ଡାକରେ ଆସୁଥିବା ଆଧାରକାର୍ଡ ଲୋକଙ୍କୁ ମିଳୁନି

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ପୋଷ୍ଟ ଅଫିସ ଦ୍ୱାରା ଆସୁଥିବା ଆଧାର କାର୍ଡ ଲୋକମାନଙ୍କ ନିକଟରେ ପଂହଁଚି ପାରୁନଥିବା ଅଭିଯୋଗ ହେଉଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରାୟ ସବୁ କ୍ଷେତ୍ରରେ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ କରିଥିବାବେଳେ ଅନେକ ଲୋକ ଆଧାର କାର୍ଡ ସକାଶେ ଆଧାର କେନ୍ଦ୍ରକୁ ଯାଇ ଲମ୍ବା ଲାଇନ ଲଗାଇ ଆଙ୍ଗୁଠି ଛାପ ସହିତ ନିଜର ବାୟୋଡ଼ାଟା ଦେଇ ଆସୁଛନ୍ତି। ଆଧାର ନିର୍ମାଣର ଏକ ମାସ ମଧ୍ୟରେ ଆଧାର କାର୍ଡ ପୋଷ୍ଟଅଫିସ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପଂହଁଚିବା କଥା। ମାତ୍ର ପୋଷ୍ଟ ଅଫିସର କର୍ମଚାରୀମାନେ ଆସୁଥିବା ଆଧାର କାର୍ଡ ଗୁଡିକ ବଣ୍ଟନ କରୁନଥିବା ଅଭିଯୋଗ ହେଉଛି। ଫଳରେ ଲୋକମାନେ ହଇରାଣ ହରକତ ହେଉଥିବା ବେଳେ ଆଧାର କାର୍ଡ ଜରୁରୀ ଥିବାରୁ ଲୋକମାନେ ଆଧାର କେନ୍ଦ୍ରକୁ ବାରମ୍ବାର ଦୌଡୁଥିବାର ଦେଖିବାକୁ ମିଳୁଛି। ଏହି ବ୍ଲକ ଅଞ୍ଚଳରେ ଅନେକ ଲୋକ ଆଧାର କାର୍ଡ ପାଇନଥିବା ନେଇ ଅଭିଯୋଗ କରିଛନ୍ତି। ବେଗୁନିଆ ପୋଷ୍ଟ ଅଫିସରେ ବସ୍ତା ବସ୍ତା ଆଧାରକାର୍ଡ ଆସି ଗଦା ହେଉଥିବାବେଳେ ସେଗୁଡିକ ଲୋକମାନଙ୍କ ନିକଟରେ ପଂହଁଚୁ ନଥିବାର ଅଭିଯୋଗ ହେଉଛି। କିନ୍ତୁ ଡାକ କର୍ମଚାରୀଙ୍କୁ ପଚାରିବାରୁ ଯାହା ଆସୁଛି ସେମାନେ ବାଣ୍ଟି ଦେଉଛନ୍ତି ବୋଲି କହିଛନ୍ତି। ତାହେଲେ ଏତେ ସଂଖ୍ୟକ ଲୋକ ଆଧାର କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି କିପରି ବୋଲି ଜନସାଧାରଣ ପ୍ରଶ୍ନ କରୁଛନ୍ତି।

Comments are closed.