ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅର୍ଥ ବାଟମାରଣା

ଗୋଟିଏ ପୋଖରୀ ନାମରେ ମଞ୍ଜୁର ଅନୁଦାନ ଅନ୍ୟ ଏକ ପୋଖରୀ କାର୍ଯ୍ୟରେ ଲାଗିଛି

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକରେ ଦ୍ରୁତଗତିରେ ଚାଲିଛି ବିଭିନ୍ନ ଉନ୍ନୟନ କାର୍ୟ୍ୟ। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାର କାର୍ୟ୍ୟ ରୂପାୟନ ହେଉଛି। ଏହି ଯୋଜନାରେ ଶ୍ରମିକ ମାନଙ୍କୁ ନିଶ୍ଚିତ ଭାବେ ବର୍ଷକୁ ୧୦୦ ଦିନ କାମ ଯୋଗାଇ ଦେବାର ଲକ୍ଷ୍ୟ ରଖା ଯାଇଥିବାବେଳେ ଗାଁ ରେ ଥିବା କିଛି କୁଜି ନେତା ଏବଂ ଯନ୍ତ୍ରୀମାନଙ୍କ ମଧୁଚନ୍ଦ୍ରିକା ଏହି ଯୋଜନାକୁ ଲକ୍ଷ୍ୟଭ୍ରଷ୍ଟ କରିଦେବାରେ ସହାୟକ ହୋଇଛି ।ଏହାର ଏକ ନିଚ୍ଛକ ଉଦାହରଣ ହେଉଛି ଶଗଡ଼ଭଙ୍ଗା ପଞ୍ଚାୟତର ଶଗଡ଼ଭଙ୍ଗା ଗ୍ରାମର ଲଟା ପୋଖରୀ ଏବଂ ନୂଆପୋଖରୀ ଖନନ କାର୍ଯ୍ୟରେ ଦେଖାଦେଇଥିଲା ବିବାଦ। ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ଟଙ୍କା ଅନୁଦାନରେ ଲଟା ପୋଖରୀ କାର୍ଯ୍ୟ କରାଯାଇଥିବା ବେଳେ ଏବେ ୨୦୨୧-୨୨ ଆର୍ଥିକ ବର୍ଷରେ ସମ୍ପୃକ୍ତ ଗ୍ରାମର ନୂଆପୋଖରୀ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଶ୍ରମିକ ବଦଳରେ ମେସିନ ଦ୍ୱାରା ଲଟା ପୋଖରୀରେ କାହା ସ୍ୱାର୍ଥରେ କାର୍ଯ୍ୟ କରାଯାଉଛି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ନୂଆପୋଖରୀଟି ଗାଁ ମଝିରେ ହୋଇଥିବାବେଳେ ଏବଂ ଲୋକମାନେ ବର୍ଷକ ବାରମାସ ଏହି ପୋଖରୀ ଉପରେ ନିର୍ଭର କରୁଥିବାବେଳେ ଏହି କାର୍ଯ୍ୟ କରୁଥିବା ଗ୍ରାମର କିଛି କୁଜି ନେତା ଯନ୍ତ୍ରୀଙ୍କୁ ହାତ କରି ବାଟମାରଣା ଉଦେଶ୍ୟ ରଖି ଗାଁ ଶେଷ ମୁଣ୍ଡରେ ଥିବା ଲଟାପୋଖରୀରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ନୂଆପୋଖରୀରେ କାର୍ଯ୍ୟ କରାଯାଉଛି ବୋଲି ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରି ବିଲ ପେମେଣ୍ଟ ହେଉଛି ବୋଲି ଦର୍ଶାଯାଉଛି। ନାମକୁ ମାତ୍ର କାଗଜପତ୍ରରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦର୍ଶାଯାଉଥିବାବେଳେ ପ୍ରକୃତରେ ତାର ଓଲଟା ପ୍ରତିଫଳନ ଏଠାରେ ଦେଖିବାକୁ ମିଳୁଛି ।

 

ଫଳରେ କାମଧନ୍ଦା ନପାଇ ବହୁ ଶ୍ରମିକ ହାତ ବାନ୍ଧି ଘରେ ବସିଥିବାବେଳେ ଏବଂ କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ଯାଉଥିବାବେଳେ ଏଠାରେ କିନ୍ତୁ ସମସ୍ତ କାର୍ଯ୍ୟ ମେସିନ ଦ୍ୱାରା କରି ଚଞ୍ଚକତା କରାଯାଇ ଅର୍ଥ ହଡପ କରାଯାଉଛି। ଶ୍ରମିକମାନେ କମ ମଞ୍ଜୁରୀରେ କାମ କରିବାକୁ ରାଜି ନହେବାରୁ ସେମାନଙ୍କ ଜବକାର୍ଡ଼ ସମ୍ପୃକ୍ତ କୁଜି ନେତାମାନେ ନେଇଯାଇ ଘରେ ବସି ଆମେ ଯାହା ଦେବୁ ବିନା କାମରେ ନେବ ,ଖାଲି ତୁମ ଜବକାର୍ଡ ଆମକୁ ଦିଅ ବୋଲି କହି ନେଇ ମେସିନରେ କାମ କରୁଛନ୍ତି ।କିନ୍ତୁ ସରକାରଙ୍କର ବିଚିତ୍ର ନିୟମ ଯୋଗୁଁ ବ୍ଲକର ଜନସାଧାରଣ ବ୍ଲକ କର୍ତ୍ତୃପକ୍ଷଙ୍କ ଦ୍ଵାରା କରାଯାଉଥିବା କୌଣସି ସରକାରୀ ଯୋଜନାର ସୁଫଳ ପାଇପାରୁନାହାନ୍ତି। ଅନ୍ୟ ବିଭାଗରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ହେଲେ ଟେଣ୍ଡର ମାଧ୍ୟମରେ କରାଯାଉଥିବାବେଳେ ବ୍ଲକରେ ଚାଲିଥିବା କୋଟି କୋଟି ଟଙ୍କାର କାର୍ଯ୍ୟ ବିନା ଟେଣ୍ଡରରେ କରାଯାଉଥିବା ଯୋଗୁଁ ଅଧିକ ବାଟମାରଣା ସହିତ କାର୍ଯ୍ୟଗୁଡିକ ନିମ୍ନମାନର ହେବା ଯୋଗୁଁ କାର୍ୟ୍ୟର ସ୍ଥାୟୀତ୍ୱ ବେଶିଦିନ ରହୁନାହିଁ ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି। ବ୍ଲକରେ କାର୍ଯ୍ୟ କିପରି ଚାଲିଛି ତାହା ଜାଣିବା ପାଇଁ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା କିଛି କାମର ତଦନ୍ତ କରାଗଲେ ପ୍ରକୃତରେ ଏଷ୍ଟିମେଟ ଅନୁସାରେ କାମ ନହୋଇ କେତେ ପ୍ରତିଶତ ବାଟମାରଣା ହେଉଛି ଠିକ ଭାବରେ ଜଣା ପଡ଼ନ୍ତା ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କୁ ପଚାରିବାରେ ସେ ଜାଣିନାହାନ୍ତି କନିଷ୍ଠ ଯନ୍ତ୍ରୀଙ୍କୁ ପଚାରନ୍ତୁ ବୋଲି କହିଥିଲେ। କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଞ୍ଜନ ପଟ୍ଟନାୟକ ଙ୍କୁ ପଚାରିବାରେ ସେ ଟିକିଏ ଭୁଲ ହୋଇଯାଇଛି ମୁଁ ଆପଣଙ୍କୁ ଦେଖାହେଲେ କହିବି ବୋଲି କହିଥିଲେ ।କିନ୍ତୁ ତାଙ୍କ ସହିତ ଦେଖା ହୋଇ ନପାରିବାରୁ ଭୁଲଟା କଣ ତାହା ଜାଣିହେଲା ନାହିଁ ।ବି ଡି ଓ ଙ୍କର ମତାମତ ଜାଣିବା ପାଇଁ ବହୁ ଚେଷ୍ଟା କରାଯାଇଥିବାବେଳେ ତାଙ୍କ ସହିତ ଦେଖା ହୋଇ ପାରିନଥିଲା କିମ୍ବା ଫୋନରେ ଯୋଗାଯୋଗ ସମ୍ଭବ ହୋଇ ନଥିଲା।

Comments are closed.