ଅଜଣା ରୋଗରେ ଆକ୍ରାନ୍ତ ହୋଇ ସକ୍ଷମରୁ ପାଲଟିଲେ ଭିନ୍ନକ୍ଷମ: ମିଳୁନି ସରକାରୀ ସହାୟତା, ବଞ୍ଚିବାକୁ ଜାରି ରଖିଛନ୍ତି ସଂଘର୍ଷ

ବେଗୁନିଆ: ସରକାର ଲୋକମାନଙ୍କ ହିତ ପାଇଁ ପ୍ରଣୟନ କରୁଛନ୍ତି ମାଳ ମାଳ ଯୋଜନା l କିନ୍ତୁ ଏହି ଯୋଜନା ଗୁଡିକର କାର୍ଯ୍ୟକାରିତାକୁ ନେଇ ଜନସାଧାରଣରେ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ଯୋଜନା ଗୁଡିକର ସୁଫଳ କ’ଣ ପ୍ରକୃତରେ ଲୋକମାନେ ପାଇପାରୁଛନ୍ତି l ପ୍ରଶାସନିକ ଅଧିକାରୀମାନଙ୍କ ଯୋଗୁଁ ସରକାରଙ୍କର ସମସ୍ତ ଯୋଜନା କେବଳ ଫାଇଲ ଭିତରେ ସୀମିତ ରହୁଥିବାବେଳେ ଜଣେ ଭିନ୍ନକ୍ଷମ ଶଯ୍ୟାଶାୟୀ ଯୁବକ କିପରି ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଏବେ ବଞ୍ଚିବାକୁ କିଭଳି ସଂଘର୍ଷ ଜାରି ରଖିଛି ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗଡଗୁଡୁମ ଗ୍ରାମରେ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଂଚାୟତର ଗଡ଼ଗୁଡୁମ ଗ୍ରାମ l ଏହି ଗ୍ରାମରେ ବାସ କରନ୍ତି ଦିନମଜୁରିଆ ଅଶୋକକୁମାର ପାଇକରାୟ l ପରିବାରରେ ତାଙ୍କର ପତ୍ନୀ ମିତା ପାଇକରାୟ ଏବଂ ବଡ ଝିଅ ଲିଜା ତା ତଳକୁ ପୁଅ ଚନ୍ଦନ ଓ ସୁମନ l ପୁଅ ଚନ୍ଦନ ଗତବର୍ଷ ୧୮ବର୍ଷ ବୟସରେ ଯେଉଁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛି ବର୍ତ୍ତମାନ ସାନପୁଅ ସୁମନ ସେହି ରୋଗରେ ପୀଡିତ ହୋଇ ଦୀର୍ଘ ୮ବର୍ଷ ହେଲା ଶଯ୍ୟାଶାୟୀ l ବର୍ତମାନ ତାଙ୍କର ହସଖୁସିର ସଂସାରରେ ସତେ ଯେମିତି କାହାର ନଜର ଲାଗିଯିବା ଯୋଗୁଁ ତାଙ୍କ ପରିବାର ଉପରେ କଳାବାଦଲ ମାଡି ଯାଇଛି l ସୁମନ ପାଇକରାୟଙ୍କର ବୟସ ବର୍ତ୍ତମାନ ୧୬ବର୍ଷ l ଜନ୍ମରୁ ୮ବର୍ଷ ପର୍ଯ୍ୟନ୍ତ ସବୁ ଠିକ ଚାଲି ଥିବା ବେଳେ ସେ ସ୍କୁଲକୁ ମଧ୍ୟ ପଢିବାକୁ ଯାଉଥିଲେ l ୮ବର୍ଷ ପରେ କେଉଁ ଏକ ଅଜଣା ରୋଗରେ ଆକ୍ରାନ୍ତ ହୁଅନ୍ତି ସୁମନ l ଏହି ରୋଗରେ ତାଙ୍କର ଗୋଡ, ହାତ, ଅଣ୍ଟା ଏବଂ ପିଠି ଆଦି ଶରୀରର ସମସ୍ତ ଅଙ୍ଗ ପ୍ରତେଙ୍ଗ ବୁଲିଯାଉଛି l ଫଳରେ ୮ବର୍ଷରୁ ଆଉ ସେ ଚଲା ବୁଲା କରି ନପାରିବା ଯୋଗୁଁ ତାଙ୍କର ପାଠ ପଢ଼ାରେ ଡୋରି ବନ୍ଧା ହେବା ସହିତ ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ l ସେ 90ପ୍ରତିଶତ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଥିବାବେଳେ ସରକାରଙ୍କର ସାହାଯ୍ୟ ତାଙ୍କ ପାଇଁ ସାତ ସପନ l ଆଜି ପର୍ଯ୍ୟନ୍ତ ସେ ଭିନ୍ନକ୍ଷମ ଭତା ପାଇନାହାନ୍ତି l ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବାବେଳେ କେବଳ ଗୋଟିଏ ଟ୍ରାଇ ସାଇକେଲ ପାଇଥିବାବେଳେ ପ୍ରଶାସନ ତରଫରୁ ତାଙ୍କର ଚିକିତ୍ସାଠାରୁ ଆରମ୍ଭ କରି କୌଣସି ସରକାରୀ ସହାୟତା ପାଇନାହାନ୍ତି l ଆରବିଏସକେ ଯୋଜନାରେ ଯଦି ପ୍ରଥମରୁ ତାଙ୍କର ଚିକିତ୍ସା କରାଯାଇଥାନ୍ତା ତାହାଲେ ସୁମନଙ୍କର ଅବସ୍ଥା ଆଜି ଏପରି ହୋଇ ନଥାନ୍ତା l ସେ ସ୍କୁଲରେ ପଢିବା ସମୟରେ ଯଦି ପ୍ରଶାସନ ଠିକ ସମୟରେ ଉପଯୁକ୍ତ ପଦକ୍ଷେପ ନେଇ ତାଙ୍କର ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଇଥାନ୍ତା ତାହେଲେ ସେ ଭିନ୍ନକ୍ଷମ ନହୋଇ ସୁସ୍ଥ ମଣିଷଟିଏ ପରି ଜୀବନଯାପନ କରୁଥାନ୍ତେ l କିନ୍ତୁ ବର୍ତମାନ ସୁମନ ରୋଗରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛି l ବାପା ଅଶୋକ ପୁଅକୁ ଭଲ କରିବା ପାଇଁ ନିଜର ବୋଲି ଯାହାକିଛି ଥିଲା ତାକୁ ବିକ୍ରିକରି ପୁଅର ଚିକିତ୍ସା କରିବା ପାଇଁ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଏବଂ କଲିକତାନେଇ ଦେଖାଇଥିବାବେଳେ ସେଥିରେ କୌଣସି ଉପଶମ ହେଲାନାହିଁ l ଦିନକୁ ଦିନ ତାଙ୍କର ଅବସ୍ଥା ଆହୁରି ଖରାପ ଆଡକୁ ଗତି କରୁଛି l ଅର୍ଥାଭାବ ଯୋଗୁଁ ବାପ ମା ତାଙ୍କର ଅଧିକ ଚିକିତ୍ସା କରାଇ ପାରୁନାହାନ୍ତି l ଗତକାଲି ଖବର ପାଇ ବେଗୁନିଆ ବୋଲଗଡ ୟୁଥ ସଂଗଠନ ତାଙ୍କ ପାଖରେ ପହଞ୍ଚି ଚିକିତ୍ସା ଖର୍ଚ୍ଚ ପାଇଁ ୮ହଜାର ପାଞ୍ଚସହ ଟଙ୍କା ଦେଇଥିବାବେଳେ ତାଙ୍କୁ ବ୍ଲକକୁ ଆଣି ବିଡ଼ିଓଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ l ବେଗୁନିଆ ବିଧାୟକ ରାଜେନ୍ଦ୍ରକୁମାର ସାହୁଙ୍କୁ ବ୍ଲକରେ ସୁମନଙ୍କୁ ଦେଖିବା ପରେ ସେ ଆଗାମୀ ଦିନରେ ତାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଇ ସରକାରୀ ନିୟମ ଅନୁସାରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି

Comments are closed.