ସ୍ଖଳିତ ସଂସ୍କୃତି

ବାଟ ଖୋଜିବା ଓ ଠିକ୍‌ ବାଟ ପାଇବା ପ୍ରଭୁ କୃପା ଓ ବ୍ୟକ୍ତିତ୍ବ ଅନ୍ତର୍ଗତ କଥା। ମଇଳା ମନ ଓ ଭାବ, ବାହାରକୁ ଯେତେ ଚିକିମିକି ଦିଶୁଥିଲେ ବି ଠିକ୍‌ ମାର୍ଗ ବା ବାଟରେ କୁ ପଡ଼ିଥାଏ? ତେବେ ବାଟ, ବାଟ ଖୋଜା ଓ ପାଇବାର ସଙ୍କଟ ଓ କ୍ଳିଷ୍ଟତାର ଏକ ସମାଧାନ ଧର୍ମରାଜ ଯୁଧିଷ୍ଠିର ମହାରାଜ, ଧର୍ମବକଙ୍କ ପ୍ରଶ୍ନ, ‘‘କା ପନ୍ଥାଃ’’ର ଉତ୍ତରରେ ଦେଇଥିଲେ। ସେ କହିଲେ, ‘‘ମହାଜନଃ ଯେନ ଗତଃ ସ ପନ୍ଥାଃ’’। ଗୀତାରେ କୃଷ୍ଣ ବି ସେଇକଥା ପରୋକ୍ଷରେ କହିଲେ, ‘‘ଯଦ୍‌ ଯଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ। ସ ଯତ୍‌ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ।।’’ ଏବେ ପ୍ରଶ୍ନ ଉଠେ ମହାଜନ କିଏ? ୟା’ର ଏକ ସରଳ ଉତ୍ତର ହେଲା ସମାଜରେ ସ୍ବୀକୃତ ଓ ପ୍ରତିଷ୍ଠିତ ପ୍ରଜ୍ଞାଶୀଳ ବ୍ୟକ୍ତିତ୍ବ, ସର୍ବୋଚ୍ଚ ଶାସନାଧିକାରୀ। ‘‘ମୁନି ଗୋଟିକେ ମତ ଗୋଟିଏ’’। କଥାଟା ସତ ହେଲେ ବି ୟେ ମାର୍ଗର ଯଥାର୍ଥତାକୁ କୋଉ ଅବୋଧ୍ୟ କରେ? ବୁଦ୍ଧ, ଯିଶୁ, ମହମ୍ମଦ ପ୍ରମୁଖ ଧର୍ମ ପ୍ରବର୍ତ୍ତକଙ୍କ ଲକ୍ଷ୍ୟ ତ ଗୋଟିଏ। ‘‘ଦଉଡ଼ି ବାଉଁଶ ନଈ, ଛାତ ଉପରକୁ ବାଟ ଅଟଇ, ମୋ ବାଇଧନ, ଧର୍ମଯାକ ବାଟ କହି।’’ ରୁଚି ଅନୁଯାୟୀ ଯାହାକୁ ଯୋଉ ବାଟ ସୁଖ ଲାଗିଲା ସେ ସେବାଟରେ ଯାଉ, ଯାଇଛନ୍ତି ଓ ଯାଉଛନ୍ତି ମଧ୍ୟ। ଏବେ ବି ଅନୁକୂଳଚନ୍ଦ୍ର, ସତ୍ୟସାଇ ପ୍ରମୁଖ ମହାତ୍ମା ହିନ୍ଦୁ ଧର୍ମାନୁଗତ ହେଲେ ବି ଉପାସନା, ଚଳଣିର ଭିନ୍ନ ଭିନ୍ନ ମାର୍ଗ ପ୍ରଦର୍ଶନ କରିଛନ୍ତି ଓ ଯାହାକୁ ଯାହା ରୁଚିଲା ଲୋକ ତଦନୁସାରେ ପ୍ରବୃତ୍ତ ହେଉଛନ୍ତି। ଲୋକ ମତ କେମିତି ବଦଳୁଛି ତା’ର ଏକ ବୌଦ୍ଧିକ ଉଦ୍ଧୃତି ଏଠାରେ କରାଯାଉଛି।

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ବେଳେ ପୁରୀ ବୀରହରେକୃଷ୍ଣପୁର ବ୍ରାହ୍ମଣ ଶାସନରେ ସେ କେତେକ ପଣ୍ଡିତଙ୍କ ସହ ପଞ୍ଚସଖା ନୀଳକଣ୍ଠଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ସେ ସଭାକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କବିଚନ୍ଦ୍ର ପଣ୍ଡିତ ଭୁବନେଶ୍ବରଙ୍କୁ ଗାନ୍ଧୀ, ତାଙ୍କର ହରିଜନ ଆନ୍ଦୋଳନ ବିଷୟରେ ମତ ପଚାରିବାରୁ ସେ କହିଥିବା ବକ୍ତବ୍ୟର ଇଏ ଅଂଶ, ଉଦ୍ଧୃତି ମାତ୍ର। ‘‘ବର୍ତ୍ତମାନ ଧର୍ମର ସ୍ବରୂପ ଦେଖାଯାଉ। ‘‘ଧର୍ମସ୍ୟ ତତ୍ତ୍ବଂ ନିହିତଂ ଗୂହାୟାଂ, ମହାଜନଃ ଯେନ ଗତଃ ସ ପନ୍ଥା।’’ ସ୍ଥୂଳ ଅର୍ଥ ହେଲା, ଧର୍ମତତ୍ତ୍ବ ଗହନ; ସାଧାରଣ ବୋଧଗମ୍ୟ ନୁହେଁ, ତେଣୁ ମହାତ୍ମାଙ୍କ ଆଶ୍ରିତ ପନ୍ଥା ହିଁ ଧର୍ମ ମାର୍ଗ, ତାହା ହିଁ ମଧ୍ୟ ଘଟୁଚି। ବୈଦିକ ସଭ୍ୟତାର ବହୁକାଳ ପରେ ପୌରାଣିକ ବ୍ରାହ୍ମଣ୍ୟ ଧର୍ମ ବା ଯଜ୍ଞ-ପ୍ରଧାନ ଧର୍ମର ପ୍ରଚଳନ ହେଲା। ଯଜ୍ଞ ନାମରେ ପଶୁ ହତ୍ୟା ହେଲା, ଆବିର୍ଭାବ ହେଲା ଜୀବହିଂସାରେ ବ୍ୟଥିତ ବୁଦ୍ଧଦେବଙ୍କର। ରାଜା-ପ୍ରଜା ବୌଦ୍ଧ ହେଲେ। ଭାରତ ବାହାରକୁ ବ୍ୟାପିଗଲା ଏ ଧର୍ମ। ଜନତା ମଧ୍ୟ ଏହାକୁ ଆଦର କଲା। କେତେ ଶତାବ୍ଦୀ ପରେ ଆବିର୍ଭାବ ହେଲା ଆଚାର୍ଯ୍ୟ ଶଙ୍କରଙ୍କର। ବେଦାନ୍ତ ମତ ପ୍ରଧାନ ଧର୍ମର ପ୍ରଚାର ହେଲା। ସବୁଧର୍ମର ଅସ୍ତକାଳ ପରି ବୌଦ୍ଧ ଧର୍ମରେ କଳୁଷତା ପ୍ରବେଶ କରିଯାଇଥିଲା। ବୌଦ୍ଧ ଧର୍ମକୁ ବେଦବିରୁଦ୍ଧ ନାସ୍ତିକ କୁହାଗଲା। ପୁଣି ସେହି ଜନତା ନୂତନ ଧର୍ମକୁ ସ୍ବାଗତ କଲା। ଫଳରେ ଏ ଭୂମିରୁ ନିର୍ବାସିତ ହୋଇଗଲା ବୌଦ୍ଧ ଧର୍ମ। କେତେ ଶତାବ୍ଦୀ ଏହିପରି ଚାଲିବା ପରେ ଶ୍ରୀଚୈତନ୍ୟଙ୍କର ଆବିର୍ଭାବ ହେଲା। ସେ ଭକ୍ତିପ୍ରଧାନ ଭାଗବତ ଧର୍ମର ପ୍ରଚାର କଲେ। କହିଲେ, ‘‘ଆଚାର୍ଯ୍ୟ ନିଜ ଉଦ୍ଦେଶ୍ୟ ସିଦ୍ଧି ଓ ବୌଦ୍ଧଧର୍ମର ନିରାକରଣ ପାଇଁ ବେଦର ଅର୍ଥ କରିଚନ୍ତି, ଯାହା ଯଥାର୍ଥ ନୁହେଁ।’’ ସେହି ଜନତା ପୁଣି ଏହି ମତକୁ ସ୍ବାଗତ କଲା। ଆକୁମାରୀ ହିମାଳୟ ନାମ ସଂକୀର୍ତ୍ତନରେ ମତ୍ତ ହେଲା।’’

ଏବେ ଚଳଚ୍ଚିତ୍ର ତାରକା, କ୍ରିକେଟ ଖେଳାଳି ଓ ରାଜନେତାମାନେ ଆଦର୍ଶ ବା ପନ୍ଥା ନିର୍ଦ୍ଧାରକ ହେଉଛନ୍ତି। ତଦନୁସାରେ ଫଳ ବି ଫଳୁଛି। ଏବର ବର୍ଦ୍ଧିଷ୍ଣୁ ହତ୍ୟାକାଣ୍ଡ, ହିଂସା ଓ ଧର୍ଷଣ ଆଦିର କାରଣ ଖୋଜିଲେ, ଏହା ଶାସନଚକ୍ର ଓ ଶାସକଙ୍କ ଆଡ଼କୁ ମୁହାଁଏ। ଜଣେ ରେଜିଷ୍ଟ୍ରିବିଭା ମହିଳା, ରେଜିଷ୍ଟ୍ରିର ବହୁ ମାସ ପରେ ଚଉଠି ରାତି ବୋହୂ ବେଶ ହୋଇ, ଶ୍ବଶୁର ଘର ଦ୍ବାର ବନ୍ଧରେ ଧାରଣା ଦେଲେ। ତାଙ୍କ ଡାକ୍ତର ସ୍ବାମୀ ତାଙ୍କୁ ଆଉ ଗ୍ରହଣ ନ କରିବାରୁ ସେ ଏ ପନ୍ଥା ଗ୍ରହଣ କଲେ ବୋଲି ବୟାନ ଦେଲେ। ସତେ ଯେମିତି ସେ ଶ୍ବଶୁରଙ୍କ ଅନୁମତିରେ ଓ ସ୍ବୀକୃତିରେ ଏ ବିବାହ କରିଥିଲେ! ତା’ ପରେ କଥା ଅଦାଲତକୁ ଗଲା। ମାନନୀୟ ଅଦାଲତ ବି ସ୍ବତନ୍ତ୍ର ବାସର ରାତି ଡାକ ବଙ୍ଗଳାରେ ବ୍ୟବସ୍ଥା କଲେ। ଶେଷରେ ଶ୍ବଶୁର ଘରେ ସେ ରହିପାରିବେ ବୋଲି ମାନ୍ୟବର ଅଦାଲତ ରାୟ ଦେଲେ। ଏମିତି ମହିଳାଙ୍କ ପାଇଁ ଇୟେ ବଡ଼ ଉତ୍ସାହପ୍ରଦ ରାୟ। ସେ ଏବେ ଶ୍ବଶୁର ଘରେ ପ୍ରଶାସନର ବଳରେ ପ୍ରବେଶ କଲେ। ଶ୍ବଶୁର କିନ୍ତୁ ରାତିରେ ଘର ଛାଡ଼ିଦେଲେ ବୋହୂ ଡରରେ। କାଳେ ସେ ଆଉ କୋଉ ଦଫା ଲଗାଇ ତାଙ୍କ ନାଁରେ ଏତେଲା ଦେଇଦେବେ, ସିଧା ଜିଅଲକୁ ଯିବେ। ତାଙ୍କୁ ଦେଖାଦେଖି ଉତ୍ସାହିତ ହୋଇ ଆଉ ଜଣେ ମହିଳା ନିଜ ହକ୍‌ ପାଇବା ପାଇଁ ସ୍ବାମୀଙ୍କ ଦୋକାନ ଆଗରେ ଏବେ ଧାରଣା ଦେଉଛନ୍ତି ବିଧବା ମା’ଙ୍କ ସହ। ପୁଲିସ ଆସି ଦୋକାନ ବନ୍ଦ କରି ଦୁହିଁଙ୍କି ଥାନାକୁ ନେଇଛନ୍ତି। ମହିଳାଙ୍କ ଦେଢ଼ଶୁର କହିଛନ୍ତି ଯେ ଏ ବିଚ୍ଛେଦ ମାମଲା ଅଦାଲତରେ ଚାଲିଥିବା ବେଳେ ଇଏ କାହିଁକି ଧାରଣାରେ ଏଠି ବସିଛନ୍ତି? ଅବଶ୍ୟ ୟେ ଶ୍ବଶୁର ଘର ଆଗରେ ନ ବସି ସ୍ବାମୀଙ୍କ ଦୋକାନ ଆଗରେ ବସିଛନ୍ତି। ଘଟଣା ଯେଭଳି ଗତି କରୁଛି ଓ ‘ତାମସା’ ଢଙ୍ଗୀୟ ହେଉଛି ସେଥିରେ ଏଭଳି ଘଟଣାମାନ ଲଜ୍ଜାହୀନ ଭାବେ ବଢ଼ିଚାଲିବ। ଶ୍ବଶୁର ଘରର ଅର୍ଗଳକୁ ଡେଇଁ କୋଉ ସ୍ବାମୀ ପରିତ୍ୟକ୍ତା ମହିଳା ଯେ ଶ୍ବଶୁର ଘର ଚାଳ ମଥାନ ଉପରେ ନ ବସିବ, ତା’ପରେ ତାକୁ ତଳକୁ ଓହ୍ଲାଇବାକୁ ଫାୟାର ବ୍ରିଗେଡ (ଦମକଳ ବାହିନୀ)କୁ ଡକାଯିବା ଅବସ୍ଥା ଯେ ନ ହେବ କିଏ କହିବ? ଶ୍ରୀରାମ ନିର୍ଦୋଷ ପତ୍ନୀଙ୍କୁ ବଣକୁ ତଡ଼ିଦେଲେ। ସେ କୋଉ ଫେରିଆସି ଧାରଣା ଦେଲେ ନା ମୁନିଙ୍କ ଘରେ ପହଞ୍ଚିଲେ। ନିର୍ଦୋଷ, ଇନ୍ଦ୍ରଙ୍କ କପଟତାର ଶିକାର ସ୍ତ୍ରୀ ଅହଲ୍ୟାଙ୍କୁ ପ୍ରତ୍ୟାଖ୍ୟାନ କରି ସ୍ବାମୀ ଗୌତମ କଠୋର ଦଣ୍ଡ ଦେଲେ। ଖରା ବର୍ଷାରେ ପଥର ପରି ପଡ଼ି ରହିବାର ଆଦେଶ ଦେଲେ। ସେ ବି ସତରେ ପଡ଼ି ରହିଲେ ଓ ରାମରାମ ଜପି ଦସ୍ୟୁ ରତ୍ନାକର ଉଇ ହୁଙ୍କା ବନିବା ପରି ପଥର ବନିଗଲେ। ସେତେବେଳେ ଅବଶ୍ୟ ସ୍ବାମୀ ପ୍ରତ୍ୟାଖ୍ୟାନର ଉଦାହରଣ କାଁ ଭାଁ ଥିଲା। ଆଜିକାଲି ପରି ହାଉଯାଉ କାଇଁ ଥିଲା?

ଦି’ ମହିଳାଙ୍କ ଲକ୍ଷ୍ୟ ଅବଶ୍ୟ ଏକ, ମାତ୍ର ବାଟଟା ଟିକିଏ ଅଲଗା। ସେ ଯାହାହେଉ ଏମିତି ଘଟଣାମାନ ଏବେ ବଢ଼ି ଚାଲିବ। ଏକୁ କୋଉ ଅଦାଲତ କେତେ ରୋକିବେ, ନୈତିକ ସ୍ଖଳନ ଓ ପତନ ହେଲେ, ତାକୁ ରୋକିବା ବା ନିରାକରଣ ପନ୍ଥା ପୁଲିସି ବା ଆଇନବଦ୍ଧ ଆଦୌ ନୁହଁ।

ଏ ପ୍ରଶ୍ନ ସବୁ ଆସିଲେ ଆଙ୍ଗୁଠି ଉଠିଯାଏ ସରକାର ଓ ନେତାମାନଙ୍କ ଆଡ଼କୁ। ଆଦର୍ଶ, ସ୍ବଚ୍ଛତା ଓ ନୈତିକତାର ଧାର ଧାରୁ ନ ଥିବା ନେତାଙ୍କ ଜୀବନଶୈଳୀ ଓ ରୁଚିର ପ୍ରଭାବ ଦୃଢ଼ଭାବେ ଲୋକଙ୍କ ଉପରେ ପଡ଼େ ଓ ପଡ଼ୁଛି। ବୃଦ୍ଧ ବାପମା’ମାନଙ୍କ ପାଇଁ ବୃଦ୍ଧାଶ୍ରମ ନିର୍ମାଣ କ’ଣ ପ୍ରତିକାର କରି ପାରିବ? ସବୁ ପୁଅ ସବୁ ବାପାଙ୍କୁ ଏ ଆଦର୍ଶ ବୃଦ୍ଧାଶ୍ରମକୁ ତଡ଼ିଲେ, ସରକାର ଯୋଗାଇ ପାରିବେ ତ ବୃଦ୍ଧାଶ୍ରମ? ଏବେ କିନ୍ତୁ ଆସାମ ସରକାର ଆଉ ଏକ ପ୍ରୋତ୍ସାହନକାରୀ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବାପା ମା’ଙ୍କୁ ହତାଦର, ଅନାଦର କରିବାର ଏକ ଯୁଗରେ ଆସାମ ସରକାରଙ୍କ ଏ ଘୋଷଣା ‘‘ଲଙ୍କାରେ ହରି ଶବ୍ଦ’’ ପରି ବିସ୍ମୟକର ବି ହୋଇଛି। ବାପାମା’ଙ୍କ ସେବା ପାଇଁ ପ୍ରତି ମାସରେ ଚାରିଦିନ ଛୁଟି ପୁଅବୋହୂଙ୍କୁ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଏଭଳି ମନୋଭାବ ଓ ବ୍ୟବସ୍ଥା ଆମ ସଂସ୍କୃତି ଓ ସଂସ୍କାର କଥା ମନେ ପକାଇ ଦେଇଛି। ସାଧୁବାଦର ପାତ୍ର, ମାତ୍ର ୟେ କଣା ମାଠିଆରେ ପାଣି ପୂରାଇବା ବା ବଙ୍କା ଲାଞ୍ଜକୁ ସିଧା କରିବା ଭଳି ଏକ ଦୁରୂହ ଉଦ୍ୟମ ବା ବ୍ୟବସ୍ଥା ପରି ମନେହୁଏ। ଅଧ୍ୟାତ୍ମ ରାମାୟଣ ତ କହିଲେ, ସଭିଏଁ ‘‘ସ୍ତ୍ରୀ ଦେବା କାମ କିଙ୍କରା’’ ହେବେ। ତେଣୁ ଏ ଛୁଟିରେ ପୁଅ ସ୍ତ୍ରୀକୁ ଧରି ଭ୍ରମଣରେ ଯିବେ ଓ ଘରଜଗା ଦାୟିତ୍ବ ବାପମା’ଙ୍କ ମୁଣ୍ଡରେ ପୁଣି ଲଦିବେ। ସେବା ତ ଏକ ପଣ୍ୟବସ୍ତୁ ନୁହେଁ! ୟେ ଭାବଗତ। ୟାର ରୁଚି ଓ ସ୍ବାଦ ଭିନ୍ନ। ବାରାଙ୍ଗନା ଓ ସ୍ତ୍ରୀ ସୁଖ ମଧ୍ୟରେ ଥିବା ଆକାଶ ପାତାଳ ଫରକ ଏଥିରେ। ପୁଅବୋହୂଙ୍କ ପିତୃମାତୃ ଭକ୍ତି ପାଇଁ ଭାବ ଉଦ୍ରେକ ନ ହେଲେ, ବାକି ସବୁ ହାସ୍ୟାସ୍ପଦ ଓ ଅଧିକ ସମସ୍ୟାବହୁଳ ହେବ। ଓଲେଇ ଗାଈ କୋଉ ବାଡ଼କୁ ମାନେ?

ତେଣୁ ଏ ଦେଶ ସଂସ୍କାର, ସଂସ୍କୃତିର ବ୍ୟବସ୍ଥା ନ ଆପଣେଇଲାଯାଏ ଏମିତି ଘଟିଚାଲିବ, ଛୁଟିଗୁଡ଼ା ଓଲିଆ ଗାଈକୁ ଭଙ୍ଗାବାଡ଼ର ଠିକଣା ବା ସୁବିଧା ଯୋଗାଇବା ଭଳି ହେବ ସିନା। ତେବେ ଆଜି ଯୁଗରେ ସରକାରଙ୍କ ଏମିତି ଏକ ଦୃଷ୍ଟିଭଙ୍ଗୀ ଆଉ ବହୁ ଅନୁକୂଳ ବ୍ୟବସ୍ଥାକୁ କ୍ରମେ କ୍ରମେ ଆତେଇବାର ଆଶା ଦେଉଛି। ୟେ ଏକ ‘ମାହୋଲ’ ସୃଷ୍ଟି କରୁ। ସନ୍ତାନମାନଙ୍କୁ ଉଦ୍‌ବୁଦ୍ଧ କରୁ, ଏଇ ଆଶାରେ ସେ ସରକାରଙ୍କୁ ସାଧୁବାଦ, ପ୍ରଣାମ।

Comments are closed.