୧୬ ବର୍ଷରୁ କମ୍‍ ଚେସ୍‍, ମନୀଷ ଓ ୟାଶିତା ବିଜେତା

କଟକ: ଖୋର୍ଦ୍ଧା ଜିଲାର ମନୀଷ କୁମାର ଓ ୟାଶିତା ରାଉତ ଚଳିତବର୍ଷର ରାଜ୍ୟ ୧୬ ବର୍ଷରୁ କମ୍‍ ଚେସ୍‍ ଚାମ୍ପିଅନ୍‍ ଆଖ୍ୟା ଅର୍ଜନ କରିଛନ୍ତି। ନିଖିଳ ଓଡ଼ିଶା ଚେସ୍‍ ଆସୋସିଏସନ୍‍ (ଏଓସିଏ) ପକ୍ଷରୁ ଅନ୍‍ଲାଇନରେ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‍ଯାପନ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଓପନ ବିଭାଗରେ ମନୀଷ କୁମାର ୬ ରାଉଣ୍ଡରୁ ୬ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କ ପଛକୁ ୨ ଜଣ ଖେଳାଳି ଖୋର୍ଦ୍ଧାର କୌସ୍ତୁଭ ଦାଶ ୨ୟ ଓ ହର୍ଷିତ ରଞ୍ଜନ ସାହୁ ସମାନ ୫ ପଏଣ୍ଟ ଲେଖାଏଁ ପାଇ ୩ୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ସେହିପରି ବାଳିକା ବର୍ଗରେ ୟାଶିତା ୫ ରାଉଣ୍ଡରୁ ସର୍ବାଧିକ ୪.୫ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ତାଙ୍କ ପଛକୁ ଖୋର୍ଦ୍ଧାର ଆଉ ୩ ଖେଳାଳି ଅନନ୍ୟା ଅନାମିକା, ସୁହାନା ଜେନା, ବିଜୟଲକ୍ଷ୍ମୀ ବାରିକ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ଏବଂ ଓ କଟକର ପି. ସାଇରୂପା ୩ ପଏଣ୍ଟ ପାଇ ୫ମ ସ୍ଥାନ ଅଧିକାର କରିଛନ୍ତି। ଉଭୟ ବିଭାଗରୁ ପ୍ରଥମ ୨ ଜଣ ଖେଳାଳି ଯଥାକ୍ରମେ ୟାଶିତା ଓ ଅନନ୍ୟା ବାଳିକା ବିଭାଗରେ ଏବଂ ମନୀଷ ଓ କୌସ୍ତୁଭ ଓପନ ବିଭାଗରେ ଜାତୀୟ ୧୬ ବର୍ଷରୁ କମ୍‍ ଚେସ୍‍ ଚାମ୍ପିଅନ୍‍ସିପରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ଏମାନଙ୍କ ସହ ଆଉ ୩ ଖେଳାଳି ଖୋର୍ଦ୍ଧାର ସୁହାନା ଜେନା ଓ ମହିତୋଷ ଦେ ଏବଂ କଟକର ହର୍ଷିତ ରଞ୍ଜନ ସାହୁ ଉପରୋକ୍ତ ଚମ୍ପିଆନ୍‍ସିପରେ ଓଡ଼ିଶା ପାଇଁ ଖେଳିବେ। ସେହିପରି ଗୁରୁବାରଠାରୁ ୧୪ ବର୍ଷରୁ କମ୍‍ ଓପନ୍‍ ଓ ବାଳିକା ଚେସ୍‍ ଚମ୍ପିଆନ୍‍ସିପ୍‍ ଆରମ୍ଭ ହେବ।

Comments are closed.