ମିନି ଆଇଟିଆଇ କୋଠା ଅନୁପଯୋଗୀ, ପାଲଟିଛି  ଭୁତକୋଠି

କେବେ ଖୋଲିବ ଜେଏମଏଫସି କୋର୍ଟ

ବେଗୁନିଆ: ବେଗୁନିଆ ବ୍ଲକ ପଛପଟେ ଏବଂ ତହସିଲ କାର୍ଯ୍ୟାଳୟ ସାମନାରେ ଥିବା ମିନି ଆଇଟିଆଇ କୋଠାଟି  ଏବେ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିବାରୁ ତାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଓ ଭୁତକୋଠିରେ ପରିଣତ ହୋଇଛି। ଏହି କୋଠାଟି ଜାନକୀବଲ୍ଲଭ ପଟ୍ଟନାୟକ ବେଗୁନିଆରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିର୍ମାଣ କରିଥିଲେ l ଅବଶ୍ୟ ଯେଉଁ ଉଦ୍ଦେଶ୍ୟ ନେଇ ସେ ଏହି କୋଠାଟି ନିର୍ମାଣ କରିଥିଲେ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ସେ ଏଠାରେ ଆଇଟିଆଇ କଲେଜ ଖୋଲିବା ପାଇଁ ସ୍ଥିର କରିଥିବାବେଳେ ତାହା ଖୋଲି ପାରିନଥିଲା l କିଛିବର୍ଷ ପରେ ଏଠାରେ ତହସିଲ କାର୍ଯ୍ୟାଳୟ ଏବଂ ସିଡିପିଓଙ୍କ କାର୍ଯ୍ୟାଳୟ  ଚାଲିବା ପରେ କାର୍ଯ୍ୟାଳୟ ଦୁଇଟି ନିଜସ୍ୱ କୋଠାକୁ ସ୍ଥାନାନ୍ତର ହୋଇଥିଲା। ଏବେ ବର୍ଷ ବର୍ଷ ଧରି ଏହି କୋଠାଟି ଅବ୍ୟବହୃତ ଅବସ୍ଥାରେ ପଡିରହିଛି। ରକ୍ଷଣା ବେକ୍ଷଣ ଅଭାବରୁ ବିଲଡିଂ ଟି ସମ୍ପୂର୍ଣ ନଷ୍ଟ ହେବାକୁ ବସିଥିବାବେଳେ ସରକାରୀକା ମାଲ ଦରୀୟା ମେ ଡାଲ ନୀତିରେ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ କେହି ସେଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ। ବର୍ତ୍ତମାନ ଏହି ଘରର ଦ୍ୱିତୀୟ ମହଲା ଛାତ ଉପରେ ବିରାଟକାୟ ବରଗଛ ଉଠିଥିଲେ ମଧ୍ୟ  ସେଥିପ୍ରତି କାହାର ନଜର ନପଡିବା ଦୁର୍ଭାଗ୍ୟଜନକ। ସେହି ଗଛର ଚେର ଘରର ଛାତ ସହିତ କାନ୍ଥକୁ ମଧ୍ୟ ଫଟାଇଲାଣି। ବର୍ତ୍ତମାନ ସେହି ଘରଟି ସବୁବେଳେ ଚାବି ପଡି ରହୁଥିବାରୁ ତାହା ପକ୍ଷୀ ଏବଂ ସରୀସୃପ ମାନଙ୍କର ଆଶ୍ରୟସ୍ଥଳ ପାଲଟିଛି।

 

ସରକାର ବେଗୁନିଆରେ ଜେଏମଏଫସି କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ସ୍ଥିର ହେବା ପରେ ଏଠାରେ ଅସ୍ଥାୟୀ ଭାବେ କୋର୍ଟ ଖୋଲିବା ପାଇଁ ସ୍ଥିର ହୋଇଥିଲା। ଜିଲାଜଜ୍ ଏଠାକୁ ବାରମ୍ବାର ଗସ୍ତ କରି କୋଠାକୁ ଦେଖି ଖୁସି ପ୍ରକଟ କରିବା ସହିତ ବେଗୁନିଆ ବିଡିଓଙ୍କୁ ଖୁବଶୀଘ୍ର ଏହାର ମରାମତି କାର୍ଯ୍ୟ ସାରିବା ପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ଇତିମଧ୍ୟରେ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ବେଗୁନିଆ ବିଡିଓ ଏଥିପ୍ରତି କର୍ଣ୍ଣପାତ ନକରିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି l ପ୍ରଶାସନିକ ସ୍ତରରେ କୋଠାର ମରାମତି କରାଯାଇ ପାରୁନଥିବାରୁ ଏଠାରେ ଜେଏମଏଫସି କୋର୍ଟ ଖୋଲିବାରେ ବହୁ ବିଳମ୍ବ ଘଟୁଛି। ଫଳରେ ସ୍ଥାନୀୟ ଜନସାଧାରଣଙ୍କୁ ହଇରାଣ ହରକତ ହୋଇ ଖୋର୍ଦ୍ଧା ଧାଇଁବାକୁ ପଡୁଛି l ବିଡିଓ ଅର୍ଥ ଅଭାବର ଆଳ ଦେଖାଇ କୋଠା ମରାମତି କାର୍ଯ୍ୟ ନକରିବା ପଛରେ କଣ ଉଦେଶ୍ୟ ରହିଛି ତାହା ଜନସାଧାରଣ ଜାଣିପାରୁନାହାନ୍ତି। ପ୍ରଶାସନିକ ଉଦାସୀନତା ଯୋଗୁଁ ଏଠାରେ ସମସ୍ତ ସୁବିଧା ଥାଇ ମଧ୍ୟ କୋର୍ଟ ଖୋଲିବାରେ ଅନିଶ୍ଚିତତା ପ୍ରକାଶ ପାଇଛି। ଏଥିପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଖୁବ ଶୀଘ୍ର ଏଠାରେ କୋର୍ଟ ଖୋଲl ନଗଲେ ଲୋକମାନେ ଆଇନକୁ ହାତକୁ ନେବା ପାଇଁ ସଜବାଜ ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Comments are closed.