ସମସ୍ୟା ଭିତରେ ବେଗୁନିଆ ଡାକ୍ତରଖାନା, ୬୦ବର୍ଷ ପରେ ଆଲୋକୀକରଣ ହେଲା ବେଗୁନିଆ ଡାକ୍ତରଖାନା ପରିସର

ବେଗୁନିଆ: ବେଗୁନିଆରେ ଅବସ୍ଥିତ ଡାକ୍ତରଖାନା ପରିସରଟି ଡାକ୍ତରଖାନା ଆରମ୍ଭ ହେବା ଦିନଠାରୁ ଅନ୍ଧକାର ପରିବେଶ ମଧ୍ୟରେ ରହିଥିଲା। ଫଳରେ ଡାକ୍ତରଖାନା ପରିସର ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଥିଲା। ଚୋରି ଡକାୟତି ଠାରୁ ଆରମ୍ଭ କରି ସନ୍ଧ୍ୟା ହେଲେ ବିଭିନ୍ନ ପ୍ରକାର କୁକାର୍ୟ୍ୟ ଏଠାରେ ଚାଲିଥାଏ। ଫଳରେ ରାତି ହେଲେ ଲୋକମାନେ ଏଠାକୁ ଆସିବାକୁ ଭୟ କରିଥାନ୍ତି। ୬୦ବର୍ଷରୁ ଊର୍ଦ୍ଧ୍ବ ବର୍ଷ ହେବ ଏହି ଡାକ୍ତରଖାନା ଏଠାରେ କାର୍ଯ୍ୟ କରୁଥିବାବେଳେ ପ୍ରଶାସନ ଠାରୁ ଆରମ୍ଭ କରି କୌଣସି ରାଜନେତାଙ୍କର ଦୃଷ୍ଟି ଏହି ଡାକ୍ତରଖାନା ଉପରେ ପଡିନଥିବାର ଅଭିଯୋଗ ହୋଇଛି। ଦୀର୍ଘଦିନ ହେବ ଏହି ଡାକ୍ତରଖାନାକୁ ଏରିଆ ହସ୍ପିଟାଲରେ ପରିଣତ କରିବା ପାଇଁ ସ୍ଥାନୀୟ ଲୋକମାନେ ଆନ୍ଦୋଳନ ମାଧ୍ୟମରେ ଦାବି କରି ଆସୁଥିବାବେଳେ କେହି ସେଥିପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ। ବାହାରୁ ଆସୁଥିବା ରୋଗୀମାନେ ବେଗୁନିଆ ଡାକ୍ତରଖାନାର ଅବସ୍ଥିତି କେଉଁଠାରେ ତାହା ଜାଣିପାରୁନାହାନ୍ତି। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଲୋକମାନେ ଡାକ୍ତରଖାନା କେଉଁଠାରେ ତାହା ଜାଣି ନପାରି ହଇରାଣ ହରକତ ହେଉଥିବାର ଦେଖିବାକୁ ମିଳୁଛି। ଡାକ୍ତରଖାନାର ଅବସ୍ଥିତି ସମ୍ପର୍କରେ ବଜାରରେ କୌଣସି ଜାଗାରେ ବୋର୍ଡ଼ ମରାଯାଇନଥିବାବେଳେ ମୁଖ୍ୟ ଗେଟରେ ମଧ୍ୟ ଡାକ୍ତରଖାନା ବୋର୍ଡ଼ ନାହିଁ।

 

ଫଳରେ ରାତିରେ ବାହାରୁ ଆସୁଥିବା ଲୋକମାନେ ଡାକ୍ତରଖାନା କେଉଁଠି ତାହା ଜାଣି ପାରୁନାହାନ୍ତି। ଏଥି ସହିତ ଡାକ୍ତରଖାନା ପରିସର ଏବଂ ଫାଟକ ଆଗ ଅନ୍ଧକାର ରହୁଥିବାରୁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ଆଗରେ ରଖି ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ.ଦେବାଶିଷ ଆଚାର୍ଯ୍ୟଙ୍କ ନିର୍ଦେଶରେ ବେଗୁନିଆ ଡାକ୍ତର ରାଜକିଶୋର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ ଏବଂ ଫାର୍ମାସିଷ୍ଟ ଗୌତମ ସାମନ୍ତରାୟ, ମନୋଜ କୁମାର ସ୍ୱାଇଁ ଏବଂ ମେଡିକାଲର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଗତକାଲି ରାତିରେ ମେଡ଼ିକାଲ ପରିସରରେ ୮ଟି ଫ୍ଲାଶ ଲାଇଟ ଲାଗିଛି। ଏହାଦ୍ୱାରା ମେଡ଼ିକାଲ ପରିସର ଏବଂ ବାହାର ସମ୍ପୂର୍ଣ ଆଲୋକୀକରଣ ହୋଇପାରିଛି। ରୋଗୀ କଲ୍ୟାଣ ସମିତି(ଆର କେ ଏସ)ଅନୁଦାନରେ ଏହି ଲାଇଟ ବ୍ୟବସ୍ଥା କରାଯାଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି। ଫଳରେ ଅସାମାଜିକ ବ୍ୟକ୍ତିମାନେ ଏଣିକି ଆଉ ଏଠାରେ କୌଣସି ଅସାମାଜିକ କାର୍ୟ୍ୟ କରିବାକୁ ସାହସ କରିବେ ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି। ମେଡିକାଲର ବାମପଟେ ଥିବା ଗେଟ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସେଠାରେ ଗାଡି ମୋଟର ବେଗ କମାଇବା ପାଇଁ ଏକ କାଓ କ୍ୟାଚର ଲଗାଇବା ସହିତ ଡାହାଣ ପଟେ ଥିବା ଭଙ୍ଗା ପାଚେରୀକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି। ଫଳରେ ଡାକ୍ତରଖାନା ପରିସର ନିରାପଦ ରହିପାରିବ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି କରିଛନ୍ତି।

Comments are closed.