ସମୟ ସ୍ରୋତେ ସ୍ମୃତି

ସମସ୍ତଙ୍କ ଜୀବନରେ ‘ଅତୀତ’ କି ‘ସ୍ମୃତି’ କ’ଣ ସମାନ ଭାବେ ପୋଛି ହୋଇପାରେ କି ଖୋଦେଇ ହୋଇପାରେ? ୟାର ଉତ୍ତର ପାଇଁ କ’ଣ ବ୍ରହ୍ମ ଜ୍ଞାନ ଲୋଡ଼ା? ଆଦୌ ନୁହଁ। ନିଜକୁ ଦେଖିଲେ, ଚାହିଁଲେ ଉତ୍ତର ହୃଦୟରେ ଭାସି ଉଠିବ। ଗତ ଦଶ କି କୋଡ଼ିଏ ବର୍ଷର ସବୁ କଥା ସବୁ ଘଟଣା କ’ଣ କିଏ ପୂରା ଭୁଲି ଯାଇଛି କି ପୂରା ମନେ ରଖିଛି? ସେତିକି କେବଳ ନୁହେଁ, ହୃଦୟ, ଏ ଘଟଣାକୁ ଯେମିତି ଘେନିଛି, ଯେମିତି ଆହତ ବା ପୁଲକିତ ହୋଇଛି, ତାକୁ ସେମିତି ମନାଉଛି, ପାଳୁଛି। ପ୍ରାରବ୍ଧ ପୁଷ୍ଟ ଓ ସୃଷ୍ଟ ‘ରୁଚିବୋଧ’ ଅନୁଯାୟୀ ଏକ ନିର୍ଦିଷ୍ଟ ଘଟଣା ପ୍ରତି ଜଣେ ଆକର୍ଷିତ ବା ବିକର୍ଷିତ ହୁଏ। ତେଣୁ ବ୍ୟକ୍ତି ଅନୁସାରେ ଘଟଣାରାଜି କି ‘ଅତୀତ’ କି ‘ବର୍ତ୍ତମାନ’ ଭିନ୍ନ ଭିନ୍ନ ରୂପ-ରୂପାନ୍ତର ହୋଇଥାଆନ୍ତି। ଊଣେଇଶ ବର୍ଷର ଯୌବନଦୀପ୍ତା ସୁନ୍ଦରୀ ନୀଳିମା କଥା ଦେଖୁନା। ରଜସଜରେ ଝଲକୁଥିବା ପରିବେଶ, କଜ୍ଜଳ, ସିନ୍ଦୂର ଓ ଅଳତାରେ ଅପୂର୍ବ ହୋଇଉଠୁଥିବା ବୋହୂ ଓ ଲଳନାମାନଙ୍କର ସେଦିନର ଫୁଲେଇପଣ କହିଲେ ନ ସରେ। ଏମିତି ଏକ ଅପୂର୍ବ ସଜେଇ ହେବା, ଶିଙ୍ଗାର ହେବାବେଳେ, ଏ ସରଗ ସୁନ୍ଦରୀ ନୀଳିମାଠୁ ରୂପ ଯୌବନ ଓ ସାଜସଜ୍ଜା ହକାଳି ଦେବାର ଘଟଣା ସତରେ କେଡ଼େ ଦାରୁଣ, କରୁଣ! ଛ’ ମାସର ସିନ୍ଦୂର ମଖା ସୀମନ୍ତିନୀରୁ ଓ ମଥାରୁ ସିନ୍ଦୂର ପୋଛି ପକାଉଥିବା, ପାଦରୁ ଅଳତାକୁ ରେଣ୍ଠି ରେଣ୍ଠି ପୋଛା ଯାଉଥିବା ଓ ଏବେ ବି ଝଲକୁ ଥିବା ଚଉଠି ରାତିର ସେ କାଚକୁ ତୁଟା ଯାଉଥିବା ଘଟଣାକୁ କିଏ ବା କେମିତି ଏଡ଼େଇ ଦେବ, ପାସୋରି ଦେବ?

ପହିଲି ରଜ ସଞ୍ଜ ପୂର୍ବରୁ ରାଜଧାନୀରୁ ପିଠା ଓ ମାଂସ ତରକାରି ଘେନି ମଟର ସାଇକଲରେ ତା’ ନୂଆନାଗର, ବର ଶ୍ରୀକାନ୍ତ ଫେରୁଥିଲା। ଘରେ କିନ୍ତୁ ପହଞ୍ଚି ପାରିଲାନି। ଆଉ ଦଶ କି ପନ୍ଦର ମିନିଟର ବାଟ ଥିଲା। ମଦ ଟଳ ଟଳ ଆଖିରେ, ହାତୀ ଭଳି ଟ୍ରକଟାକୁ ଚଳଉଥିବା ଡ୍ରାଇଭର (ଚାଳକ) ତା’ ପଛରେ ମାଡ଼ କରିଦେଲା। ଛିଟିକି ପଡ଼ିଲା ଶ୍ରୀକାନ୍ତ ରାସ୍ତା ଉପରକୁ, ଆଉ ଟ୍ରକଟା ତା’ ମୁଣ୍ଡ ଉପରେ ଚଢ଼ିଗଲା। ମୁଣ୍ଡଟା ରାସ୍ତାରେ ଲେପି ହୋଇଗଲା। ଟିଫିନ ଡବାରୁ ଛିଞ୍ଚାଡ଼ି ହୋଇ ପଡ଼ିଥିବା କଲିଜା କଷାକୁ, କୁଆଡ଼େ ଥିଲେ କୁକୁରଗୁଡ଼ା, କାମୁଡ଼ା କାମୁଡ଼ି ହୋଇ ଭୋଜି ଉଠାଉଥା’ନ୍ତି ଯେମିତି। ତା’ ପକେଟରୁ ପୁଲିସ ଜବତ କରିଥିବା କାଗଜ ପତ୍ର ମଧ୍ୟରୁ ଟିପା କାଗଜଟିଏ ମିଳିଲା। ସବୁ ବରାଦି ତକ ଆଣିଥିଲା। ସେଥିରେ ଟିକ୍‌ ମରାଯାଇଛି। ମାତ୍ର ଛ’ ନମ୍ବର ଜିନିଷଟି କ’ଣ ଲେଖାଯାଇନି। ଜିନିଷର ନାଁ ଏଥିରେ ନାହିଁ କି ଟିକ୍‌ ଚିହ୍ନ ବି ନାହିଁ। ଛ’ ନମ୍ବରରେ ଲେଖା ଯାଇଛି, ‘‘ଏଇଟା ନିଶ୍ଚୟ ଆଣିବ, ତମେ ଜାଣିଛ। ଲେଖିବାକୁ ଲାଜ ଲାଗୁଛି।’’ ସେଇଟି କିନ୍ତୁ ଶ୍ରୀକାନ୍ତ ଆଣିପାରି ନ ଥିଲେ ବୋଧେ। ଜବତ କାଗଜ ଆଦି ନିବିଷ୍ଟ ଭାବେ ତନଖୁ ଥିବା ବେଳେ ନୂଆ ବିବାହିତ ଥାନାବାବୁଙ୍କ ଆଖିରୁ ଲୁହ ବୋହିଗଲା। ଧାଇଁ ଗଲେ ଶ୍ରୀକାନ୍ତ ପାଖୁ, ତାକୁ ପଚାରିବେ କ’ଣ ସେ ଜିନିଷଟି ସେ ଆଣି ପାରି ନ ଥିଲେ? ତାଙ୍କୁ ଶପଥ କରି କହିବେ ଯେ ସେ ନିଶ୍ଚୟ ତାଙ୍କ ପ୍ରିୟା ପାଖୁ ସେ ଜିନିଷଟି ପଠେଇ ଦେବେ। ଆରେ ପାଗଳ ହୋଇଗଲେ ନା କ’ଣ? ସେ ପରା ମୃତ, ଏଇଟା ଶ୍ରୀକାନ୍ତ ନୁହଁ, ତା’ ଶବ। କୋଉ ପ୍ରଶ୍ନର ସେ ଆଉ ଉତ୍ତର ଦେବନି କି ପ୍ରଶ୍ନ କି ଅଭିଯୋଗ ଓ ଅଭିମାନ ବି ଶୁଣିବନି। ‘‘ଛ’ ନମ୍ବର ଜିନିଷଟି ମୃତ ଶ୍ରୀକାନ୍ତ ଓ ତାଙ୍କୁ ସାରା ଜୀବନ ଝୁରି ହେବାକୁ ଥିବା ନୀଳିମା ପାଇଁ ‘ଅବସୋସ’ ଓ ସୋହାଗର ଶେଷ ସ୍ମାରକୀ ହୋଇଗଲା। ଏଥି ଭିତରେ ଦି’ ବର୍ଷ ବୋହିଗଲାଣି।

ଏ ବର୍ଷ ରଜମେଳି ଗାଁ ଝିଅଙ୍କର ଜମିଛି। ଦି’ ବର୍ଷ ପରେ ବାସନ୍ତୀ ବର ସହ ଗାଁକୁ ଫେରିଛି। ଗାଁରେ ତା’ ପ୍ରିୟ ‘ବଉଳ’ ନୀଳିମା ଅଛି ବୋଲି ଶୁଣିଲା। ଚିଲେଇଲା, ‘‘ହଇଲୋ, ମୋ ବଉଳକୁ ଡାକିନ ତ କି ରଜ ପାଳୁଛ ମ, ପୋଡ଼ାମୁହିଁମାନେ?’’ କାହାଠୁ କିଛି ଶୁଣିବାକୁ ଅନିଷା ନ କରି ଧାଇଁଗଲା ବଉଳ ପାଖକୁ। ଥମ୍‌ ହୋଇଗଲା। ପ୍ରସ୍ଫୁଟିତ ରକ୍ତ ଗୋଲାପ ଗଛର ଚେରକୁ ମୂଷା କାଟିଦେବା ପରେ ଭୂଇଁମୁହାଁ ଝାଉଁଳି ପଡ଼ିଥିବା ଏ ଲୋଭନୀୟ ବିଚରା ଫୁଲଟି ପରି ବଉଳ ତା’ର ନିଶୂନ ଘର ବାରଣ୍ଡାରେ, ଅଝଟିଆ ସାନ ଭାଇ ପାଇଁ ଝୁଲାଯାଇଥିବା ଦୋଳି ତଳେ ବସି ଓରାରେ ଗୁଡ଼ା ଯାଇଥିବା ଦୋଳି ଦଉଡ଼ିକୁ ଚାହିଁ ରହିଛି। ସାଧା ଅଣ୍ଡିରାଧଡ଼ିର କସ୍ତାଲୁଗା ଖଣ୍ଡେ ଗୁଡ଼େଇ ହୋଇଛି। ସହପାଠିନୀଙ୍କ ଈର୍ଷା ଜଗଉଥିବା ନିତମ୍ବ ତଳକୁ ଲୋଟି ପଡ଼ିଥିବା ତା’ ଘନନୀଳ କେଶ ସେମିତି ଅଯତ୍ନ ବିଛେଇ ହୋଇ ପଡ଼ିଛି ବାରଣ୍ଡାରେ। ସବୁଠୁ ସୁନ୍ଦରୀ ତା’ ବଉଳକୁ କିଏ ଏମିତି ନିରିମାଖି କରିଛି? ଜିଭ କାମୁଡ଼ି ହୋଇଗଲା ତା’ର, ଦି’ ବର୍ଷ ତଳେ ତା’ ସିନ୍ଦୂର ପୋଛା ଦିନ କଥା ମନେ ପକେଇ, ନୂଆ ବାହାଘର, ଯୌବନ ସଉଦାରେ ବିଭୋର ମନ ତା’ର ଭୁଲି ଯାଇଥିଲା ଏ ଦାରୁଣ ବ୍ୟଥା ଓ କଥାକୁ। ସେ ସିନା ଦି’ବର୍ଷରେ, ନିଜ ସୌଭାଗ୍ୟରେ ଇଡ଼ି ହୋଇପଡ଼ି ଭୁଲିଗଲା। ନୀଳିମାର ଏ ଘା’କୁ ତ ପ୍ରତି ବର୍ଷ ନଖ ମାରି ରଜ ଉଖୁରେଇ ଦିଏ, ରକ୍ତାକ୍ତ କରିଦିଏ।

ଏବେ କଳନ୍ତୁ, ହେଜନ୍ତୁ। ‘ସ୍ମୃତି’ର ରୂପରେଖ ଓ ତମାଦି କଥା। ଏମିତି ଅନେକ କଥା, କବିବର ତ ସେଇଥିପାଇଁ ଲେଖିଥିଲେ ‘‘ସ୍ମୃତି ତ କଦାପି ନୋହେ ଫିଙ୍ଗିବାର, ପାରିଲେ ଫିଙ୍ଗି ସେ ଲଭନ୍ତା ନିସ୍ତାର।’’ ମନେ ପଡ଼ିଯାଏ ଓଡ଼ିଆ ଚଳଚ୍ଚିତ୍ରର ବହୁ ପୁରୁଣା ଗୀତଟିଏ, ‘‘କେତେ ଲୁହ ପୋଛା ହୁଏ ପଣତ କାନିରେ, କେତେ ଲୁହ ପିଇଯାଏ ଓଠ।’’ ସେମିତି ଭାବରେ ବିଜଡ଼ିତ ଆଉ ଗୋଟିଏ ପୁରୁଣା ଚଳଚ୍ଚିତ୍ର ଗୀତ ‘‘ଅତୀତ ତ ମରେ ନା…’’ ବେଶ୍‌ ପ୍ରାଣ ଓ ମନକୁ ଚହଲାଇ ଦିଏ। ବର୍ଷ ପୁରୁଣା ହୁଏ କାଇଁ? ହଜେ କାଇଁ? ଇଏ ତ ରଡ଼ ନିଆଁ ପରି ଦାଉ ଦାଉ ଜଳେ। ଅବସରପ୍ରାପ୍ତ ଜେନା ବାବୁଙ୍କ ଘରେ ଦି’ ଦିନ ତଳେ ବେଶ୍‌ ଧୁମ୍‌ଧାମ ଆସର ଜମିଥିଲା। କିରେ କ’ଣ ହେଲା କି? ଗାଁର ଆଡ଼ବାଇଆ ଟୋକା ଶିରିଆ ଠୋ ଠୋ ହସି କହିଲା, ‘‘ଜେନା ବଡ଼ବାପାର ବା’ ଘର ହଉଛି। କିରେ ତାଙ୍କୁ ତ ଅଶୀବର୍ଷ, ତାଙ୍କ ସ୍ତ୍ରୀକୁ ତ ଚଉସ୍ତରି ବର୍ଷ। ବା’ଘର ପୁଣି କ’ଣ, କାହିଁକି?’’ ଢେର ବିସ୍ମୟରେ ଆମେ ପଚାରିଲୁ। ଶିରିଆ ଆହୁରି ହସି କହିଲା, ‘‘ଆହେ ‘ମାରେଜ ଆନିକସାରି’। ଆମେ ବି ଠୋ ଠୋ ହସିଲୁ। ସାଙ୍ଗ ମିହିର କହିଲା, ‘‘ଆରେ ମୂର୍ଖ ‘ଆନିକସାରି’ ନୁହଁ ‘ଆନିଭର୍ସାରୀ’। ଏଠି ଇଏ ଷାଠିଏ ବର୍ଷର ଏକ ଘଟଣାକୁ ଫି ବରଷ ବାଜାବାଣ ଭୋଜିଭାତରେ ରେଣ୍ଠୁ ଅଛନ୍ତି। ପୁଣି ତଉଲନ୍ତୁ, ହେଜନ୍ତୁ ଏ ‘ସ୍ମୃତିରେ’, ଗତ ହୋଇଯାଇଥିବା ଦିନ ବା ବର୍ଷର କିସମ, କିମତ। ଏମିତି ଗୁଡ଼େ ବାରଚାଉଳିଆ କଥା ମନକୁ ଆସିଲା, ଏବେ ଢେର ‘ନୂଆ’ ଥିବା ବରଷ ପାଳନକୁ ଦେଖି।

ରକ୍ଷଣଶୀଳ ଅଧ୍ୟାପକ ବ୍ରଜବାବୁ କହିଲେ ‘‘ଆରେ ଇଏ କୋଉ ନୂଆ ବରଷ ଆମ ପାଇଁ? ମହାବିଷୁବ ସଂକ୍ରାନ୍ତିରେ ବର୍ଷ ଆରମ୍ଭର ‘ପଣାପାଣି’ କାଇଁ? ତା’ପରେ ସୂ‌େର୍ଯ୍ୟାଦୟ ଓ ଅସ୍ତରୁ ଦିନ ରାତି ହୁଏ। ଗୋଟେ ନିଶାରାତି ୧୨ଟାରେ ନୂଆ ଦିନଟା କେମିତି ପଶିଗଲା ଯେ ରାତି ବାରଟାରେ ଟେଲିଫୋନରେ ଧଡ଼ପଡ଼ ହୋଇ, ଏତେ ରାତିରେ ଟେଲିଫୋନ କ’ଣ କହି କାନରେ ଫୋନ ଦେଲାବେଳକୁ ସେପଟୁ ବିନର ସ୍ବର ଶୁଭିଲା, ‘‘ବ୍ରଜାଇ! ହାପି ନିଉ ଇଅର’’। ସେଃ, ପାଟିରୁ କ’ଣ ବାହାରୁଥିଲା ଯେ; ରୋକି ହୋଇଗଲି।’’ ତେବେ ରାଇଜ ସାରା ‘ବ୍ରଜାଇ’ ନୁହନ୍ତି କି ‘ବିନ’ ନୁହନ୍ତି। ସମସ୍ତେ ଠିକ୍‌ ସମସ୍ତେ ଭୁଲ। ‘‘ଯାହାକୁ ଯେମିତି ଆସିଲା, ହାତ ଟେକି ଟେକି ନାଚିଲା।’’ ତେବେ ଇଂରାଜୀ ହେଉ କି ଓଡ଼ିଆ ହେଉ, ବର୍ଷ ପୂରାଣି ‘ଆତ୍ମ ସମୀକ୍ଷା,’ ଆୟୁଷ ମପାର ଦିନ ହେଉ। ମଣିଷ ପ୍ରତିଦିନ ସୂ‌େର୍ଯ୍ୟାଦୟରେ ଏକ ଅଦୃଶ୍ୟ ପାହୁଣ୍ଡ ନିଜ ସମାଧି ଆଡ଼େ ବଢ଼ାଉଛି। ଆଉ ସୂର୍ଯ୍ୟାସ୍ତରେ ଗୋଟିଏ ଦିନ ଆୟୁଷରୁ ଛାପି ହୋଇ ଯାଉଛି। ଏମିତି ଏକ ଭାବରେ ‘ଦି ମଦର’ ବହିର ପ୍ରାରମ୍ଭରେ ବିଶ୍ବବିଖ୍ୟାତ ରୁଷୀୟ ଲେଖକ ମାକ୍‌ସିମ ଗର୍କି ଲେଖିଲେ, ‘‘Man made another imperceptible step towards grave. A day is blotted out from life’’. ଇୟେ ତ ବାସ୍ତବତା। ଏ ନାଚକୁଦରେ, ଅତୀତ, ଅତିକ୍ରାନ୍ତର ଦିନ, ବର୍ଷ ବା ସମୟ ଏତେ ସହଜରେ ମନରୁ ପୋଛି ହୋଇଯାଏନି, ନ ଯିବା ଉଚିତ ଓ ବାସ୍ତବ ବି। ବାକି ସବୁ କଥା ସ୍ବପ୍ନ, ମୋହ, ଅଜ୍ଞତା, ଅଚେତନତା।

ଆଜିକି ତ ଦି’ଦିନ ହେଲା ଏ ‘ନୂଆବର୍ଷ’କୁ। କହିଲ କିଏ ଜଣେ କାଲିର ବା ଗତ ଦିବସର କୁ ସମସ୍ୟା ଉପହାସର ଝୁଙ୍କ, ଭୟ, ଖେଦ ଆଦିରୁ ମୁକ୍ତି ପାଇଛି, ମୁକୁଳି ଯାଇଛି? ଗତ ବର୍ଷର ‘ଡଃ ସୁମିତ ଓ ତପସ୍ବିନୀ’ ମାମଲା, ଗୁଡ଼ି ସୂତାରେ କଟି ନବ ବିବାହିତ ଜୟନ୍ତର ଦାରୁଣ ମୃତ୍ୟୁ, ଭାରତର ସେନାଧ୍ୟକ୍ଷଙ୍କ ସସ୍ତ୍ରୀକ ହେଲିକପ୍ଟର ଦୁର୍ଘଟଣାରେ ଦାରୁଣ ମୃତ୍ୟୁ, ଚାଷୀ ଆନ୍ଦୋଳନ ପ୍ରତ୍ୟାହାର, ଢଳଢଳ ଯୌବନକୁ ପୁଣି ତିନିବର୍ଷ, ଏକୋଇଶ ବର୍ଷକୁ ବୃଦ୍ଧି ଆଇନ ଆଦି ସମସ୍ୟା କ’ଣ ପୁରୁଣା ବର୍ଷ ସହ ବିସ୍ମୃତ ହୋଇଗଲା? ଗୁଡ଼ି ସୂତାରେ ମୃତ୍ୟୁ ଲଭିଥିବା ଜୟନ୍ତଙ୍କ ବିଷୟରେ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ, ବିଧାୟକ, ରାଜନୀତିଜ୍ଞ ​‌େସୗମ୍ୟବାବୁଙ୍କ ଏକ ଅଗ୍ରଲେଖାରୁ ତାଙ୍କ ଦଳୀୟ ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ସେ କି ସନ୍ଦେଶ ବା ଚେତନା ଦେଲେ କେଜାଣି, କ୍ଷମତା ରାଜନୀତିର ଜଣେ ଧୁରୀଣ ଖେଳାଳି ଓ ସାମ୍ବାଦିକତାର କ୍ଳିଷ୍ଟ, ଅବୋଧ୍ୟ ଓ କଠୋର ଫେଣ୍ଟର ଏ ବ୍ୟକ୍ତିତ୍ବଙ୍କଠାରେ ଯେ ମଣିଷପଣିଆର ସୂକ୍ଷ୍ମ ତନ୍ତ୍ରୀରେ ସ୍ପନ୍ଦନ ଅବ୍ୟାହତ ତା’ ବୁଝି ହୋଇଛି। ଏମିତି ଅନେକଙ୍କୁ ଏଇ କଥା ଛୁଇଁଛି, ଘାରିଛି।
ଫେରି ଯାଉଥିବା ବର୍ଷ ପୁରୁଣା ଆଦୌ ହୋଇନି। ଏଇ କଥା ଆଜି ହେଜିଲେ ହିଁ ଏ ବର୍ଷମାନଙ୍କର ମାନ ମହତ ରହନ୍ତା। ଖଟୁଳି ପୂଜା ‘ତାଳପତ୍ର ପୋଥି’ର ଏ ବରଷଗୁଡ଼ା। ନୋହିଲେ ଇତିହାସ କି ଲେଖାଯାଆନ୍ତା କି ଲେଖି ହୁଅନ୍ତା? ସେଇ ଭାବରେ ଏଇ ବରଷର ସବୁ ଦିନଗୁଡ଼ିକୁ ବିତାଯାଉ, କଟାଯାଉ, ଭୋଗାଯାଉ। ‘‘ସ୍ମର ନିତ୍ୟମ୍‌ ଅନିତ୍ୟତାମ୍‌।’’ ଜୟ ହୋ, ଜୟ ହୋ ବରଷରାଜି, ଜୟ ଜଗନ୍ନାଥ।

Comments are closed.