ଅଙ୍କୁଶର ଆବଶ୍ୟକତା

ଶିକ୍ଷା, ସାଧନା ଓ ସଂସ୍କୃତି ବିନା, ‘ସ୍ବାଧୀନତା’, ସ୍ବେଚ୍ଛାଚାର ଅଡୁଆ ହୋଇଯାଏ। ଜଣେ ବିପଥଗାମୀ ବ୍ୟକ୍ତି ପାଖରେ ଛୁରୀ କେବଳ ମାରଣାସ୍ତ୍ରର ପରିଚିତି ଲଭିଥାଏ। ଜୀବନର ପୁଷ୍କଳ ସମୟ ଯୌବନ, ଜଣେ ବନବାସୀ ଗୁରୁଗୃହସ୍ଥ କିଶୋର ପାଖେ ଯେମିତି ତେଜୋଦୀପ୍ତ ଓ ଶାଣିତ ଲାଗେ, ଦିଶେ, ଜଣେ ପଥଭ୍ରଷ୍ଟ ଆଜିର ଢାବାସଂସ୍କୃତି-ପ୍ରିୟ ମଦମତ୍ତ କିଶୋର ପାଖେ ସେଇ ଭାବ ଉକୁଟେଇ କି ପାରେ? କଥା ତ ଅଛି ‘‘ଯୌବନଂ ଧନସମ୍ପତ୍ତିଃ, ପ୍ରଭୁତ୍ବଂ ଅବିବେକିତା, ଏକୈକମପ୍ୟନର୍ଥାୟ କିମୁ ଯତ୍ର ଚତୁଷ୍ଟୟମ୍‌।’’ ଅର୍ଥାତ୍‌ ଯୌବନ, ଧନସମ୍ପତ୍ତି, କ୍ଷମତା (ପ୍ରଭୁପଣ) ଓ ଅବିବେକିତା ମଧ୍ୟରୁ ଯେ କୌଣସି ଗୋଟିଏ ବି ବହୁ ଅନର୍ଥର କାରଣ ହୋଇଥାଏ। ଆଉ ଯେଉଁଠି ଏହି ଚାରୋଟି ଯାକ ବିଦ୍ୟମାନ, ସେଠି କି ଅନର୍ଥ ସୃଷ୍ଟି ହେବ, କହି ହେବନି। ଆଜିର କିଶୋର ଓ ଯୁବକମାନଙ୍କ ଉତ୍‌ପାତ ତ ଦେହ ଘଷରା ହୋଇଗଲାଣି। ଆଉ ଅନୁଭବ କଥା ପଚାରେ କିଏ? ସେଇଥି ପାଇଁ ଆମ ଦେଶରେ, ଗଢ଼ିହେବା ବୟସରେ ଯୌବନ ମଧ୍ୟ ପାଦ ପକଉଥିବାରୁ, ତାକୁ ବେଛାପର ବଢ଼ିବାରେ ଅଙ୍କୁଶ ଲଗାଯାଏ। ଏ ଅଙ୍କୁଶ ବି ଢେର୍‌ କଠୋର। କଠୋର ନୋହି ଲୁତୁପୁତିଆ ହେଲେ, ଯୌବନର ଦାନ୍ତରେ ସେସବୁ ପେଟକୁ ଓ ଦାନ୍ତ ମୂଳରେ ଶେଷ ହୋଇଯିବେ, ଯାଆନ୍ତି, ଯାଉଛନ୍ତି ବି। ଇଂରାଜୀ (Teen) ଟିନ୍‌ ଏଜ୍‌ ବୋଲି ତରଳ, ଢଳଢଳ ଏ ଯୌବନ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଆମ ଦେଶ ସଂସ୍କାର ଓ ସଂସ୍କୃତିରେ ଇଏ ବେଶ୍‌ ଦୃଢ଼ ଓ ଆଗୁଆ ହୋଇଥାଏ। ପାଶ୍ଚାତ୍ୟ ହିସାବରେ ୧୩(ଥାର୍ଟିନ)ରୁ ଆରମ୍ଭ ହୋଇ ନାଇଣ୍ଟିନ(ଊଣେଇଶି)ରେ ଶେଷ ହେଉଥିବା ବେଳେ ଆମ ଦେଶରେ ଛ’ ବର୍ଷର ପିଲାଠେଇ ବି ଇୟେ ଆରମ୍ଭ ହୋଇଥାଏ। ଚାଣକ୍ୟ ବି ଲେଖିଲେ ‘‘ଲାଳୟେତ୍‌ ପଞ୍ଚବର୍ଷାଣି ଦଶବର୍ଷାଣି ତାଡ଼ୟେତ୍‌, ପ୍ରାପ୍ତେତୁ ଷୋଡ଼ଶ ବର୍ଷେ, ପୁତ୍ରଂ ମିତ୍ରବଦାଚରେତ୍‌। ଲାଳନେ ବହବୋ ଦୋଷାଃ ତାଡ଼ନେ ବହବୋଗୁଣାଃ, ତସ୍ମାତ୍‌ ପୁତ୍ରଞ୍ଚ ଶିଷ୍ୟଞ୍ଚ ଲାଳୟେନ୍ନତୁ ତାଡ଼ୟେତ୍‌।’’ ଅର୍ଥାତ୍‌ ପିଲାକୁ ପାଞ୍ଚବର୍ଷଯାଏ ଲାଳନ ପାଳନ ସ୍ନେହ ଆଦର କରିବ, ପାଞ୍ଚବର୍ଷରୁ ଦଶ ବର୍ଷ ତାଡ଼ନା କରିବ, ନାନା ଭାବେ ତାକୁ, ତା’ର ଅଭ୍ୟାସ ବା ଅଭିଳାଷକୁ ଅଙ୍କୁଶିତ, ଶାସିତ କରିବ, ମାତ୍ର ଷୋହଳ ବର୍ଷ ହୋଇଗଲେ ସ୍ବାଧୀନ ଚିତ୍ତ ବିବେକାନୁଗତ ଏଇ ଯୁବକ ସହ ବନ୍ଧୁଭାବ ପ୍ରଦର୍ଶନ କରିବ। କାରଣ ଚାଣକ୍ୟ ପଣ୍ଡିତ କହିଛନ୍ତି ଯେ ଲାଳନପାଳନର କୋମଳତାରେ ବହୁ ଦୋଷ ତ୍ରୁଟି ତା’ ଦିହ ଓ ମନ ଧରିଥାଏ। ତେଣୁ ଲାଳନ ପରେ ତାଡ଼ନା ବା ଅଙ୍କୁଶ ବହୁ ମହାର୍ହ ଅନୁଭବ ଓ ଦିଗ୍‌ଦର୍ଶନ ଦେବାରେ ସହାୟ ହୋଇଥାଏ। ଏଇ ‘ଅଙ୍କୁଶ’ ପ୍ରଶାସନରେ, ସାମାଜିକ ଜୀବନରେ ବି ଢେର୍‌ ପରିଲକ୍ଷିତ ହୁଏ। କଠୋର ଅନୁଶାସନ ଏକ ସମୃଦ୍ଧ ଓ ସଂସ୍କୃତିସମ୍ପନ୍ନ ଦେଶ ବା ସମାଜ ସୃଷ୍ଟି କରିବ। ସ୍ବାସ୍ଥ୍ୟରକ୍ଷା ପାଇଁ ଚାରୋଟି ସ୍ତମ୍ଭ ନିର୍ଦ୍ଧାରିତ ଥିଲା। ତା’ ହେଲା, ‘‘ଆହାର, ନିଦ୍ରା, ବ୍ୟାୟାମ, ବ୍ରହ୍ମଚର୍ଯ୍ୟ।’’ ଏ ଚାରି ସ୍ତମ୍ଭକୁ ଅନାହତ ରଖିବା ପାଇଁ ଏ ସନାତନ ସଂସ୍କୃତିର ସବୁ ଜନତାକୁ ନିର୍ଦେଶ ଥିଲା। ମାତ୍ର ଏକୁ ମାନୁଛି କିଏ? ବଡ଼ଙ୍କୁ ଛାଡ଼, ଇସ୍କୁଲ ପାଠପଢ଼ା କିଶୋରର ମାଷ୍ଟ୍ରେ କାନମୋଡ଼ି ଦେଲେ, ଏଠି ଆଇ.ପି.ସି. ଦଫା ଲାଗିଯାଉଛି। ଏକୁ ବି ଫେଣେଇ ଫାଣେଇ ଆମ ବେପାର ପତ୍ର ଭାଇମାନେ ପ୍ରଥମ ପୃଷ୍ଠା ସମ୍ବାଦଭାବେ ତାଙ୍କ ବେପାର ପତ୍ରରେ ଛାପୁଛନ୍ତି। ଖିଚୁଡ଼ିଜ୍ଞାନର ଏ ପଣ୍ଡିତ ସରକାର ବି ବିଦ୍ୟାଳୟମାନଙ୍କୁ ‘ଦଣ୍ଡମୁକ୍ତ’ ବିଦ୍ୟାଳୟ ଘୋଷଣା କରି ବେଶ୍‌ ସଫଳତାର କୁତୁକୁତୁରେ ପଲାସୁଛନ୍ତି। ଆରେ ବିଦ୍ୟାଳୟକୁ ‘ଦୋଷମୁକ୍ତ’ ଘୋଷଣା କର। ଦଣ୍ଡମୁକ୍ତ ଅର୍ଥ ଯେତେ ଦୋଷ କଲେ ବି ଦଣ୍ଡ ଏଙ୍କୁ ଫାବିବନି। ରାଜଭୋଗର ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କୁ ଦୋଷମୁକ୍ତ କରିବାକୁ ଚାଣକ୍ୟଙ୍କୁ ତାଙ୍କର ‘ପ୍ରଧାନମନ୍ତ୍ରୀ’ (ପ୍ରାଇମ୍‌ ମିନିଷ୍ଟର) ଘୋଷଣା କରିଥିଲେ। ଏବେ ଏ ସରକାର ସବୁ ଚାଣକ୍ୟ ନୋହି ବାଣକ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ କରୁଛନ୍ତି। ତେଣୁ ବାଣ ସହ ଆଉ ଯାହାସବୁ ଫୁଟିବା କଥା ଫୁଟୁଛି। ମାଣ୍ଡିଆ ଯାଉ ଖାଇ ଛେରୁଥିବା ଏମାନେ ଖୋଇବା ଲୋକଙ୍କୁ ଖୋଜୁଛନ୍ତି, ଏ ଅବେଳାରେ ତାଙ୍କ ହାତ ଧରି ହଗେଇ ନେବାକୁ। ମାତ୍ର ସେମାନେ ମିଳୁଛନ୍ତି କୋଉ? ଭିଆଇପିର ବାଉଁଶବନ୍ଧା ଘେରରେ ରାଜପଥରେ ବି ତାଙ୍କ ବାଟ ମୁଦା, ମୁଜା। ଛାଡ଼ନ୍ତୁ ସେ ସବୁ କଥା। ଏବେ ଅଙ୍କୁଶ ଯେ ‘ଟିନ୍‌ ବୟସ’ର ପିଲାଙ୍କ ପାଇଁ ଯେତେ ନୁହଁ, ଏ ତଥାକଥିତ ବୟସ୍କ ଓ ସାବାଳକଙ୍କ ପାଇଁ ବେଶୀ ପ୍ରଯୁଜ୍ୟ, ଆବଶ୍ୟକ। ତେବେ ମଇଳା, ଘୋଷରା ଆଞ୍ଚୁଡ଼ା ତ ନିଶ୍ଚେ ଦିହକୁ, ମନକୁ ଭେଦିବ ଓ ଭରିବ। ‘‘ଅଠର ବର୍ଷରୁ କମ୍‌ ପିଲାଙ୍କ ପାଇଁ ନୁହଁ’’ ବା ସାବାଳକଙ୍କ ପାଇଁ ଏ ଚଳଚ୍ଚିତ୍ର ପ୍ରଯୁଜ୍ୟ ବୋଲି ଛପା ବସିଗଲେ କଥା ସଇଲା। କି ଭିଡ଼ ଲୋ ବୋପା, ଏ ଚଳଚ୍ଚିତ୍ର ଦେଖିବା ପାଇଁ।

ଗୋଟେ ଅନୁଭୂତିର କଥା ୟେ। ଗାଁରୁ ଆସି କଟକରେ ଘରଭଡ଼ା ନେଇ ରହୁଥିବା ଯଦୁ ମିଶ୍ରେ ତାଙ୍କ ସହ ତାଙ୍କର ଦୁଇପୁତ୍ରଙ୍କୁ ଧରି ବକ୍ସିବଜାରସ୍ଥ ଏକ ଘରେ ରହୁଥିଲେ। ଏ ସିନେମା ପଡ଼ିଛିର ବହୁଳ ପ୍ରଚାର। ଯଦୁ ମିଶ୍ରେ ପଞ୍ଚାବନ ଷାଠିଏ ବର୍ଷର ଯୁବକ। ସେଦିନ କହିଲେ, ‘‘ଆରେ, ମୋ ଅଫିସ୍‌ରେ ବାକିଆ କାମ ପଡ଼ିଛି (ବଡ଼ ପୁଅ ନବୀନା ରେଭେନ୍‌ସା ନୈଶ କଲେଜରେ ବି.ଏ. ପଢ଼ୁଛି) ସାନପୁଅ କୁଳିଆକୁ କହିଲେ, ମୋର ଆସିବା ଡେରି ହେବ, ତମେ ମୋ ପାଇଁ ରଖି ଖାଇଦେଇଥିବ।’’ ନବୀନା ଅଫିସ୍‌ ସାରି ଘରେ ପହଞ୍ଚି ସାନ ଭାଇ କୁଳିଆକୁ କହିଲା, ‘‘ଆରେ ଆମ କଲେଜରେ ଫଙ୍କସନ୍‌ ଅଛି, ମୁଁ ଡେରିରେ ଫେରିବି। ମୋ ପାଇଁ ଖାଇବାକୁ ରଖି ଦେଇଥିବୁ। ସାନ ପୁଅ କୁଳିଆର ରାତି ରୋଷେଇ ଭାର। ସିଏ ତ ରୁଟି କାମ ସାରିଦେଇଥିଲା। ତାକୁ ସୁଯୋଗ ମିଳିଲା। ନନା, ଭାଇନା ଦିହେଁ ଡେରିରେ ଆସିବେ। ସେ ଚାଲିଲା ସିନେମା ହଲ୍‌କୁ। କାରଣ ଏଇ ଶେଷ ରାତ୍ରି ଥିଲା। ସିନେମା ହଲ୍‌ରେ ବିରତି ଆଲୁଅ ଜଳିବାରୁ ସବୁ ଦର୍ଶକେ ସବୁ ଦର୍ଶକଙ୍କୁ ଦେଖି ପାରିଲେ। କୁଳିଆ ଚାହିଁଲା ବେଳକୁ ପଛ ସିଟ୍‌ରେ ନନା ଓ ତା’ ଧାଡ଼ି ଶେଷ ସ୍ଥାନରେ ତା’ ଭାଇନା ବସିଛନ୍ତି। ଆରେ ଆନନ୍ଦେକବାର ହରିବୋଲ। ଇଏ ସତ କଥାଟେ। ଏଇଟି ଆମ ଦେଶର କିଶୋର, ଯୁବକ ଓ ବୃଦ୍ଧ ବା ପ୍ରୌଢ଼ଙ୍କ ଅବସ୍ଥା ହୋଇଛି। ଚୁଟି କଳା କରିବା ରଙ୍ଗ ବଜାରରେ ଏଇଲେ ବହୁତ ଚାହିଦା। ସେଇଥିପାଇଁ ତ କବି ଲେଖିଲେ, ‘‘ନୁହେଁ ବୃଦ୍ଧ ସେଇ ଜନ ଶୁକ୍ଳ କେଶ ଅଟେ ଯାର ଶିର, ଯୌବନେ ଯେ ଜ୍ଞାନେ ରତ ଦେବେ ତାକୁ ବୋଲନ୍ତି ସ୍ଥବିର।’’ କାଳିଦାସ ଲେଖିଲେ ‘‘ନ ସା ସଭା ଯତ୍ର ନ ସନ୍ତି ବୃଦ୍ଧାଃ, ନ ତେ ବୃଦ୍ଧାଃ ଯେ ନ ବଦନ୍ତି ଧର୍ମଂ।’’ ଇତ୍ୟାଦି। ତେଣୁ ଏ ପ୍ରମଥିନୀ ମନକୁ ଶାସନ ପିଲାଠୁ ବଡ଼ଯାଏ ଲୋଡ଼ା। ଏ ରଙ୍ଗଚୁଟିର ଜନତାଙ୍କୁ ବେଶୀ ଲୋଡ଼ା।

ଏକଥା ମନକୁ ଆସିଲା, ପଞ୍ଜାବରେ ଗଠିତ ଆପ୍‌ ସରକାରଙ୍କର ମୁଖ୍ୟମନ୍ତ୍ରୀ ଭଗବତ୍‌ ମାନ୍‌ଙ୍କ ତାଙ୍କ ଏମେଲେ, ଏମ୍‌ପି ଓ ମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ନୂଆ କଟକଣାରୁ। ସେ କହିଲେ ଭିଆଇପି କ’ଣ, କିଏ? ନିର୍ବାଚିତ ଏମେଲେମାନେ ତ ଲୋକ ପ୍ରତିନିଧି। ପୋଖରୀ ତୁଠରୁ ଗାଁ ପରିମଳ ଜଣା ପରି ଜନପ୍ରତିନିଧିମାନଙ୍କୁ ଦେଖିଲେ ସେଠା ଜନତାର ଅବସ୍ଥା, କଥା ମାପି ହୁଏ। ଗୋଲ ଟେବୁଲ ବୈଠକରେ ଯୋଗ ଦେବାକୁ ଗାନ୍ଧିଜୀଙ୍କୁ ବ୍ରିଟିଶ ସରକାରଙ୍କ ନିମନ୍ତ୍ରଣ ମିଳିଲା। ସେ ତାଙ୍କ ଦେଶର ନିଷ୍ପେଷିତ ଜନତାର ବେଶରେ ହିଁ ଗଲେ। ଜଣେ ଭାରତୀୟ ଚାଷୀ ଆଣ୍ଠୁଯାଏ ଲମ୍ବ ଲୁଗା ପିନ୍ଧି ଗଲେ। ଖାଲି ପାଦ, ଗାମୁଛାରେ ଢଙ୍କା ଫକିରର ଚେହେରା ଓ ସଜ ଦେଖି ଲୋକେ ବିସ୍ମିତ ଓ ସ୍ତମ୍ଭୀଭୂତ ହୋଇଗଲେ। ‘ବକିମ୍‌ହାମ୍‌’ ରାଜପ୍ରାସାଦକୁ ପ୍ରଥମ ଥର ପାଇଁ ଲଙ୍ଗଳା ପାଦର ପ୍ରବେଶ ହେଲା। ରାଜପ୍ରାସାଦ ଉପରେ ଥାଇ ଗାନ୍ଧୀଙ୍କୁ ଦେଖି ରାଜକୁମାରୀ ପ୍ରଶ୍ନ କରନ୍ତି, ଏ ଲଙ୍ଗଳା ଫକିର କିଏ? ଉତ୍ତରରେ ଜଣେ କହିଲେ, ‘‘ଏ ଲଙ୍ଗଳା ଫକିର ଦିନେ ବ୍ରିଟିଶ୍‌ ସରକାରଙ୍କୁ ଲଙ୍ଗଳା କରି ସେ ଦେଶରୁ ବିଦା କରିଦେବେ।’’ ତା’ ବି ସତ ହେଲା। ଏକଥା ଏ ଦେଶବାସୀ ବା ତାଙ୍କର ନେତାମାନେ ଭୁଲି ଯାଇଛନ୍ତି। ତାଳପତ୍ର ବିଞ୍ଚଣାରେ, ରାତି ସାରା ମଶା ଉଡ଼େଇ ପାହାନ୍ତାରେ ନିଦ ଯାଉଥିବା ଏମାନେ ରାଜଧାନୀରେ ଏୟାର କଣ୍ଡିସନ ନ ‌ହେଲେ ଶୋଇପାରୁ ନାହାନ୍ତି। ନେତା ନିର୍ବାଚନ ପୂର୍ବରୁ ବିଜୁଳି ଦେୟ ନ ଭରି ଲାଇନ୍‌ କଟି ଯାଇଥିବା ବିଚରା ଆଜିର ନେତାମାନେ ସେଦିନକୁ ଭୁଲିଯାଇଛନ୍ତି। ଛାଡ଼ନ୍ତୁ ସେକଥା। କ୍ଷମତା ଓ ଅର୍ଥ ଓଲିଆ ଏ ନେତାମାନଙ୍କ ପାଇଁ ସାଧାରଣ ଚଳଣି ହୁଲିଆ ଜାରି ଅତ୍ୟାବଶ୍ୟକ ହୋଇ ପଡ଼ିଥିଲା। ସରକାରୀ ଜମି ଜବରଦଖଲ କରି ରହୁଥିବା ଜମିମାଫିଆଙ୍କୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦେବା ଅଭିଯାନରେ ଏ ସରକାର କେତେ ଦୃଢ଼ ହେବେ କହି ନ ହେଲେ ବି ଜନତାର ଯୋଗ୍ୟ ପ୍ରତିନିଧିର ଶ୍ରଦ୍ଧା ଓ ସମ୍ମାନ ନିଶ୍ଚେ ପାଇବେ। ଏହା ହିଁ ଗାନ୍ଧୀ ଯୁଗର କଥା ଓ ବାର୍ତ୍ତା। ଜୟ ଜଗନ୍ନାଥ।

Comments are closed.