ବେନ୍ଦେର ସମିତି ସଭ୍ୟ ଉପ ନିର୍ବାଚନ, ଅରୁଣ ପ୍ରଧାନ ବିଜୟୀ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ସମିତି ସଭ୍ୟ ଉପ ନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ନିର୍ବାଚନରେ ୧୫୬୯ ଭୋଟରୁ ଅରୁଣ ପ୍ରଧାନ ୭୮୮ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଲଛମନ ନାଗ ୬୭୮ ଭୋଟ ପାଇଥିଲେ। ୧୦୩ ଭୋଟ ନାକଚ ହୋଇଥିଲା। ଅରୁଣ ୧୧୦ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ହୋଇଛନ୍ତି।

ବେନ୍ଦେର ସମିତି ସଭ୍ୟଙ୍କ ମୃତ୍ୟୁ ହେବା ଯୋଗୁଁ ସମିତି ସଭ୍ୟ ପଦ ବର୍ଷେରୁ ଅଧିକ ହେବ ଖାଲି ଥିଲା। ଗୁରୁବାର ସମିତି ସଭ୍ୟ ପାଇଁ ନିର୍ବାଚନ କରାଯାଇଥିଲା। ଏହି ନିର୍ବାଚନରେ ଅରୁଣ ପ୍ରଧାନ ଓ ଲଛମନ ନାଗ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜେଡି ଦଳ ପକ୍ଷରୁ ନିର୍ବାଚନ ଜିତିବା ପାଇଁ ବିଜେଡି ନେତା ଏବଂ କର୍ମୀମାନେ ଅରୁଣଙ୍କୁ ସମର୍ଥନ ଦେଇଥିଲେ। ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ବେନ୍ଦେର ପଞ୍ଚାୟତ ଗସ୍ତ କରି ନିର୍ବାଚନ ପ୍ରଚାର କରିଥିଲେ। ଦଳ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଖଗେଶ୍ୱର ପଧାନ, ବିଧାୟକ ପ୍ରତିନିଧି ପଂଚୁଦେବ ସାହୁ, ବ୍ଲକ ସମ୍ପାଦକ ରମେଶ ପଧାନ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ପଟେଲ ପ୍ରମୁଖ ଏହି ନିର୍ବାଚନ ପରିଚାଳନା କରୁଥିଲେ। ଆଜି ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି କରାଯାଇ ଅରୁଣଙ୍କୁ ବିଜୟୀ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ବିଡିଓ ତରଣି ସୁନା। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜେଡି ଶିବିର ଉତ୍ସବ ପାଳନ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମେହେର, ଇନ୍ଦ୍ରମଣି ସାହୁ, ଶୋଭନମୟ ମିଶ୍ର, ମୋହନ ସୁନା, ଚନ୍ଦ୍ରଭାନୁ ପଧାନ, ଟିଲୁ ରଥ, ତୁଲେଶ୍ୱର ମାଝୀ, ଗଜାନନ ପଧାନ, ଅମୃତ ବରିହା, ଜୟସୂଦନ ବରିହା, ରାମ ଦଣ୍ଡିଆ, ସଞ୍ଜୟ ପଧାନ ପ୍ରମୁଖ ବହୁ ଦଳୀୟ କର୍ମୀ ନବନିର୍ବାଚିତ ସମିତି ସଭ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.