ରିହାତି ଚାଉଳ ପାଇଁ ଭିଡାଭିଡି, ମାଗଣା ଛତୁଆକୁ ନାଁ!

ଟିଟିଲାଗଡ଼ (ଶିଶିର କାନ୍ତ ଶତପଥୀ): ସରକାରଙ୍କ ପକ୍ଷରୁ ଗରିବ ପରିବାରଙ୍କ ପାଇଁ ମାସିକ ଜଣ ପିଛା ୫ କେଜି ଚାଉଳ ବନ୍ଟନ ଯୋଜନା ନେଇ ଲାଭାନ୍ୱିତ ହେବାକୁ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି। କେବଳ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାକୁ ଥିଲାଵାଲା ଲୋକ ହାତେଇ ନେଇଥିବା ନେଇ ଅନେକଙ୍କ ଠାରୁ ବହୁ ଗୁଣା ଟଙ୍କା ଅସୁଲ ସହ ସରକାରଙ୍କ ପକ୍ଷରୁ ଥାନାରେ କେସ ମଧ୍ୟ ରୁଜୁ କରାଯାଇଥିଲା। ଏହା ସତ୍ୱେ ଯୋଜନା ନେଇ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ନିରାପତା ଯୋଜନା (ଏନଏଫଏସଏ) ନିଅନ୍ଟ ଦର୍ଶାଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସଏଫଏସଏ) ଲାଗୁ କରି ଅଧିକ ହିତାଧିକାରୀଙ୍କୁ ଟଙ୍କିଆ ଚାଉଳ ବନ୍ଟନ କରାଯାଉଛି। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ତଥାକଥିତ ପୁଷ୍ଟିକର ଛତୁଆ ଖାଦ୍ୟ ମାଗଣା ପ୍ରଦାନ କରାଯାଉଥିବା ବେଳେ ଏଥି ପ୍ରତି ହିତାଧିକାରୀଙ୍କ ହତାଦର ଆଲୋଚନାର ବିଷୟ ହୋଇଛି।

ସରକାରି ସ୍ତରରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନବାଡି କେନ୍ଦ୍ର ଜରିଆରେ ଗର୍ଭବତି ତଥା ପ୍ରସୂତି ମହିଳାଙ୍କୁ ମାସିକ ମାଗଣାରେ ୪ କେଜି ୫୦୦ ଗ୍ରାମ, ଲଡୁ ୬୦୦ ଗ୍ରାମ ପ୍ରଦାନ କରିବା ଯୋଜନା ରହିଛି। ସେହିପରି ଶିଶୁଙ୍କ ପାଇଁ ମାସିକ ୨ କେଜି ୫୦୦ ଗ୍ରାମ ଛତୁଆ ଏବଂ ୧ କେଜି ୩୦୦ ଗ୍ରାମ ସୁଜି ପ୍ରଦାନ କରାଯାଉଛି। ଛତୁଆ ତଥା ସୁଜିରେ ଅନେକ ରକମର ପୁଷ୍ଟିକର ଖାଦ୍ୟ ରହିଥିବା ନେଇ ଏହାକୁ ଖାଦ୍ୟ ଭାବରେ ଗ୍ରହଣ କଲେ ପ୍ରସୂତି ମହିଳାଙ୍କ ଦୁର୍ବଳତା, ରକ୍ତହୀନତା, ଗର୍ଭବତି ମହିଳାଙ୍କ ଗର୍ଭସ୍ଥ ଶିଶୁର ସୁସ୍ଥତା ତଥା ଜନ୍ମର ୬ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମାନସିକ ତଥା ଶାରିରିକ ବିକାଶ ହେବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ଏନେଇ ମଧ୍ୟ ସିସିଟିଭି ଦ୍ୱାରା କଡା ତଦାରଖ ରହିଥିବା ପ୍ରସ୍ତୁତି କେନ୍ଦ୍ରରେ ଯାଂଚ ଅଧିକାରୀଙ୍କ ସମ୍ମୁଖରେ ନିର୍ଦ୍ଦିଷ୍ଟ ପ୍ରତ୍ୟେକ ମାସ ୨୩ ତାରିଖରେ ସମସ୍ତ ଉପାଦାନକୁ ମିଶ୍ରଣ ସହ ପ୍ୟାକିଙ୍ଗ କରିବା ପାଇଁ ସରକାରି ସ୍ତରରେ ନିର୍ଦ୍ଦେଶ ଜାରି କରାଯାଇଛି।

ଏଭଳି ବିଭିନ୍ନ ସତର୍କତା ମଧ୍ୟରେ ପ୍ରସ୍ତୁତ ଛତୁଆ ଖାଦ୍ୟକୁ ଗରିବ ଜନତା ଖାଦ୍ୟ ଭାବରେ ଗ୍ରହଣ ନକରିବା ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଛତୁଆର ମାନ ନେଇ ବିବ୍ରତ ଗରିବ ପରିବାର ଉକ୍ତ ଖାଦ୍ୟ ନ ଖାଇ ଲୁଣ, ମୁଢି ଆଦି କ୍ରୟ ନେଇ ବଦଳ କରୁଥିବା ଅଭିଯୋଗ ସାଧାରଣ ହୋଇଛି। ଏପରିକି ବ୍ଲକ ଅନ୍ତର୍ଗତ ଗନ୍ଧରଗଲା ଅଙ୍ଗନବାଡି କେନ୍ଦ୍ରର ୫୦ରୁ ଊର୍ଦ୍ଧ୍ବ ହିତାଧିକାରୀ ୨୦୧୯ ଅଗଷ୍ଟରୁ ଛତୁଆ ତଥା ସୁଜି ଖାଦ୍ୟ ଗ୍ରହଣ କରୁନଥିବା ଯୋଜନାରେ ଅନେକ ଠକାମୀ ରହିଥିବା ଚର୍ଚ୍ଚା ହେଉଛି। ରିହାତି ଚାଉଳ ପାଇଁ ମାରଧର ହେଉଥିବା ପରିବାର ନିଜ ଶିଶୁ ତଥା ମହିଳାଙ୍କ ପାଇଁ ମାଗଣା ଛତୁଆ ହାସଲ ପାଇଁ ଆଗ୍ରହି ହେଉନଥିବା ଅନେକ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ବିଭାଗୀୟ ଅଧିକାରୀ ଏହି ରହସ୍ୟ ନେଇ ଭଲ ଭାବରେ ଅବଗତ ଥାଇ ସୁଦ୍ଧା ଅଣଦେଖା କରୁଥିବା ଅଭିଯୋଗ ହୋଇଛି।

ଏ ପରିପ୍ରେକ୍ଷୀରେ ଛତୁଆ ଖାଦ୍ୟ ବଣ୍ଟନ ଯୋଜନା ନେଇ କିଏ ଅସଲରେ ଲାଭବାନ ହେଉଛି ତାହା ଜଳଜଳ ହୋଇ ଦିଶୁଥିବା ସାଧାରଣରେ ଚର୍ଚ୍ଚା ହୋଇଛି। ଖୁଲମଖୁଲା ଛତୁଆ ଖାଦ୍ୟ ରିସାଇକ୍ଲିଂ ହୋଇ ପୁନର୍ବାର ପ୍ରସ୍ତୁତି କେନ୍ଦ୍ର ଜରିଆରେ ହିତାଧିକାରୀଙ୍କୁ ବଣ୍ଟନ ସହ ସରକାରି ଯୋଜନା କ୍ରୀୟାନ୍ୱୟନର ଔପଚାରିକତା କେବଳ ପୁରଣ ହେଉଥିବା ଆଲୋଚନାର ବିଷୟ ପାଲଟିଛି। ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଛତୁଆ ପ୍ୟାକେଟରେ ପ୍ରସ୍ତୁତି ତାରିଖ, ବ୍ୟାଚ ନମ୍ବର, ଓଜନରେ ଅନିୟମିତତା ଛତୁଆର ମାନ ନେଇ ସନ୍ଦେହକୁ ଆହୁରି ଦୃଢିଭୁତ କରୁଛି। ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ପ୍ରତ୍ୟେକ ମାସ ୧ ତାରିଖରେ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରରେ ମାତୃ କମିଟି, ଯାଂଚ କମିଟି ଏବଂ ସ୍ୱତନ୍ତ୍ର ନୀରିକ୍ଷକଙ୍କ ସମ୍ମୁଖରେ ହିତାଧିକାରୀଙ୍କୁ ଛତୁଆ ବଣ୍ଟନ କରିବାକୁ କଡା ନିର୍ଦ୍ଦେଶ ରହିଛି।

ଚଳିତ ମାସ ଟିଟିଲାଗଡ ବ୍ଲକରେ ଅଦ୍ୟାବଧି ଅନେକ ହିତାଧିକାରୀ ଛତୁଆ ଖାଦ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି। କିଛି କେନ୍ଦ୍ରରେ ବନ୍ଟନ କରାଯାଇଥିବା ଛତୁଆ ପ୍ୟାକେଟରେ ପ୍ରସ୍ତୁତି ତାରିଖ ୧୭.୨.୧୮, ୧୮.୨.୧୮ ଉଲ୍ଲେଖ ରହିଛି। ଅନେକ ଛତୁଆ ପ୍ୟାକେଟରେ ତାରିଖ ପଡିନି। ପ୍ୟାକେଟ ଗୁଡିକରେ ବ୍ୟାଚ ନମ୍ବର ନାହିଁ। ଅନେକ ଛତୁଆ ପ୍ୟାକେଟ ଏବଂ ଲଡୁ ପ୍ୟାକେଟରେ ନିର୍ଦ୍ଧାରିତ ପରିମାଣରୁ କମ ଓଜନର ଖାଦ୍ୟ ପ୍ୟାକିଙ୍ଗ ହୋଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଅନିୟମିତତା ନେଇ ‘ସମାଜ’ରେ ଖବର ପ୍ରକାଶନ ପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ବ୍ଲକ ଅନ୍ତର୍ଗତ ୯ଟି ସେକ୍ଟରର ସୁପରଭାଇଜରଙ୍କୁ ଆସନ୍ତା କାଲି ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।

ଅପରପକ୍ଷରେ ପ୍ରକୃତ ତଥ୍ୟ କିଭଳି ସାମ୍ନାକୁ ଆସିବ ସେ ନେଇ ଛତୁଆ ପ୍ରସ୍ତୁତକରି ସଂସ୍ଥାକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ଦିନରାତି ଏକ କରି ଦେଇଥିବା ଆଲୋଚନା ହୋଇଛି। ପୁର୍ବରୁ ଗୋଟିଏ ବ୍ଲକର ଅଧା ଅଂଶକୁ ଠିକ ଭାବରେ ଛତୁଆ ପ୍ରଦାନ କରିବାରେ ଅସମର୍ଥ ପ୍ରସ୍ତୁତକାରୀ ସଂସ୍ଥାକୁ ସମ୍ପୁର୍ଣ୍ଣ ଟିଟିଲାଗଡ ବ୍ଲକର ଅତିରିକ୍ତ ଦାୟିତ୍ୱ ପ୍ରଦାନ ନେଇ ବିଭିନ୍ନ ଆଲୋଚନା ହୋଇଛି। ନିର୍ଦ୍ଧାରିତ ୨୩ ତାରିଖରେ ପୁର୍ବ ବ୍ଲକ ସହ ଟିଟିଲାଗଡ ବ୍ଲକ ପାଇଁ ଆବଶ୍ୟକ ପ୍ରାୟ ୩୦୦ କ୍ୱିଣ୍ଟାଲ ଉପାଦାନ ଉକ୍ତ ସଂସ୍ଥା କିଭଳି ମିଶ୍ରଣ କରିବ ସେ ନେଇ ପ୍ରଶ୍ନ ହୋଇଛି। ଅଦ୍ୟାବଧି ସମ୍ପୃକ୍ତ ସଂସ୍ଥା ଟିଟିଲାଗଡ ବ୍ଲକର ସମସ୍ତ ହିତାଧିକାରୀଙ୍କୁ ଛତୁଆ ଯୋଗାଣ କରିନଥିବା ବେଳେ ପ୍ରଶାସନ ସରକାରି ନିର୍ଦ୍ଦେଶକୁ କାହା ସ୍ୱାର୍ଥରେ ଆଖି ବୁଜି ବସିଛି ତାହା ସହଜରେ ଗ୍ରହଣ କରିହେଉନାହିଁ। ଏନେଇ ରାଜ୍ୟ ସରକାର ଶିଶୁ ଏବଂ ମହିଳାଙ୍କ ସ୍ୱାର୍ଥରକ୍ଷା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Comments are closed.