ଏକତା କପୁର ଓ ତାଙ୍କ ମାଆଙ୍କ ବିରୋଧର ଗିରଫ ପରୱାନା ଜାରି

ମୁମ୍ବାଇ: ଏକତା କପୁର ତାଙ୍କ ୱେବ୍‌ ସିରିଜ୍‌ XXX ସିଜନ୍‌-୨କୁ ନେଇ ଅଡ଼ୁଆରେ। ଏକତା କପୁର ଓ ତାଙ୍କ ମାଆ ଶୋଭା କପୁରଙ୍କ ବିରୋଧରେ ବେଗୁସରାଇ କୋର୍ଟଙ୍କ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଛି। ଗତ ବର୍ଷ ବିହାରର ବେଗୁସରାଇ କୋର୍ଟରେ ଏହି ସିରିଜ୍‌ରେ ଦେଖାଯାଇଥିବା ଆପତ୍ତିଜନକ ଦୃଶ୍ୟକୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଏବେ ସୈନିକମାନଙ୍କୁ ଅପମାନିତ କରିବା ମାମଲାରେ କୋର୍ଟ ଏକତା ଏବଂ ଶୋଭା କପୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଏହି ୱେବ୍ ସିରିଜରେ ସୈନିକଙ୍କ ପତ୍ନୀଙ୍କର ଅନେକ ଆପତ୍ତିଜନକ ଦୃଶ୍ୟ ଦେଖାଯାଇଥିଲା, ଯାହାକୁ ନେଇ ଗତ ବର୍ଷ ବିହାରର ବେଗୁସରାଇରେ ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ୱେବ୍ ସିରିଜରେ ସୈନିକ ଏବଂ ସେମାନଙ୍କ ପତ୍ନୀଙ୍କୁ ଭୁଲ୍ ଚିତ୍ରଣ କରିଛନ୍ତି, ଯେଉଁଥିପାଇଁ ଲୋକଙ୍କ ଭାବନା ଆଘାତ ପାଇଛି। ଏହି ମାମଲାରେ ବେଗୁସରାଇ କୋର୍ଟ ଏକତା କପୁର ଏବଂ ତାଙ୍କ ମାତା ଶୋଭା କପୁରଙ୍କୁ ସମନ ଜାରି କରି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲାରେ ପୂର୍ବତନ ସୈନିକ ସଂଘର ଜିଲ୍ଲା ସଭାପତି ଶମ୍ଭୁ କୁମାର ଏକ ବର୍ଷ ପୂର୍ବେ ଏତଲା ରୁଜୁ କରିଥିଲେ। ଶମ୍ଭୁ କୁମାରଙ୍କ କହିବାକଥା, ଏହି ସିରିଜରେ ଦେଖାଯାଇଥିବା ଦୃଶ୍ୟ ଦ୍ୱାରା ତାଙ୍କୁ ବହୁତ ଆଘାତ ଲାଗିଛି। ସେ କହିଥିଲେ ଯେ, ଭାରତୀୟ ସୈନିକମାନେ ନିଜକୁ ବିପଦରେ ପକାଇ ଦେଶ ସେବା କରନ୍ତି। ତେଣୁ ସେମାନଙ୍କୁ ସମ୍ମାନ ଦେବା ଉଚିତ୍, କିନ୍ତୁ ଏଠାରେ ବିପରୀତ ଘଟଣା ଘଟୁଛି। ଏହି ସିରିଜରେ ଭାରତୀୟ ଯବାନ ଏବଂ ତାଙ୍କ ପତ୍ନୀଙ୍କୁ ଭୁଲ ଭାବେ ପ୍ରଦର୍ଶନ କରାଯାଇଛି।

ଅପରପକ୍ଷେ, ଏକତା କପୁର ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଥିଲେ। ଏକତା କହିଥିଲେ ଯେ, ସେ ଏ ବିଷୟରେ ସୂଚନା ପାଇବା ମାତ୍ରେ ୱେବସିରିଜରୁ ସେହି ଦୃଶ୍ୟକୁ ହଟାଇ ଦେଇଥିଲେ। ଏହା ସହିତ ଏକତା ତାଙ୍କ ଭୁଲକୁ ସ୍ବୀକାର କରି ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ।

 

Comments are closed.