ଖୋଲା ଟିପରରେ ଚାଲିଛି ପଥର ଚୋରା ଚାଲାଣ, ବିପଦକୁ ନିମନ୍ତ୍ରଣ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତରେ ଥିବା ନିର୍ଦ୍ଧିଷ୍ଟ କେତୋଟି ମୁଣ୍ଡିଆକୁ ବେଆଇନ ଭାବେ ଫଟାଯାଇ ନିୟମିତ ଶହ ଶହ ପଥର ଟ୍ରକ ଚୋରା ଚାଲାଣ କରାଯାଉଛି। ଏଥିପ୍ରତି ପ୍ରଶାସନର ନିଘା ନଥିବାବେଳେ ପଥର ବୁହାଯାଉଥିବା ଟିପର ପଛପଟ ଖୋଲା ରହିବା ଯୋଗୁଁ ତାହା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏହି ପଥର ବୋଝେଇ ଟିପର ପଛରେ ବହୁ ଗାଡି ମଟର ଯାଉଥିବାବେଳେ ଯଦି ଗାଡିରୁ ପଥର ଖଣ୍ଡେ କାହା ଉପରେ ଖସିପଡ଼େ ତାହେଲେ ଅବସ୍ଥା କଣ ହେବ, ସେଥିପ୍ରତି ନଜର କାହାର ନାହିଁ। ସରକାରୀ ଜମିରୁ ବେଆଇନ ଭାବେ ପଥର କାଟି ମାଫିଆ ମାନେ ନିୟମିତ ଚୋରା ଚାଲାଣ କରିବା ଏଠାରେ ଦୈନନ୍ଦିନ ବ୍ୟାପାରରେ ପରିଣତ ହୋଇଛି । ପଥର ବୋଝେଇ ଗାଡି ଠାରୁ ଆରମ୍ଭ କରି ପଥରକଟା ପାୱାର ଟିଲର ଏବଂ ପଥର କଟାରେ ବ୍ୟବହୃତ ହେଉଥିବା ଜେସିବିକୁ ପ୍ରଶାସନ ଜବତ କରିବା ପରେ ମାଫିଆମାନେ ଜରିମାନା ଦେଇ ସେଗୁଡିକ ରିଲିଜ କରି ପୁଣି ବେପାର ଆରମ୍ଭ କରିଦେଉଛନ୍ତି ।

 

ଏଥିରେ ସେମାନଙ୍କୁ କିଛି ଫରକ ପଡୁନି । କାରଣ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରି କାଁ ଭାଁ କେତେବେଳେ କେମିତି ଧରାପଡି ୨୫/୩୦ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ । ଏହାଦ୍ୱାରା ପଥର ଚୋରା ଚାଲାଣକୁ ରୋକା ଯାଇପାରିବ ନାହିଁ । କେବଳ ଧର୍ମକୁ ଆଖିଠାର ଭଳି ସରକାର ପଥର ମାଫିଆଙ୍କୁ ପ୍ରୋତ୍ସାହନ ଦେଇ ରାଜସ୍ୱ ସଂଗ୍ରହ କରି ଚାଲିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed.