ଅଜଣା ଗାଡି ଧକ୍କାରେ ଜଣେ ମୃତ

କ୍ଷତିପୂରଣ ଦାବିରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ 

ବେଗୁନିଆ : ବେଗୁନିଆ ଥାନା ନିକଟସ୍ଥ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଉପରେ ଥିବା ବିଜୁ ପଟ୍ଟନାୟକ ଟାଉନ ହଲ ସାମନାରେ ଆଜି ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶରତ କୁମାର ସାହୁ(୫୧) । ଗାଡିଟି ତାଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିବାବେଳେ ମୃତଦେହଟି ଜାତୀୟ ରାଜପଥ ଉପରେ ଦୀର୍ଘ ସମୟ ଧରି ପଡିରହିଥିଲା । ପ୍ରଶାସନ ସେଠାରେ ପଂହଁଚିବାରେ ବିଳମ୍ବ କରିବାରୁ ମୃତକଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ ମାନେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତା ରୋକ କରିଥିଲେ । ପରେ ପୁଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପଂହଁଚି ମୃତକଙ୍କ ପରିବାରକୁ ରେଡ଼କ୍ରସ ରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପରେ ଲୋକମାନେ ରାସ୍ତା ରୋକରୁ ଉଠିଯାଇଥିଲେ । ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ପଠାଇଛି ।
ଘଟଣାରୁ ପ୍ରକାଶ , ବେଗୁନିଆ ଥାନା ମାଣିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବଡପଦର ଗ୍ରାମର ଶରତ ରାଉତପଡ଼ାରେ ଥିବା ଏକ ପ୍ରାଇଭେଟ ସଂସ୍ଥାରେ କାର୍ୟ୍ୟ କରୁଥିଲେ ।ସେ ସବୁଦିନ ପରି ଆଜି ଭୋର ୫ ଟା ସମୟରେ ସେଠାକୁ ଚାଲି ଚାଲି ଯାଉଥିଲେ । କିନ୍ତୁ ସମ୍ପୃକ୍ତ ସ୍ଥାନରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।

Comments are closed.