ପାଇଖାନା ତିଆରିରେ ଦୁର୍ନୀତି ଅଭିଯୋଗ ; ବେଲପଡା ବ୍ଲକ ସମ୍ମୁଖରେ ଧାରଣା ଦେଲା କୋସଲ କମିଟି

ବେଲପଡା : ବଲାଙ୍ଗିର ଜିଲା ବେଲପଡା ବ୍ଲକରେ ପାଇଖାନା ତିଆରିରେ ବହୁ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଦୁର୍ନୀତିରେ ଠିକାଦାର ଓ ସଂପୃକ୍ତ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ। ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରାଯାଉ। ଏଥିପାଇଁ ବୁଧବାର ବେଲପଡା କୋସଲ କମିଟି ଭିଜିଲାନ୍ସ ତଦନ୍ତ ଦାବି ନେଇ ବେଲପଡା ବିଡିଓ ଅନୁପସ୍ଥିତିରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସୁଧାକର ମହାପାତ୍ରଙ୍କୁ ଏକ ୩ ଦଫା ଦାବିପତ୍ର ଦିଆଯାଇଛି। ପାଇଖାନା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯିବା ସହ ଆସନ୍ତା ୧୫ ଭିତରେ ତଦନ୍ତ ନହେଲେ ବ୍ଲକ ସମ୍ମୁଖରେ ଧାରଣା, ଦୁର୍ନୀତିଖୋର ଠିକାଦାର ଓ ଏଥିରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଓ ବାକି ରହିଥିବା ପାଇଖାନା ନିର୍ମାଣ ତୁରନ୍ତ କରାଯିବା ସହ ପ୍ରକୃତ ହିତାଧିକାରୀଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।

ପ୍ରକାଶ ଥାଉକି ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଗତ ୬ ବର୍ଷରେ ୩୪ ହଜାର ୩୮୯ ଟି ପାଇଖାନା ନିର୍ମାଣ କରାଯାଇଛି। ନିର୍ମାଣ କରିବା ପାଇଁ ୧୨ ହଜାର ସହାୟତା ରାଶି ଦିଆଯାଇଛି। ବର୍ତ୍ତମାନ ପାଇଖାନା ଭାଙ୍ଗି ପଡିଯାଇଥିବା ବେଳେ ଅନେକ ସ୍ଥାନରେ ପାଇଖାନା ବ୍ୟବହାର ହେଉ ନାହିଁ। ବାହ୍ୟ ମଳମୂତ୍ର ମୁକ୍ତ ଅଞ୍ଚଳ ଭାବେ କେବଳ ଗାଁମାନଙ୍କୁ ପ୍ରମାଣପତ୍ର ମିଳିଛି। ହେଲେ ପାଇଖାନାରେ ପେଟ ସଫା ହେଉନି। ତେଣୁ ପୁରୁଣା ଅଭ୍ୟାସ ଛାଡି ପାରି ନାହାନ୍ତି ଲୋକେ। କେଉଁଠି ପାଇଖାନା ଅଧପନ୍ତରିଆ, କୁକୁଡ଼ା ଘର, ଘରୋଇ ଉପକରଣ ରଖିବା ଗୋଦାମ ଘର ପାଲଟିଛି। ସେହିପରି ଅନେକ ଗାଁରେ ପାଇଖାନା ତିଆରି ହୋଇଥିବା ପ୍ରଦର୍ଶନୀ କୋସଲ କମିଟିର ବେଲପଡା ବ୍ଲକ ସଭାପତି ଜନାର୍ଦ୍ଦନ ସିଂ,ବଲାଙ୍ଗିର ଜିଲା କୋସଲ ସମନ୍ୱୟ ଯୁବ ସଭାପତି ବନମାଳୀ ନାଏକ, କୋସଲ ସମନ୍ୱୟର ରାଜ୍ୟ ସାଧାରଣ ସଂପାଦକ ଅଚ୍ୟୁତ ସିପୁନ ଖମାରୀ, ଜିତୁ ନାଏକ, ଗୁଣନିଧି ବର୍ଗେ, ଲଲିତ ମୋହନ ବୁଡେକ, ସନ୍ୟାସୀ ନାଏକ, ପ୍ରମୋଦ ବୁଡେକ ଓ ନାରୀନେତ୍ରୀ ଚନ୍ଦ୍ରକାନ୍ତି ସେଠ, ନିରୁପମା ଧରୁଆଙ୍କ ସହ ଅନ୍ୟମାନେ ଧାରଣାରେ ବସିଥିଲେ।

Comments are closed.