ଅପରିଣତ ବୟସରେ ପ୍ରେମ: ଥାନାରେ ନାବାଳକ ପ୍ରେମିକ, ଶିଶୁମଙ୍ଗଳ ଅଧିକାରୀଙ୍କ ହେପାଜତରେ ପ୍ରେମିକା

ବେଗୁନିଆ: ମାମୁ ଘରକୁ ବୁଲି ଯାଇଥିବାବେଳେ ନାବାଳକ ପ୍ରେମିକ ସହ ପ୍ରେମ ସମ୍ପର୍କ ସ୍ଥାପନ କଲେ ନାବାଳିକା ପ୍ରେମିକା। ଏହାପରେ ନାବାଳକ ପ୍ରେମିକ ତାଙ୍କୁ ନିଜ ଘରକୁ ଆଣି ରଖିଲେ। ଦୁହେଁ କିଛି ଦିନ ହସଖୁସିର ସଂସାର ଗଢ଼ିବା ପରେ ହଠାତ୍‌ ସେମାନଙ୍କ ଜୀବନରେ କଳା ବାଦଲ ଘୋଟି ଆସିଲା। ନାବାଳିକା ପ୍ରେମିକାଙ୍କ ମା’ ନାବାଳକ ପ୍ରେମିକଙ୍କ ଘରେ ପହଞ୍ଚିଥିଲେ। ଝିଅକୁ ଅପହରଣ, ଦୁଷ୍କର୍ମ ଓ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ। ଏହାର ନ୍ୟାୟ ପାଇବା ପାଇଁ ​‌ନାବାଳିକାଙ୍କ ମା’ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣା ଏବେ ବେଗୁନିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବେଗୁନିଆ ଥାନା ଅଧିନସ୍ଥ ରାଧାକାନ୍ତପୁର ପଞ୍ଚାୟତର ଧାନଘରନୂଆଗାଁ ଗ୍ରାମର ଜଣେ ନାବାଳକ ବାଘମାରୀ ଥାନା ଅନ୍ତର୍ଗତ ଭୋଗଡ଼ା ଗ୍ରାମର ଜଣେ ନାବାଳିକାକୁ ତାଙ୍କ ଘରେ କେହି ନଥିବାବେଳେ ଅପହରଣ କରି ନେଇ ଦୁଷ୍କର୍ମ କରିଥିବାର ଝିଅର ମା ଖୋର୍ଦ୍ଧା ଏସପି ଏବଂ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି।

ଭୋଗଡ଼ା ପାଇକସାହି ଗ୍ରାମର ଯୋଗୀନାଥ ପରିଡାଙ୍କ ସାନ ଝିଅ ଦଶମ ଶ୍ରେଣୀ ପରୀକ୍ଷା ଦେଇ କରୋନା ପାଇଁ ଘରେ ରହୁଥିଲେ। ଧାନଘରନୂଆଗାଁ  ନାବାଳିକାଙ୍କ ମାମୁଁ ଘର । ସେ ଗତ ୬ମାସ ତଳେ ମାମୁଁ ଘରକୁ ବୁଲିବାକୁ ଯାଇ ସେଠାରେ ୭/୮ଦିନ ରହିଥିଲେ। ତାଙ୍କର ମାମୁଁ ଘରଠାରୁ ତିନିଟି ଘର ଛାଡି ପ୍ରଦୀପ ପ୍ରଧାନଙ୍କ ଘର। ତାଙ୍କ ସମ୍ପୃକ୍ତ ନାବାଳିକା ସାଙ୍ଗରେ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା। ଗତ ରଥଯାତ୍ରା ସମୟରେ ଝିଅ ଘର ଭୋଗଡ଼ା ଗ୍ରାମରେ ପରିବାର ଲୋକମାନେ କେହି ନଥିଲେ। ଏହାର ସୁଯୋଗ ନେଇ ପ୍ରଦୀପ ପ୍ରଧାନଙ୍କ ପୁଅ ଯୋଗୀନାଥ ପରିଡ଼ାଙ୍କ ଝିଅକୁ ଅପହରଣ କରି  ନିଜ ଘରେ ଆଣି ରଖିଥିଲା। ଝିଅଘର ବହୁ ଖୋଜା ଖୋଜି କରିବା ପରେ ଜାଣିପାରି ପୁଅର ବାପାଙ୍କୁ ଏ ସଂକ୍ରାନ୍ତରେ ପଚାରିବାପରେ ସେ ବୋହୁ କରି ରଖିବେ ବୋଲି କହିଥିଲେ। କିନ୍ତୁ ତାଙ୍କର ପୁଅ ଓ ସ୍ତ୍ରୀ ଦୁହେଁ ମିଶି ନାବାଳିକାକୁ ମାନସିକ ଏବଂ ଶାରୀରିକ ନିର୍ୟାତନା ଦେଉଥିଲେ ଏବଂ ତାଙ୍କ ଝିଅକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଥିବା ଝିଅର ମା’ ଜାଣିପାରିଥିଲେ। ଏକଥା ଜାଣିପାରିବା ପରେ ଝିଅର ମା’ ଖୋର୍ଦ୍ଧା ଶିଶୁମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ।  ଶିଶୁମଙ୍ଗଳ ଅଧିକାରୀ ନାବାଳିକାକୁ ପ୍ରଦୀପ ପ୍ରଧାନଙ୍କ ଘରୁ ଉଦ୍ଧାର କରି ହେପାଜତରେ ରଖିଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ପୁଲିସ ସହଯୋଗ ନକରିବାରୁ ସେ ଖୋର୍ଦ୍ଧା ଏସପି ଙ୍କୁ ଜଣାଇଥିଲେ। ତାପରେ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ଘଟଣାରେ ୧୮୧/୨୦ନମ୍ବର କେଶ ରୁଜୁ କରିଛି ଏବଂ ପ୍ରଦୀପ ପ୍ରଧାନଙ୍କ ନାବାଳକ ପୁଅକୁ ଗିରଫ କରି ବ୍ରହ୍ମପୁର ଜୁଭେନାଇଲ କୋର୍ଟ କୁ ପଠାଇଛି।

Comments are closed.