କିନ୍ନରଙ୍କୁ ସ୍ବାବଲମ୍ବୀ ଯୋଜନା ବିଫଳ; ପାର୍କିଂ ଫି’ ଆଦାୟ ବ୍ୟବସ୍ଥା ପ୍ରତି ଅନିଚ୍ଛା

ବ୍ରହ୍ମପୁର: ତୃତୀୟ ଲିଙ୍ଗୀ କୁହାଯାଉଥିବା କିନ୍ନରଙ୍କୁ ସଶକ୍ତିକରଣ ପାଇଁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଉଦ୍ୟମ ଜାରି ରହିଛି। ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ମଧ୍ୟ ବ୍ରହ୍ମପୁର ସହରରେ ରହୁଥିବା କିନ୍ନରଙ୍କ ସାମଗ୍ରୀକ ବିକାଶ ଓ ସେମାନଙ୍କୁ ସ୍ୱାବଲମ୍ବୀ କରାଇବାକୁ ଯୋଜନା କରୁଛନ୍ତି। ହେଲେ ସେହି ଯୋଜନାଗୁଡ଼ିକ ବାଟବଣା ହୋଇପଡ଼ୁଛି। ସଠିକ ଭାବେ ଫଳପ୍ରଦ ହୋଇପାରୁ ନଥିବାରୁ ଯୋଜନାର ମହତ ଉଦ୍ଦେଶ୍ୟ ପୂରଣ ହୋଇପାରୁ ନାହିଁ। ପୂର୍ବରୁ କିନ୍ନରଙ୍କ ଦ୍ୱାରା ଜୋତା ତିଆରି କରାଇ ସେମାନଙ୍କ ପାଇଁ ରୋଜଗାରର ବାଟ ଦେଖାଇଥିବା ବିଏମସି ଏବେ କିନ୍ନରଙ୍କୁ ପାର୍କିଂ ଫି’ ଆଦାୟ ଦାୟିତ୍ୱ ଦେଇଛି। ପୂର୍ବରୁ ସେଣ୍ଡେଲ (ଜୋତା)ନିର୍ମାଣ
ଯୋଜନା ବିଫଳ ହୋଇଥିବା ବେଳେ ଏବେ ପାର୍କିଂ ଫି’ ଆଦାୟ ଯୋଜନା ସେହି ରାସ୍ତାରେ ଗତି କରୁଥିବା ଦେଖିବାକୁ ମିଳିଛି।
ଆଜକୁ ଦେଢ ବର୍ଷ ତଳେ ବିଏମସି ପକ୍ଷରୁ ବ୍ରହ୍ମପୁର ସହରର ୩୦ରୁ ଊର୍ଦ୍ଧ୍ବ କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇବାକୁ ବିଏମସି ପକ୍ଷରୁ ଯୋଜନା କରାଯାଇଥିଲା। କୋଲକାତାର ଏକ ସେ​‌େ​‌ଣ୍ଡଲ ତିଆରି କମ୍ପାନୀ ସହ ଚୁକ୍ତି ହୋଇଥିଲା। ସେହି କମ୍ପାନୀ କିନ୍ନରଙ୍କୁ କଞ୍ଚମାଲ ଦେଇ ଏଠାରେ ଜୋତା ତିଆରି କରିବା ସହ ବ୍ରହ୍ମପୁର ବଜାରରେ ବିକ୍ରି କରିବା ଦାୟିତ୍ୱ ମଧ୍ୟ କିନ୍ନରଙ୍କୁ ଦିଆଯାଇଥିଲା। କମିଶନ ବାବଦକୁ ଜଣେ କିନ୍ନରଙ୍କୁ ୬ ରୁ ୭ ହଜାର ମିଳୁଥିବା ବେଳେ କିଛି କିନ୍ନର ପାରିଶ୍ରମିକ ପାଇବାରୁ ବଞ୍ଚିତ ହୋଇଥିଲେ। ସେହିପରି ‘ସ୍ପାଇସ୍‍’ ତିଆରି କରାଯାଉଥିବା ଏହି ସେଣ୍ଡେଲ(ଫିତା ଚପଲ)ର ଦର ବଜାରରେ ଅଧିକ ଯୋଗୁ ଏହା ସେତେଟା ବିକ୍ରି ହୋଇପାରିନଥିଲା। ପ୍ରତିଯୋଗିତାମୂଳକ ବଜାରରେ ଗ୍ରାହକଙ୍କ ମନ କିଣିବାରେ ବିଫଳ ହେବା ପରେ ଧିରେ ଧିରେ ସେଣ୍ଡେଲ ବିକ୍ରି କମିବାରେ ଲାଗିଥିଲା। ଏପଟେ ବିକ୍ରି କମିବାରୁ କିନ୍ନରଙ୍କ ସଂଖ୍ୟା ମଧ୍ୟ କମି ଚାଲିଲା। କରୋନା ମହାମାରୀ ପରେ ସେଣ୍ଡେଲ ତିଆରି ବନ୍ଦ ହୋଇଯାଇଛି। ମହାମାରୀ ପୂର୍ବରୁ ସେଠାରେ ମାତ୍ର ୫ ରୁ ୭ ଜଣ କିନ୍ନର କାମ କରୁଥିଲେ ଏବଂ ନୂତନ ଘର ନେବାର ଯୋଜନା ରହିଥିବାରୁ ସେ​‌େ​‌ଣ୍ଡଲ ତିଆରି ବନ୍ଦ ରଖାଯାଇଥିଲା ବୋଲି ଗଞ୍ଜାମ ଜିଲା କିନ୍ନର ମହାସଂଘର ସଭାପତି ସୁଇଟି କହିଛନ୍ତି। ଅଧିକାଂଶ କିନ୍ନରଙ୍କୁ କାମ ଓ ଅବାଶ୍ୟକ ମୁତାବକ ରୋଜଗାର ଦେବାରେ ସେଣ୍ଡଲ ତିଆରି ଯୋଜନା ବିଫଳ ହୋଇଥିବା ଅନୁମାନ କରାଯାଉଛି। ଏପଟେ କିନ୍ନରଙ୍କ ପାଇଁ ବିଏମସି ପକ୍ଷରୁ ଆଉ ଏକ ନୂତନ ଯୋଜନା ହାତକୁ ନିଆଯାଇଛି। ସେ​‌େ​‌ପ୍ଟମ୍ବର ପହିଲାରୁ ସେମାନଙ୍କୁ ସହରର ୪ଟି ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନରେ ପାର୍କିଂ ଫି ଆଦାୟ କରିବାକୁ ଦାୟିତ୍ୱ ଦିଆଯାଇଛି। ଏହି ୪ ଛକରେ ଦିନରାତି ପାର୍କିଂ ଫି ଆଦାୟ ପାଇଁ ସହରର ୨୦ ଜଣ କିନ୍ନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କୁ ପିଓଏସ ମେସିନ ପ୍ରଦାନ କରାଯାଇଛି। ତେବେ ବିଏମସିର ଏହି ଯୋଜନା ଆରମ୍ଭରୁ ଆଣ୍ଠେଇବା ଭଳି ମନେ ହେଉଛି। ଏହା ମଧ୍ୟ କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇବାରେ ବିଫଳ ହେବ ବୋଲି ଆଲୋଚନା ହେଉଛି। ସଂଗୃହୀତ ତଥ୍ୟ କହୁଛି ବିଏମସି ପକ୍ଷରୁ କିନ୍ନରଙ୍କୁ କମିଶନ ଆଧାରରେ ପାର୍କିଂ ଫି ଆଦାୟ ପାଇଁ ଦାୟିତ୍ୱ ଦିଆଯାଇଛି। ଅର୍ଥାତ ହଜାରେ ଟଙ୍କା ଆଦାୟ ହେଲେ କିନ୍ନରମାନଙ୍କୁ ୫୦ ଟଙ୍କା କମିଶନ ଦିଆଯିବ ବୋଲି ଚୁକ୍ତି ହୋଇଛି। ଏପଟେ ସହରରୁ ପାର୍କିଂ ଫି ଆଦାୟ ପାଇଁ ଦୈନିକ ୮ ରୁ ୧୦ ଜଣ କିନ୍ନରଙ୍କୁ ଦିନରାତି ପରିଶ୍ରମ କରିବାକୁ ପଡ଼ୁଛି ବୋଲି କିନ୍ନର ଟିକିନା କହିଛନ୍ତି। ଯଦି ଦିନକୁ ୧୦ ହଜାର ଟଙ୍କା ବି ଆଦାୟ ହୁଏ ତେବେ ୫୦ ଟଙ୍କା ସିହାବରେ କିନ୍ନରଙ୍କୁ ମୋଟ ୫୦୦ ଟଙ୍କା ମିଳିବ। ପରିଶ୍ରମ ତୁଳନାରେ ଏହି ଟଙ୍କା ଅତି ନଗଣ୍ୟ ହୋଇଥିବାରୁ ପାର୍କିଂ ଫି ବ୍ୟବସ୍ଥାରୁ କିଛି କିନ୍ନର ମୁହଁ ଫେରାଇବା ଆରମ୍ଭ କଲେଣି। ବର୍ତ୍ତମାନ କରୋନା ଡର ଥିବାରୁ ଲୋକେ ବଜାରକୁ ଆସିବାକୁ ଡ଼ରୁଛନ୍ତି। ଏଭଳିସ୍ଥିତିରେ ଅଧିକ ପାର୍କିଂ ଫି ଆଦାୟ ହେବା ଆଶା କ୍ଷୀଣ। ତେଣୁ ଆଗାମୀ ଦିନରେ ବିଏମସିର ଏହି ପାର୍କିଂ ଫି ଆଦାୟ ଯୋଜନା ହାତଗଣତି କିଛି କିନ୍ନରଙ୍କ ପାଇଁ ହିଁ ରୋଜଗାର ଦେଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଏପଟେ ବିଏମସି ଯଦି କିନ୍ନରଙ୍କୁ ପ୍ରକୃତରେ ସ୍ୱାବଲମ୍ବୀ କରିବାକୁ ଚାହୁଁଛି ତେବେ ସେମାନଙ୍କୁ ନିଗମ କାର୍ଯ୍ୟଳୟରେ ନିଯୁକ୍ତି ଦିଆଯାଉ। ନଚେତ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରି ତାହାର ତଦାରଖରେ କିନ୍ନରଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସଂଘ ସଭାପତି ସୁଇଟି ଦାବି କରିଛନ୍ତି।

Comments are closed.