ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ଅଜବ ନୀତି, ପରିତ୍ୟକ୍ତ ଅବସ୍ଥାରେ କୋଠା

ବେଗୁନିଆ: ଗ୍ରାମ୍ୟଉନ୍ନୟନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବିଲଡିଂ ଗୁଡିକ ଅବ୍ୟବହୃତ ଅବସ୍ଥାରେ ପଡି ରହିବା ଯୋଗୁଁ ସେଠାରେ ଉଇ ହୁଙ୍କା ଚଢ଼ିଗଲାଣି। ଦୁଇ ତିନି ବର୍ଷରୁ ଉର୍ଧ୍ଵ ସମୟ ଧରି ବିଲଡିଂ ଗୁଡିକର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ପାରୁନାହିଁ। ଫଳରେ ବର୍ଷ ବର୍ଷ ଧରି ଘର ଗୁଡିକ କାର୍ଯ୍ୟରେ ନଲାଗିବା ଯୋଗୁ ଘର ଗୁଡିକ ଭୁତ କୋଠିରେ ପରିଣତ ହେବା ସହ ବିଜୁ ଦକ୍ଷତା ତାଲିମ କେନ୍ଦ୍ରରୁ କବାଟ ଝରକା ଆଦି ଚୋରି ହୋଇ ଯାଇଥିବାର ଜଣାପଡିଛି। ଏ ସଂକ୍ରାନ୍ତରେ ଥାନାରେ କେହି ଅଭିଯୋଗ ମଧ୍ୟ କରୁନାହାନ୍ତି।

୫୦ ଲକ୍ଷରୁ ଉର୍ଧ୍ଵ ଟଙ୍କାରେ ନିର୍ମାଣ ହେଉଥିବା ବିଲଡିଂ ଗୁଡିକରେ ସିଡିଘର ରଖାଯାଉନଥିବାରୁ ବର୍ଷା ହେଲେ ଘର ଭିତରେ ପାଣି ପଶି ଘର ଖରାପ ହେବା ସହିତ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସ୍କୁଲ ଘରଗୁଡିକ ଦୁଇ ତାଲା ହୋଇଥିବା ବେଳେ ସିଡିଘର ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଛାତରୁ ପଡି ଆହତ ହେବାର ଆଶଙ୍କା ରହିଛି। ଏପରିକି ସିଡ଼ିଘର ନଥିବା ଯୋଗୁ ଚୋରି ଡକାୟତିର ମଧ୍ୟ ଭୟ ରହିଛି। ସମ୍ପୃକ୍ତ ବିଲଡିଂରେ ରହୁଥିବା କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।ଘରଗୁଡିକ ବର୍ଷ ବର୍ଷ ଧରି ନିର୍ମାଣ ହୋଇ ଅବ୍ୟବହୃତ ଅବସ୍ଥାରେ ପଡି ରହୁଥିବା ଯୋଗୁଁ ଘରେ ଉଇ ହୁଙ୍କା ଚଢି ଘରଗୁଡିକ ନଷ୍ଟ ହେବା ସହିତ କବାଟ ଝରକା ମଧ୍ୟ ଚୋରି ହୋଇ ଯାଉଛି। କିନ୍ତୁ ଏଥିପ୍ରତି କୌଣସି ବିଭାଗୀୟ କର୍ମଚାରୀ ଦୃଷ୍ଟି ଦେଉ ନଥିବାର ଜଣାପଡିଛି। ସରକାରକା ମାଲ ଦରିୟା ମେ ଡାଲ ନୀତିରେ ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗର କୋଠା ନିର୍ମାଣ।

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ବହୁ କୋଠା ଏବେ ଭୁତକୋଠିରେ ପରିଣତ ହୋଇଥିବାର ଦେଖିବାକୁ ମିଳୁଛି। କାରଣ କୋଠ।ଗୁଡିକର ସିଭିଲ କାମ ସରିଯାଇଥିବା ବେଳେ ଇଲେକ୍ଟ୍ରିକ ଏବଂ ପିଏଚ କାମ ବର୍ଷ ବର୍ଷ ଧରି ହୋଇ ନପାରିବା ଯୋଗୁ ଘରଗୁଡିକ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇପାରୁ ନାହିଁ। ଫଳରେ ସରକାର ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏହି କୋଠା ଗୁଡିକ ନିର୍ମାଣ କରିଥିଲେ ତାହା କିଛି ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଉଦାସୀନତା ଯୋଗୁଁ କାର୍ଯ୍ୟରେ ଲାଗିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ଫଳରେ ସରକାର ବିଲଡିଂ ନିର୍ମାଣ କରି ମଧ୍ୟ ବିଭିନ୍ନ କାର୍ଯ୍ୟାଳୟର ଘରଭଡା ଦେଇଚାଲିଛନ୍ତି। କିଛି ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ସରକାର ଏହି ବାଟରେ ବହୁ ରାଜସ୍ୱ ହରାଉଥିବା ବେଳେ ସେଥିପ୍ରତି ସେମାନେ ଆଦୋୖ ଚିନ୍ତିତ ନୁହନ୍ତି। ଏପରିକି ବହୁ ବିଲଡିଂର ଉଦଘାଟନ ସରିଥିଲେ ମଧ୍ୟ ପିଏଚ ଏବଂ ଇଲେକ୍ଟ୍ରିକ କାମ ହୋଇନଥିବା ଯୋଗୁଁ ବ୍ଲକ ଆଗରେ ଥିବା ସୂଚନାକେନ୍ଦ୍ର ତଥା ପାଠାଗାରରେ ଗତ ଏକବର୍ଷ ହେବ ତାଲା ପଡି ରହିଛି । ମୁଖ୍ୟଯନ୍ତ୍ରୀ (କୋଠାବାଡି)ଙ୍କ କାର୍ଯ୍ୟାଳୟରୁ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସରକାରୀ ଅନୁଦାନ ମିିଳିବାରେ କାଳକ୍ଷେପଣ ନିତି ଗ୍ରହଣ କରାଯାଉଥିବାରୁ କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି । ଫଳରେ ଖୋର୍ଦ୍ଧା ଜିଲ୍ଲାରେ ଗ୍ରାମ୍ୟଉନ୍ନୟନ ବିଭାଗ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାର ଜଣାପଡିଛି। ପ୍ରତି ବିଲଡିଂରେ ସିଭିଲ, ପିଏଚ ଏବଂ ଇଲେକ୍ଟ୍ରିକ କାମ ରହୁଥିବା ଯୋଗୁଁ ଏବଂ ଅଲଗା ଅଲଗା ଠିକାଦାର କରୁଥିବା ଯୋଗୁଁ କୌଣସି କାର୍ଯ୍ୟ ଠିକ ସମୟରେ ହୋଇପାରୁ ନାହିଁ। ସିଭିଲ ଠିକାଦାର ଅନୁଦାନ ଅଭାବରୁ ଠିକ ସମୟରେ ବିଲ ନପାଇବା ଯୋଗୁଁ ସେ ଘରକୁ ହସ୍ତାନ୍ତର କରୁନାହିଁ। ଫଳରେ ଇଲେକ୍ଟ୍ରିକ ଏବଂ ପିଏଚ କାମ କରିବା ପାଇଁ ବର୍ଷ ବର୍ଷ ବିତିଯାଉଛି। ଏପରିକି ଇଲେକ୍ଟ୍ରିକ ଏବଂ ପି ଏଚ ଠିକାଦାର କାମକରିବା ପାଇଁ ବାରଂବାର କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ସେମାନଙ୍କୁ କାଗଜପତ୍ର କରିବାରେ ବହୁ ହଇରାଣ ହରକତ କରାଯାଉଛି। ଏପରିକି ଟଙ୍କା ଠିକ ସମୟରେ ଖର୍ଚ୍ଚ କରିନପାରିବାରୁ ପୁନଶ୍ଚ ତାହା ଯେଉଁ ବିଭାଗରୁ ଆସିଥିଲା ତାଙ୍କ ଆକାଉଣ୍ଟକୁ ଫେରିଯାଉଛି।

କାର୍ଯ୍ୟସାରି ପିଏଚ ଏବଂ ଇଲେକ୍ଟ୍ରି କାମ ସରିବା ବେଳକୁ ଘରଟି ନଷ୍ଟ ହେବାକୁ ବସିଥିବାରୁ ତାର ମରାମତି ପାଇଁ ଅର୍ଥର ଆବଶ୍ୟକତା ପଡୁଛି। କାରଣ ଏଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ସୂଚନା କେନ୍ଦ୍ର ତଥା ପାଠାଗାର ଏବଂ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବିଭିନ୍ନ ବିଦ୍ୟାଳୟ ଆଦିର ସିଭିଲ କାର୍ଯ୍ୟ ଦୀର୍ଘ ୨/୩ ବର୍ଷ ହେବ ସରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଇଲେକ୍ଟ୍ରିକ ଏବଂ ପିଏଚ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ ନକରିବା ପଛରେ କଣ ରହସ୍ୟ ରହିଛି ତାହା ବୁଝାପଡୁ ନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ବିଲଡିଂ ଗୁଡିକ ନିର୍ମାଣ କରାଯାଇଛି ସେଠାରେ ଯେ ସେହି କାର୍ଯ୍ୟାଳୟ ଚାଲିବ ନାଁ ଚାଲିବା ପୂର୍ବରୁ ବିଲଡିଂ ଗୁଡିକ ମାଟିରେ ମିଶିଯିବ ସେ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

Comments are closed.