ଜନସାଧାରଣଙ୍କ ଅଗୋଚରରେ ଦୁୁୁଇ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ଅବକାରୀ ଥାନା

ବେଗୁନିଆ: ବେଗୁନିଆ ବୋଲଗଡ଼ ଥାନା ଅଂଚଳରେ ଦେଶୀ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମଦ ମାଫିଆ ମାନେ ବିଭିନ୍ନ ଗ୍ରାମର ବିଭିନ୍ନ ସ୍ଥାନରେ ବିଦେଶୀ ମଦ ପ୍ରସ୍ତୁତ କରି ବାହାର ଅଞ୍ଚଳକୁ ଚାଲାଣ କରୁଛନ୍ତି। ଥାନା ଅଂଚଳର ପ୍ରାୟ ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଥାନା ଏବଂ ଖୋର୍ଦ୍ଧା ଅବକାରୀ ବିଭାଗ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ହଜାର ହଜାର ଲିଟର ପୋଚ ନଷ୍ଟ କରି ଦେଶୀ ମଦ ଜବତ କରୁଥିବାର ନଜିର ମଧ୍ୟ ରହିଛି। କିନ୍ତୁ ଘଟଣାସ୍ଥଳରୁ ମାଫିଆମାନେ ଖସିଯିବାରେ ସକ୍ଷମ ହୋଇଥାନ୍ତି। ଏହି ଦେଶୀ ମଦଗୁଡିକରେ ସାର ଅପମିଶ୍ରଣ କରାଯାଉଥିବାରୁ ଲୋକ ମାନେ ତାକୁ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହିସବୁ ଘଟଣାକୁ ଆଖି ଆଗରେ ରଖି ଏବଂ ଅଧିକ ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟରେ ସରକାର ଏଠାରେ ଏକ ଅବକାରୀ ଥାନା ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଇତି ମଧ୍ୟରେ ୬ ମାସରୁ ଉର୍ଧ୍ଵ ସମୟ ବିତିଯାଇଥିବା ବେଳେ ଥାନା କଣ ଫାଣ୍ଡି ଖୋଲିବା ମଧ୍ୟ ସମ୍ଭବ ହୋଇନଥିଲା।

ଏବେ ଦୁଇମାସ ହେବ ଜଣେ ସବ ଇନ୍ସପେକ୍ଟର ସୁରେନ୍ଦ୍ର କୁମାର ପଣ୍ଡା ଏବଂ ଜଣେ କନେଷ୍ଟବଳ ମୀନକେତନ ମହାଳିକଙ୍କୁ ନେଇ ବେଗୁନିଆର ଲୋକମାନଙ୍କର ନଜର ପଡୁନଥିବା ଏକ ଗଳିରେ ଏସ ଆଇ ଶ୍ରୀ ପଣ୍ଡା କୁଆଡେ ଘର ଭଡା ନେଇ ରହୁଥିବା ଘରେ କାର୍ଯ୍ୟାଳୟ ଜନସାଧାରଣଙ୍କ ଅଗୋଚରରେ ଚାଲିଥିବାର ଜଣାପଡିଛି। ନାଁ ଏଠାରେ ଅଛି କାର୍ଯ୍ୟାଳୟର ସାଇନ ବୋର୍ଡ଼ ନାଁ କର୍ମଚାରୀମାନେ ବସିବା ପାଇଁ ଚେୟାର ଟେବଲ। ଏପରି ଅବସ୍ଥାରେ ଏବଂ ଲୁଚା ଚୋରାରେ ଏତେ କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟଟି ଖୋଲିବା ପଛରେ କଣ ଉଦେଶ୍ୟ ରହିଛି ତାହା ବୁଝା ପଡୁନାହିଁ। ଉକ୍ତ ସ୍ଥାନରେ କାର୍ଯ୍ୟାଳୟଟି ପାଖାପାଖି ଦୁଇ ମାସ ହେବ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଲୋକ କିମ୍ବାପାଖ ପଡିଶା ମଧ୍ୟ ଏଠାରେ ଏକ କାର୍ଯ୍ୟାଳୟ ଚାଲୁଥିବାର ସୁରାକ ମଧ୍ୟ ପାଇ ପାରିନାହାନ୍ତି।

Comments are closed.