ଅସହାୟ ରୋଗୀର ଚିକିତ୍ସା ଓ ଅଜଣା ଶବକୁ ଚାରିକାନ୍ଧ, ବିଙ୍ଗହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଜାରିହେଲା ହେଲ୍ପଲାଇନ ନମ୍ବର

ବଲାଙ୍ଗିର : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆସୁଥିବା ନିସଃହାୟ ରୋଗୀ ମାନଙ୍କୁ ସ୍ଥାନୀୟ ସମାଜସେବୀ ଅନୁଷ୍ଠାନ ବିଙ୍ଗହ୍ୟମାନ ଫାଉଣ୍ଡେସନ ସହାୟତା ଯୋଗାଇଆସୁଛି। ଏହି ଡାକ୍ତରଖାନାକୁ ଆସୁଥିବା ଅସହାୟ ରୋଗୀ ମାନଙ୍କୁ ଆହୁରି ସୁବିଧାରେ ସହାୟତା ଯୋଗାଇବା ପାଇଁ ଫାଉଣ୍ଡେସନ ତରଫରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

ସୂଚନା ଅନୁସାରେ ବଲାଙ୍ଗିର ଜିଲା ମୁଖ୍ୟ ଡାକ୍ତରଖାନା ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ହେବା ପରେ ଏହି ଡାକ୍ତରଖାନାରେ ପ୍ରତିଦିନ ଶହଶହ ରୋଗୀ ଆସିଥାନ୍ତି। ଜିଲା ସମେତ ଆଖପାଖ ପାଞ୍ଚୋଟି ଜିଲାର ରୋଗୀ ମାନେ ଏଠାକୁ ଆସୁଥିବା ବେଳେ ଅନେକ ଅସହାୟ ରୋଗୀ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇଥାନ୍ତି। ଏହାକୁ ନଜରରେ ରଖି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଗତ କିଛି ବର୍ଷ ହେଲା ଏହି ରୋଗୀ ମାନଙ୍କ ଚିକିତ୍ସାରେ ସହାୟତା ପ୍ରଦାନ କରିଆସୁଛି। ତେବେ ଏହିଭଳି ରୋଗୀ ମାନଙ୍କୁ ଆହୁରି ସୁବିଧାରେ ସହାୟତା ପ୍ରଦାନ କରିବା ପାଇଁ ଏକ ହେଲ୍ପ ଲାଇନ ନମ୍ବରର ଆରମ୍ଭ କରାଯାଇଥିବା ସଭାପତି ସୋମନାଥ ମିଶ୍ର ସୂଚନା ଦେଇଛନ୍ତି। ସୋମବାର ଏହି ନମ୍ବରକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏମ. ସନ୍ଦୀପ ସମ୍ପଦ, ମେଡିକାଲ କଲେଜ ଡାକ୍ତରଖାନା ଅଧିକ୍ଷକ ଡା. ମହେନ୍ଦ୍ର କୁମାର ନାଏକ, ଡାକ୍ତରଖାନା ମ୍ୟାନେଜର ସୁଦୀପ ଦତ୍ତା, ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ଲଲିତ କୁମାର ନାୟକ ଉନ୍ମୋଚନ କରିଥିଲେ। ଏହି ହେଲ୍ପଲାଇନ ନମ୍ବର ଅସହାୟ ରୋଗୀଙ୍କ ଚିକିତ୍ସା, ଅଜଣା ଶବ ସତ୍କାର କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ସମ୍ପାଦକ ବିବେକାନନ୍ଦ ପଟେଲ ସୂଚନା ଦେଇଛନ୍ତି।

Comments are closed.