ବୁଲେଟକୁ ଧକ୍କା ଦେଲା ବୋଲେରୋ: ବୁଲେଟ ଚାଳକ ମୃତ, ଡ୍ରାଇଭର ଗିରଫ

ବେଗୁନିଆ: ବେଗୁନିଆ ପୋଷ୍ଟ ଅଫିସ ଛକ ନିକଟରେ ଆଜି ରାସ୍ତା ପାର୍ଶ୍ବରେ ବୁଲେଟ ରଖି ଜନୈକ ବ୍ୟକ୍ତି ଠିଆ ହୋଇ ଫୋନରେ କଥା ହେଉଥିବା ବେଳେ ନୟାଗଡରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ବରୀ ବ୍ଲକ ମହାକାଳପଡ଼ା, ରତ୍ନଗିରିର ନୀଳମଣି ଜେନାଙ୍କ ପୁଅ ନରେନ୍ଦ୍ରକୁମାର ଜେନା ବେଗୁନିଆରେ ଥିବା ବୁଲେଟ ଶୋରୁମରେ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ଅପରାହ୍ନରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବାବେଳେ ପୋଷ୍ଟ ଅଫିସ ଛକ ନିକଟରେ ରାସ୍ତା ପାର୍ଶ୍ବରେ ଠିଆ ହୋଇ ଫୋନରେ କଥା ହେଉଥିଲେ। ଏହି ସମୟରେ ତାଙ୍କ ପଛରୁ ନୟାଗଡରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ବୋଲେରୋ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେସେ ପ୍ରାୟ ୨୦ ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିଥିଲେ ଏବଂ ଘଟଣାସ୍ଥଳରରେ ତାଙ୍କର ମୃତ୍ୟୁ ହୋଇଥିଲା। ବେଗୁନିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ବୁଲେଟ ଏବଂ ବୋଲେରୋଟିକୁ ଜବତ କରି ଥାନାକୁ ଆଣିଥିବାବେଳେ ବୋଲେରୋ ଡ୍ରାଇଭର ସରଣକୁଳ ମାଳିସାହିର ବିଜୟ କୁମାର ନାୟକକୁ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି।

Comments are closed.