ଫେରାର ଅଭିଯୁକ୍ତ ଗିରଫ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ଗ୍ରାମର ଜନୈକ ବ୍ୟକ୍ତି ବିଭିନ୍ନ କେଶରେ ସମ୍ପୃକ୍ତ ଥାଇ ଦୀର୍ଘ ଏକ ବର୍ଷ ହେବ ଫେରାର ଥିଲା। ବେଗୁନିଆ ପୋଲିସ ତାକୁ ବହୁ ଖୋଜା ଖୋଜି କରିବା ପରେ ଶେଷରେ ଗତକାଲି ରାତିରେ ଆଠଗଡ଼ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ସମ୍ପୃକ୍ତ ଗ୍ରାମର ଯଜ୍ଞଦତ୍ତ ଧଳ ଏକ ଭରଣ ପୋଷଣ ମାମଲାରେ ଅଭିଯୁକ୍ତ ହୋଇ ଏକ ବର୍ଷ ହେବ ଫେରାର ରହିଥିଲା। ଏଥି ସହିତ କଟକ ଏସଡିଜେଏମ୍ ଏବଂ ଜେଏମ୍ଏଫସିଙ୍କ କୋର୍ଟରେ ତା ନାମରେ ୪ଟି ୱାରେଣ୍ଟ ରହିଥିଲା। ଜେଏମ୍ଏଫସି ଏବଂ ଏସଡିଜେଏମ୍ ତାକୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ବେଗୁନିଆ ଥାନାକୁ ବାରମ୍ବାର ନିର୍ଦେଶ ଦେଇଥିଲେ।

ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଗତକାଲି ରାତିରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ ଏବଂ ଥାନା କର୍ମଚାରୀମାନେ ଅଭିଯୁକ୍ତ ଆଠଗଡ଼ ଅଞ୍ଚଳରେ ରହୁଥିବାର ଖବର ପାଇ ଆଠଗଡ଼ ପୋଲିସ ସହାୟତାରେ ସେଠାରେ ଚଢ଼ାଉ କରି ତାକୁ ଗିରଫ କରିଥିଲେ। ଆଜି ସକାଳୁ ତାକୁ ଥାନାକୁ ଆଣି କଟକ ଏସଡିଜେଏମ୍ ଏବଂ ଜେଏମ୍ଏଫସିଙ୍କ କୋର୍ଟରେ ହାଜର କରାଇଥିଲେ। ଜାମିନ ନାମଞ୍ଜୁର ହେବାରୁ ତାକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି।

Comments are closed.