ବେଗୁନିଆ ରେଳ ଷ୍ଟେସନରେ ଯାତ୍ରୀ ହନ୍ତସନ୍ତ; ଷ୍ଟେସନ କାର୍ଯ୍ୟାଳୟରେ ଝୁଲୁଛି ତାଲା

କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥରେ ଟ୍ରେନ ଗଡ଼ିବାର ଶୁଭାରମ୍ଭ ପ୍ରଥମେ ବେଗୁନିଆରେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବହୁ ଉଚ୍ଚ ପଦାଧିକାରୀଙ୍କ ଗହଣରେ ଉଦ୍‌ଘାଟନ ହୋଇଥିଲା । କିନ୍ତୁ ସେହି ସମୟରେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଦେଇଯାଇଥିବା ପ୍ରତିଶୃତି ଅନୁସାରେ ରେଳ ବିଭାଗ ଉକ୍ତ ଷ୍ଟେସନର ଉନ୍ନତିକରଣ ସହ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ପଛଘୁଞ୍ଚା ଦେଇ ଚାଲିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । କରୋନା ଆରମ୍ଭ ହେବା ଦିନଠାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥରେ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ଗୋଟିଏ ଦୁଇଟି ଟ୍ରେନ ଏହି ଷ୍ଟେସନରେ ଅନବରତ ସ୍ଥାନ ଅଭାବରୁ ଥୁଆ ହୋଇ ରହୁଛି । ବେଗୁନିଆ-କଡବ ରାସ୍ତାରୁ ଷ୍ଟେସନକୁ ଯାଇଥିବା କଂକ୍ରିଟ ରାସ୍ତାର ଦୁଇପାର୍ଶ୍ବରୁ ଗଛଗୁଡିକ ବଢି ରାସ୍ତା ଅବରୋଧ କରୁଥିବାବେଳେ ଏହା ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । କଂକ୍ରିଟ ରାସ୍ତାଟି ଫାଟି ଗଲାଣି । ଏଠାରେ ପିଇବା ପାଣିର ସୁବିଧା ନାହିଁ । ଷ୍ଟାଫ ରେଷ୍ଟ ହାଉସ ନିକଟରେ ହୋଇଥିବା ବୋରିଂରୁ ପ୍ଲାଟଫର୍ମକୁ ପାଣି ଆସୁନାହିଁ । ଫଳରେ ପ୍ଲାଟଫର୍ମର ଉଭୟ ପାର୍ଶ୍ଵରେ ଥିବା ଟ୍ୟାପ ଅକାମୀ ହୋଇ ପଡିଛି ।

ଦୁଇଜଣ ଆରପିଏଫ ଷ୍ଟାଫ ରେଷ୍ଟ ହାଉସରେ ରହୁଥିବାବେଳେ ସେମାନଙ୍କୁ ୧୫ ଦିନରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । କାର୍ୟ୍ୟାଳୟ ଭିତରେ ସେମାନଙ୍କର ରହିବା ବନ୍ଦୋବସ୍ତ କରା ନଯାଇ କାର୍ଯ୍ୟାଳୟ ବାହାରେ ଥିବା ଷ୍ଟାଫ ରେଷ୍ଟ ହାଉସରେ ସେମାନଙ୍କ ରହିବା ବନ୍ଦୋବସ୍ତ କରାଯାଇଛି । ଫଳରେ ନିରାପତ୍ତା ବିପନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି । ଷ୍ଟେସନ ପ୍ଲାଟଫର୍ମ ପାରା ମଳରେ ଭର୍ତ୍ତି ହେବା ସହିତ ବିଲଡିଂର ସବୁଆଡେ ଶିଉଳି ହୋଇଗଲାଣି । ବିଲ୍ଡିଂର ଅନେକ ଜାଗା ଭାଙ୍ଗି ରୁଜି ଗଛ ଉଠି ଗଲାଣି । ବାହାର ଲାଇଟର ସୁଇଚଗୁଡିକ ଏସଏମଙ୍କ ରୁମ ଭିତରେ ରହୁଥିବା ଯୋଗୁଁ ଏବଂ ଏଠାରେ କେହି କର୍ମଚାରୀ ରହୁନଥିବା ଯୋଗୁଁ ରୁମଗୁଡିକ ତାଲା ପଡି ରହୁଛି । ଫଳରେ ବାହାର ଲାଇଟ ନଜଳିବାରୁ ପରିବେଶ ପୁରା ଅନ୍ଧାର ରହୁଥିଲା । ପ୍ଲାଟଫର୍ମ ଅନ୍ଧାର ରହୁଥିବାବେଳେ ଅସାମାଜିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିଲା । ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସେବା ଏକ୍ସପ୍ରେସ ଭୁବନେଶ୍ୱରରୁ ମହିପୁର ସକାଳେ ସନ୍ଧ୍ୟାରେ ଯିବା ଆସିବା କରିବା ଦିନଠାରୁ ଷ୍ଟେସନ ମାଷ୍ଟରଙ୍କ ରୁମ ତାଲା ପଡ଼ିଥିଲେ ମଧ୍ୟ ବାହାରକୁ ଅସ୍ଥାୟୀ ଭାବେ ବିଦ୍ୟୁତ ସଂଯୋଗ ଆଣି ଲାଇଟ ଜଳାଯାଉଛି। କିନ୍ତୁ ଖୋର୍ଦ୍ଧାଠାରୁ ବୋଲଗଡ଼ ମଧ୍ୟରେ ଥିବା ଖୋର୍ଦ୍ଧା, ବେଗୁନିଆ, ସୁନାଖଳା ଏବଂ ବୋଲଗଡ଼ ଷ୍ଟେସନରେ ରିଜରଭେସନ କାଉଣ୍ଟର ନଥିବା ଯୋଗୁଁ ଏବଂ ଷ୍ଟେସନରେ କର୍ମଚାରୀ ନଥିବା ଯୋଗୁ ଯାତ୍ରୀମାନେ କାଉଁଣ୍ଟରରେ ଟିକେଟ କାଟି ଯା ଆସ କରିନ ପାରି ବହୁ ହଇରାଣ ହରକତ ହେବା ସହିତ ଅସୁବିଧା ଭୋଗ କରୁଛନ୍ତି । କାର୍ୟ୍ୟାଳୟ ବନ୍ଦ ରହିବା ଏବଂ କର୍ମଚାରୀ କେହି ଏଠାରେ ନରହିବା ଯୋଗୁଁ ଲୋକମାନେ ଟ୍ରେନ ଟାଇମ ମଧ୍ୟ ଜାଣି ପାରୁନାହାନ୍ତି। ଗୋଟିଏ ଦିନ ପୂର୍ବରୁ ଅନଲାଇନରେ ଟିକେଟ କଟାଯାଉଥିବା ଯୋଗୁଁ ଜନସାଧାରଣ ଟ୍ରେନରେ ଯାତ୍ରା କରିବାରୁ ବଞ୍ଚିତ ହେଉଛନ୍ତି । ଫଳରେ ଯାତ୍ରୀସଂଖ୍ୟା ବହୁତ କମିଯାଇଛି । ଲୋକମାନେ ଏତେ ହଇରାଣ ହରକତ ହୋଇ ଟ୍ରେନରେ ଯିବା ଅପେକ୍ଷା ବସରେ ଯିବାକୁ ପସନ୍ଦ କରୁଛନ୍ତି । ଯାତ୍ରୀମାନଙ୍କ ପାଇଁ ଥିବା ଲାଟ୍ରିନ ଏବଂ ପରିସ୍ରାଗାରରେ ତାଲା ପଡିଥିବା ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି । ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥରେ ଟ୍ରେନ ଗଡ଼ିବାକୁ ମାତ୍ର କେଇବର୍ଷ ବିତିଛି । କରୋନା ମହାମାରୀ ପାଇଁ ଏହି ରେଳ ପଥରେ ଟ୍ରେନ ବାତିଲ ହୋଇଥିବାବେଳେ ଏବେ ବେଗୁନିଆ ଷ୍ଟେସନ ଶ୍ରୀହୀନ ହୋଇପଡିଛି ।

ଏହି ଷ୍ଟେସନ ଏବେ ଖାଁ ଖାଁ ଲାଗୁଛି । ନାଁ ଅଛନ୍ତି କର୍ମଚାରୀ ନାଁ ଯାତ୍ରୀ । ରେଳ ବିଭାଗର ନିଷ୍ପତ୍ତି ପାଇଁ ବେଗୁନିଆ ଷ୍ଟେସନ ଆଜି ଅବହେଳିତ । ଗାଈ ଗୋରୁ ବୁଲୁଥିବାରୁ ମେଞ୍ଚା ମେଞ୍ଚା ଗୋବର ସହିତ ପାରା ମଳରେ ପ୍ଲାଟଫର୍ମ ଏବଂ କାର୍ୟ୍ୟାଳୟ ପରିସର ଭର୍ତ୍ତି ହୋଇଥିବା ଯୋଗୁ ଷ୍ଟେସନର ସ୍ୱତନ୍ତ୍ରତା ହଜି ଯାଇଛି । ଏଠାରେ କାର୍ୟ୍ୟରତ ୨ ଜଣ ଟି ପି ଏବଂ ୨ ଜଣ ଷ୍ଟେସନ ମାଷ୍ଟରଙ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ କାର୍ୟ୍ୟାଳୟରେ ତାଲା ପକାଇ ଦିଆଯାଇଛି । ରେଳବିଭାଗର ଏଭଳି ଭୁଲ ନିଷ୍ପତ୍ତି ପାଇଁ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଏବେ ଛାରଖାର ହେବାକୁ ବସିଛି ବେଗୁନିଆ ଷ୍ଟେସନ । ସ୍ୱାଭାବିକ ଭାବେ ଏହି ଷ୍ଟେସନ କାର୍ୟ୍ୟ କରୁଥିବାବେଳେ କାର୍ୟ୍ୟରତ କର୍ମଚାରୀମାନଙ୍କୁ ଏଠାରୁ ହଠାତ ଅନ୍ୟତ୍ର ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଷ୍ଟେସନ କାର୍ୟ୍ୟାଳୟ କାର୍ୟ୍ୟକ୍ଷମ କରାଇବା ସହିତ ଏଠାରୁ ଆଗପରି ଟିକେଟ ବୁକିଂ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Comments are closed.