ବର୍ଷା ପାଣିରେ ବୁଡିଲା ଛକରବାଞ୍ଜି ରେଳ ଭୂତଳ ପୋଲ

ବେଲଗାଁ : ସଇଁନ୍ତଲା ରେଳବାଇ ଷ୍ଟେସନ ନିକଟସ୍ଥ ଛକରବାଞ୍ଜି ଠାରେ ରେଳବାଇ ତଳ ପୋଳ ସାମାନ୍ୟ ବର୍ଷାରେ ଜଳମଗ୍ନ ହୋଇଛି। ସୂଚନା ଅନୁଯାୟୀ, ରେଲବାଇ ଷ୍ଟେସନ ନିକଟରେ ଥିବା ଛକରବାଞ୍ଜି ଗ୍ରାମବାସୀ ପ୍ରାୟତଃ ରେଳଧାରଣା ଦେଇ ସଇଁନ୍ତଲା ଡାକ୍ତରଖାନା, ସ୍କୁଲ କଲେଜକୁ ଯିବାକୁ ପଡୁଥିଲା। ଏହି ଧାରଣାରେ ବିଦ୍ୟୁତ ଯୋଗେ ଟ୍ରେନ ଚାଲିବା ପାଇଁ ତାର ବିଛା ସହ ଦୈତ ରେଳ ଧାରଣା ବିଛାଯିବା ନେଇ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଏନେଇ ପ୍ରାୟ ତିନି ବର୍ଷ ତଳେ ରେଲବିଭାଗ ଭୂତଳ ପୋଲ ନିର୍ମାଣ କରିଥିଲା। ହେଲେ ପୋଲର ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ସାମାନ୍ୟ ବର୍ଷାରେ ପ୍ରାୟ ୭ରୁ ୮ଫୁଟ ପାଣି ଜମିବା ନେଇ ବିଶେଷ କରି ଛାତ୍ରଛାତ୍ରଙ୍କ ପାଇଁ ବିପଦ ପାଲଟିଛି। ଗ୍ରାମର ଶ୍ୟାମ ପ୍ରଧାନଙ୍କ ଝିଅ ବିଦ୍ୟାଳୟକୁ ଯାଉଥିବା ବେଳେ ପୂର୍ବରୁ ପାଣିରେ ଭାସି ଯାଇ ଅଳ୍ପକେ ଜୀବନ ବର୍ତିଛି ବୋଲି ଅଭିଯୋଗ ହୋଇଛି। ଏନେଇ ରେଳବାଇ ନିଜ ତ୍ରୁଟି ସୁଧାରିବାକୁ ପୋଲକୁ ପୋତିବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ପୋଲକୁ ପୋତିବା ଉପକ୍ରମ ନେଇ ଆମ୍ବୁଲାନ୍ସ ମଧ୍ୟ ଆସିପାରିବ ନାହିଁ ବୋଲି ଗ୍ରାମବାସୀ ବିରୋଧ କରିବାକୁ ରେଳ ବିଭାଗ ଏଥିରୁ ବିରତ ରହିଥିଲା। ଗତ କିଛି ଦିନ ବର୍ଷା ନେଇ ସମ୍ପ୍ରତି ପୋଲରେ ପୁଣି ପାଣି ଜମି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥଳେ ଲୋକଙ୍କ ସୁବିଧା ପାଇଁ ନିର୍ମିତ ଭୂତଳ ପୋଲର ଏହି ଅବସ୍ଥା ପାଇଁ ରେଳ ବିଭାଗ ଉଚ୍ଚ କତୃପକ୍ଷ ତଦନ୍ତ ସହ ସମ୍ପୃକ୍ତ ଯନ୍ତ୍ରୀ ଏବଂ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.