ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା 

ବେଗୁନିଆ: ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଚାଲିଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଧିମା ଗତିରେ ଚାଲିଥିବା ଯୋଗୁଁ ଖୋର୍ଦ୍ଧା ବେଗୁନିଆ ମଧ୍ୟରେ ଥିବା ରାସ୍ତାର ଅନେକ ସ୍ଥାନରେ କାମ ମାସ ମାସ ଧରି ଅସମ୍ପୂର୍ଣ ଅବସ୍ଥାରେ ପଡିରହିଛି ।ଫଳରେ ଅସମ୍ପୂର୍ଣ ରାସ୍ତା କାମ ଯୋଗୁଁ ଲୋକମାନେ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥିପ୍ରତି ବିଭାଗୀୟ କର୍ମଚାରୀ ମାନଙ୍କର ଆଦୋୖ ନିଘା ନଥିବା ଅଭିଯୋଗ ହୋଇଛି।  ଏହି ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କର କାର୍ଯ୍ୟ କରିବାର ସମୟସୀମା ୨୦୧୮ ମସିହାରୁ ଶେଷ ହୋଇଥିବାବେଳେ ପୁନଶ୍ଚ ସେ କାହା ନିର୍ଦେଶରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।
ଦୈନନ୍ଦିନ ଏହି ରାସ୍ତାରେ ହଜାର ହଜାର ଗାଡିମଟର ନେଇ ଯାଉଥିବା ଲୋକମାନଙ୍କୁ ତାରକୁ ପରିଣାମ ଭୋଗ କରିବାକୁ ପଡୁଛି । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ଅଧିକାରୀ ମାନେ ଏହି ରାସ୍ତାରେ ନିୟମିତ ଯିବା ଆସିବା କରୁଥିଲେ ମଧ୍ୟ ସେମାନେ ଲୋକମାନଙ୍କ ସମସ୍ୟା ପାଇଁ ଆଦୋୖ ଚିନ୍ତିତ ନୁହନ୍ତି । ଏହି ରାସ୍ତା ପାଇଁ ଆସୁଥିବା ଅର୍ଥକୁ ସମୟ ସୀମା ମଧ୍ୟରେ ଖର୍ଚ୍ଚ କରାଯାଇ ରାସ୍ତାକାର୍ଯ୍ୟ ସମ୍ପୂର୍ଣ କରାଯାଉ ନାହିଁ ଦାୟିତ୍ୱରେ ଥିବା ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଓ ଉପଯୁକ୍ତ ଭାବେ ନିର୍ମାଣ କାର୍ଯ୍ୟ ତଦାରଖ ନକରିବାରୁ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏହାର ସୁଫଳ ଲୋକମାନେ ପାଇପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି।
ବେଗୁନିଆ ଠାରୁ ବାଘମାରୀ ମଧ୍ୟରେ ଥିବା ବଡଶଙ୍ଖର ଦୁଇ ପାର୍ଶ୍ଵରେ କିଛି ଜାଗାରେ ମେଟାଲ ଏବଂ ଚିପସ ରାସ୍ତାରେ ଗଡୁଥିବା ବେଳେ ତାକୁ ପିଚୁ ନକରି ଛାଡି ଦିଆଯାଇଛି । ସେଠାରେ ଗାଡି ମଟର ଯିବା ସମୟରେ ଧୂଳି ଉଡିବା ଯୋଗୁଁ ଲୋକମାନେ ଧୂଳିରେ ପୋତି ହୋଇ ଗାଡି ଠିକ ଭାବରେ ଚଳାଇ ପାରୁନାହାନ୍ତି ।ତାର ଟିକିଏ ଆଗକୁ ବାଘମାରୀ ନିକଟରେ ରାସ୍ତା କାଟି ଗୋଟିଏ ଛୋଟ ଶଙ୍ଖ ନିର୍ମାଣ କରାଯାଉଥିବାବେଳେ ମାସ ମାସ ଧରି ରାସ୍ତାର ଗୋଟିଏ ପାର୍ଶ୍ଵ କାଟି କାର୍ଯ୍ୟ ନକରି ପକା ଯାଇଛି ।ଅନ୍ୟ ଗୋଟିଏ ପାର୍ଶ୍ଵର ସଂକୀର୍ଣ୍ଣ ରାସ୍ତାରେ ହଜାର ହଜାର ଗାଡି ମଟର ବିପଦପୂର୍ଣ ଭାବେ ଯିବା ଆସିବା କରୁଛି । ରାସ୍ତା ରୁ ଅଧା କଟାଯାଇ ୫/୬ଫୁଟ ଗଭୀର ଗାଡ଼ ଖୋଲାଯାଇ ପକାଯାଇଥିବାବେଳେ ସେଠାରେ ରାସ୍ତା ଉପରେ ପଡିଥିବା ଚିପସ ଏବଂ ମେଟାଲ ଯୋଗୁଁ ଲୋକମାନେ ଅଯଥା ହଇରାଣ ହରକତ ହେଉଛନ୍ତି ।
ଖୋଲା ଯାଇଥିବା ରାସ୍ତା ମଝିରେ କୌଣସି ବାଡ଼ ଦିଆ ଯାଇନଥିବା ଯୋଗୁଁ ସବୁ ସମୟରେ ତାହା ବିପଦକୁ ଆମନ୍ତ୍ରଣ କରୁଛି । ଯଦି ରାତିରେ ସେହି ଖାଲରେ ଗାଡି ମଟର କିମ୍ବା ବାଇକ ଚାଳକ ପଡି ଯାଆନ୍ତି ତାହେଲେ ଅବସ୍ଥା କଣ ହେବ ସମସ୍ତେ ବୁଝିପାରୁଥିବେ । ସେହିପରି ବାଘମାରୀ ବଜାର ଶେଷ ମୁଣ୍ଡରୁ ସାରୁଅ ଢାବା ପର୍ଯ୍ୟନ୍ତ ପ୍ରାୟ ଅଧ କିମି ରାସ୍ତା ଖୋଳି ପକାଇ ଦେଇଥିବାରୁ ଯାତ୍ରୀମାନେ ଗାଡି ନେଇ ଯିବା ସମୟରେ ରାସ୍ତା ଖାଲ ଢ଼ିପ ଥିବା ଯୋଗୁଁ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧା ଦେଖା ଦେଇଛି । ସେହିପରି ପୁବୁସାହି ବଜାର ଭାଙ୍ଗି ରାସ୍ତା ନିର୍ମାଣ କାର୍ଯ୍ୟ ମାସ ମାସ ଧରି କରାଯାଉଥିବା ବେଳେ ତାହା ମଧ୍ୟ ସମୂର୍ଣ୍ଣ ହୋଇପାରୁନାହିଁ । ସେଠାରେ ରାସ୍ତାରୁ ଧୂଳି ଉଡିବା ଯୋଗୁଁ ପାଣି ପକାଯାଉଛି । ଫଳରେ ରାସ୍ତା ସାରା କାଦୁଅ ହୋଇ ରହିବା ଯୋଗୁଁ ତାହା ଲୋକମାନଙ୍କ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧା ସୃଷ୍ଟି କରୁଛି । ଏପରିକି ଗାଡିମଟର ଗୁଡିକ କାଦୁଅ ହେଉଥିବାବେଳେ ଗାଡିରୁ ଛିଟିକି ଲୋକମାନଙ୍କ ଦେହରେ ମଧ୍ୟ କାଦୁଅ ପଡୁଛି । ଫଳରେ ସାଧାରଣରେ ଏହିସବୁ କାର୍ଯ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଛି । ପ୍ରଶାସନ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed.