୨ଟି ପଥର ବୋଝେଇ ମିନିଟ୍ରକ ଜବତ

ବେଗୁନିଆ: ବେଗୁନିଆ ତହସିଲ ଅଂଚଳରେ ଥିବା ବେଆଇନ ପଥରଖଣି ଗୁଡିକ ଉପରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ପଥର ଚୋରା ଚାଲାଣ ରୋକିବା ପାଇଁ ଚଢ଼ାଉ ଅବ୍ୟାହତ ରଖିଛନ୍ତି। କିନ୍ତୁ ତହସିଲଦାରଙ୍କ ପାଖରେ ପୋଲିସ ଫୋର୍ସ ନଥିବା ଯୋଗୁଁ ପଥର ମାଫିଆମାନେ ତହସିଲଦାରଙ୍କ ଗତିବିଧିକୁ ଲକ୍ଷ୍ୟ କରି କାର୍ଯ୍ୟାଳୟ ପାଖରେ ତାଙ୍କୁ ଦିନରାତି ଜଗି ପଥର ଚୋରା ଚାଲାଣ କରୁଛନ୍ତି। ପଥର ମାଫିଆମାନେ ସେମାନଙ୍କର ଲୋକମାନଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ଚାରିପଟେ ପହରା ଦେବାଭଳି ଜଗାଇ ରଖୁଛନ୍ତି। ତହସିଲଦାର କାର୍ଯ୍ୟାଳୟରୁ ବାହାରିବା କ୍ଷଣି ସେମାନେ ତାଙ୍କୁ ଅନୁସରଣ କରି ଫୋନ କରିଦେଉଛନ୍ତି। ଫଳରେ ତହସିଲଦାର ଘଟଣାସ୍ଥଳରେ ପଂହଁଚିବା ପୂର୍ବରୁ ପଥର ମାଫିଆମାନେ ଗାଡି ମୋଟର ନେଇ ପଥରଖଣିରୁ ଖସିଯିବାରେ ସକ୍ଷମ ହେଉଛନ୍ତି। ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶ କ୍ରମେ ଗତକାଲି ରାତିରେ ବେଗୁନିଆ ନୂଆସାହି ଦେଇ ଲୁଚି ଯାଉଥିବା ଦୁଇଟି ପଥର ବୋଝେଇ ମିନିଟ୍ରକକୁ ବେଗୁନିଆ ଆର ଆଇ ବିଜୟ କୁମାର ମାର୍ଥା, ସଞ୍ଜୟ ରଞ୍ଜନ ସେନାପତି ଏବଂ ଅମିନ ନିର୍ମଳ କୁମାର ସାହୁ ଜଗନ୍ନାଥ ମନ୍ଦିର ନିକଟରୁ ଜବତ କରି ଗାଡି ଦୁଇଟି କାର୍ଯ୍ୟାଳୟରେ ରଖିଛନ୍ତି।

Comments are closed.