ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହତ୍ୟା ପ୍ରସଙ୍ଗ: ମାଷ୍ଟରମାଇଣ୍ଡ ସମେତ ୫ ଗିରଫ

୩ ପିସ୍ତଲ, ୬୨ ଜୀବନ୍ତ ଗୁଳି ଓ କାର୍‌ ଜବତ

ଛତ୍ରପୁର/କୋଦଳା: ଗଞ୍ଜମ ଜିଲା ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣାର ପର୍ଦାଫାସ ହୋଇଛି। ହତ୍ୟା ଘଟଣାରେ ସଂପୃକ୍ତ ମାଷ୍ଟରମାଇଣ୍ଡ ଅଜୟ ବାରିକ ସମେତ ୫ ଜଣଙ୍କୁ ପୁଲିସ ଆଜି ଗିରଫ କରିଛି। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ନୃଶଂସ ହତ୍ୟା ଘଟିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।
ଗଞ୍ଜାମ ଏସପିଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଶ୍ରୀ ଭୋଇ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ହତ୍ୟା ଘଟଣାରେ କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ଅଜୟ ବାରିକ, ଖୋଜାପଲ୍ଲୀ ଗ୍ରାମର ବଳିଆ ଓରଫ ବଳରାମ ପରିଡା, ପବନା ପାହନ, କହ୍ନେଇପୁର ଗାଁର କାର ଚାଳକ ପ୍ରଶାନ୍ତ ସ୍ୱାଇଁ ଓ ସୁମଣ୍ଡଳର ଗଗନ ବିଶ୍ୱାଳକୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩ ଟି ୭.୬୨ ଏମଏମ୍ ପିସ୍ତଲ, ୫ଟି ମାଗାଜିନ୍, ୬୨ ଟି ଜୀବନ୍ତ ଗୁଳି, ୭ ଟି ମୋବାଇଲ ଫୋନ୍, ଇଣ୍ଡିଗୋ କାର (ଓଡି ୦୭ କେ ୩୪୮୪) ଜବତ ହୋଇଛି।

ମାଷ୍ଟରମାଇଣ୍ଡ ଅଜୟର ଆଧାର କାର୍ଡ ଓ ବଳରାମର ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ୱାଲେଟ( ୩ ହଜାର ୫୦୦ ଟଙ୍କା ନଗଦ) ସହ କଲେଜ ପରିଚୟପତ୍ର ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ବୟସ ୨୨ ରୁ ୨୫ ବର୍ଷ ମଧ୍ୟରେ ହେବ। ଅଜୟ, ବଳିଆ ଓ ପବନା ପୂର୍ବରୁ ଏକ ଗୁଳିମାଡ଼ ମାମଲାରେ ଜଡିତ ଅଛନ୍ତି। ହତ୍ୟା ଘଟଣାରେ କୌଣସି ରାଜନୈତିକ ଶତ୍ରୁତା ନଥିବା ଡିଆଇଜି କହିଛନ୍ତି। ପୂର୍ବ ଶତ୍ରୁତା ଏବଂ ବ୍ୟବସାୟକୁ ନେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା କରାଯାଇଛି। ଅଜୟ ଏହି ହତ୍ୟା ମାମଲାର ମାଷ୍ଟରମାଇଣ୍ଡ। ତେବେ ଗଗନ ଏ ସଂକ୍ରାନ୍ତ ସମସ୍ତ ସୂଚନା ଦେବା ପରେ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।
ଦୁଇତିନି ବର୍ଷ ହେଲା ଅଜୟ ଓ ଦେବରାଜ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏନେଇ ଅଭିଯୁକ୍ତମାନେ ଦୁଇଥର ହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ। ଯଦି ହତ୍ୟା​‌େର ଅନ୍ୟ କେହି ସଂପୃକ୍ତ ଅଛନ୍ତି ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି। ଘଟଣା ଦିନ ଦେବରାଜ ଚା’ ଦୋକାନ ଠାରେ ଠିଆ ହୋଇଥିବା ନେଇ କିଏ ଅଜୟକୁ ସୂଚନା ଦେଇଥିଲା ଏବଂ କିଏ ସେମାନଙ୍କୁ ପିସ୍ତଲ ଓ ଗୁଳି ଯୋଗାଇଥିଲା ତାହାର ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି।
୨୦୨୦ ସେପ୍ଟେମ୍ବରରେ ଦେବରାଜ ଓ ଅଜୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଅଜୟ ଯୋଜନା କରୁଥିଲା। ହତ୍ୟା ପାଇଁ ଅଜୟ ଓ ଅନ୍ୟମାନେ ୩ ଟି ପିସ୍ତଲ ଓ ୧୧୬ ରାଉଣ୍ଡ ଗୁଳି କିଣିଥିଲେ।

 

ଗତ ୨୦ ତାରିଖ ସକାଳ ସାଢେ ୮ଟା ବେଳେ ଏକ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର ଆସି ବଜାର ମଝିରେ ଅଟକିଥିଲା। ଚାଳକ ଗାଡି ଷ୍ଟାର୍ଟରେ ରଖି ବସିଥିବାବେଳେ ହଠାତ୍ ସେଥିରୁ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବାହାରି ସୁମଣ୍ଡଳ ବଜାରର ଏକ ଚା’ ଦୋକାନରେ ଛିଡା ହୋଇଥିବା ଦେବରାଜଙ୍କ ଉପରକୁ ଅତର୍କିତ ଗୁଳି ଚଲାଇଥିଲେ। ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ବ୍ଲାଙ୍କ ଫାୟାରିଂ କରି ଘଟଣାସ୍ଥଳରୁ ଖସି ପଳାଇଥିଲେ। ହତ୍ୟା ଘଟଣା ସମ୍ପର୍କରେ କୋଦଳା ଥାନାରେ କେଶ୍ ନଂ ୨୩/୨୧ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁଙ୍କ ନେତୃତ୍ୱରେ କୋଦଳା ପୁରୁ​‌େ​‌ଷାତ୍ତମପୁ ଓ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା। ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଟିମକୁ ମନିଟରିଂ କରୁଥିଲେ। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଶ୍ରୀ ପାତ୍ର, ଡିଆଇବି ଡିଏସପି ଅଜୟ କୁମାର ମିଶ୍ର, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ, କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତି ,ବେଗୁନିଆପଡା ଏସଆଇ ଦୀପ୍ତିରଞ୍ଜନ ବେହେରା, କୋଦଳା ଏସଆଇ ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.