀବନ ବଳି ଦେଉଥିବା ମଣିଷ, ସଂସ୍କୃତିର ‘ଜୀବେ ଦୟା’ ଭାବ ବି ଅନାହତ ରହୁଥିଲା। ସରକାର ବି ମନ୍ଦିରରେ ବଳିପୂଜା ବିରୁଦ୍ଧରେ କଡ଼ା ଆଇନ କରିଛନ୍ତି। ସ୍ବୀୟ ଜୀବନ ରକ୍ଷା ପାଇଁ ନିର୍ଦୋଷ ଜୀବନ ବଳି ପକାଇବା ଭଳି ସ୍ବାର୍ଥାନ୍ଧ କାର୍ଯ୍ୟ ‘ୟୁରେକା’ ନୁହେଁ।

ଏଠି କିଛି ପାଇବାଠୁ ହରେଇବା ଭାରି ପଡ଼ିଯାଇଛି। କୌଣସି କ୍ଷମତା, ଜ୍ଞାନ ବା ଉଦ୍ଭାବନ ଅନ୍ୟର ବିନାଶର କାରଣ ହେଲେ ତା’ ‘ଆସୁରୀ’ ବୋଲି କୁହାଯାଏ। ପରମାଣୁ ବୋମା ଯାହା ସୂତ୍ର ଉପରେ ଉଦ୍ଭାବିତ ହେଲା, ନିୟୁଟନ, ସେ କ’ଣ ସେତେବେଳେ ଜାଣିଥିଲେ ଯେ ଏହା ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ପ୍ରାଣହାନିର କାରଣ ହେବ? ସେ ବି ପରବର୍ତ୍ତୀ ସମୟରେ ଏ ଉଦ୍ଭାବନକୁ ନେଇ ଦୁଃଖିତ ହୋଇଥିଲେ। କହିଲେ, ‘‘ଏ ଉଦ୍ଭାବନ ଯଦି ଏଭଳି ଦାରୁଣ ନରସଂହାର କରିବ ବୋଲି ଜାଣିଥାନ୍ତି, ଏଥିରେ ଆଦୌ ପ୍ରବୃତ୍ତ ହୋଇନଥାନ୍ତି।’’ ପଶୁ ଦେହର ଅଙ୍ଗ ଯଦି ମଣିଷ ଠେଇ ଯୋଖା ଯାଇ ପାରିଲା, ମଣିଷ ଅଙ୍ଗ ପଶୁଠେଇ ବି ଯୋଡ଼ା ଯାଇ ପାରିବ। ୟେ ଅବାନ୍ତର ଶୁଣାଯାଉଛି। ଏବେ ଦେଖୁନା, ପୋଷା କୁକୁରଟେ ତା’ ମୁନିବଙ୍କ ନ’ବର୍ଷର ଝିଅଠି ସହବାସ କରି ତାକୁ କୁଆଡ଼େ ରକ୍ତାକ୍ତ କରିଦେଲା। ପୁଣି କେତେକ କହିଲେ, ଏଙ୍କର ଡି.ଏନ୍‌.ଏ. ପରୀକ୍ଷା ହେଲେ ଦୋଷୀ ମଣିଷଟି ଏ ନିରୀହ କୁକୁରକୁ ଦୋଷ ଦେଇ ଖସିଯାଉଛି କି ନାହିଁ ଜଣାଯିବ। ‘‘କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ…’’ ସେଦିନ ଆସୁଛି ପ୍ରାୟ, ନିଜ ଦାମୀ ପୋଷା କୁକୁର ଆଗରେ ଚାକର ବାକର ଆଦିଙ୍କୁ ହୀନ ମଣୁଥିବା ସାହେବୀ ମଣିଷଗୁଡ଼ା, ନିଜ ପ୍ରିୟା କୁକୁର ଜୀବନ ପାଇଁ ମଣିଷ ଅଙ୍ଗ ପ୍ରତ୍ୟଙ୍ଗକୁ ଯୋଖିବ। ସେତେବେଳେ ବୁଝିଯିବ, ଏ ଉଦ୍ଭାବନର ମଜା। ତେଣୁ ଏପରି ସଫଳତା ହାସଲ କରିଥିବା ବିଶେଷଜ୍ଞମାନଙ୍କୁ ପ୍ରଣିପାତ କଲାବେଳେ, ତାଙ୍କ ଉଦ୍ଭାବନର ଦୁରୁପଯୋଗ ନ ହେଉ। ‘ଜୀବେ ଦୟା’ ଭାବ ଅତୁଟ ରହୁ, ଆଶା ଭିତରେ ଏତିକି ମାତ୍ର ଆଶଙ୍କା। ଜୟ ଜଗନ୍ନାଥ।

Comments are closed.