ବିନା ଅନୁମତିରେ ଚାଲିଥିଲା ଯାତ୍ରା, ବନ୍ଦ କଲା ଜିଲା ପ୍ରଶାସନ

ବେଗୁନିଆ: କରୋନା ଭୟାବହତା ପୁଣି ବୃଦ୍ଧି ପାଉଥିବା ବେଳେ ଶତାଧିକ ଦର୍ଶକଙ୍କୁ ନେଇ ବିନା ଅନୁମତିରେ ଚାଲିଥିଲା ଯାତ୍ରା, ଯାହାକୁ ବନ୍ଦ କରିଛି ଜିଲା ପ୍ରଶାସନ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବେଗୁନିଆରେ। ଶନିବାର ରାତିରେ ବେଗୁନିଆରେ ବିନା ଅନୁମତିରେ ଯାତ୍ରା ଚାଲିଥିବା ବେଳେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତାହାକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ରଙ୍ଗମହଲ ନାମକ ଯାତ୍ରା ପାର୍ଟି ଗତ ଶୁକ୍ରବାର ରାତିରେ ବେଗୁନିଆରେ ପହଞ୍ଚିଥିଲା ଏବଂ ସେହି ରାତିରେ ପ୍ରଥମ ପ୍ରଦର୍ଶନ ହୋଇଥିଲା। ତେବେ କରୋନା ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ନୂତନ ଆଦେଶ ପରେ ବେଗୁନିଆ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍ ଦ୍ବିତୀୟ ଦିନରେ ସେଠାରେ ପହଞ୍ଚି ଯାତ୍ରା କାର୍ୟ୍ୟକ୍ରମକୁ ବନ୍ଦ କରି ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ କହିବା ମୁତାବକ, ସେଠାରେ ବିନା ଅନୁମତିରେ ଯାତ୍ରା ହେଉଥିବା ଖବର ପାଇବା ପରେ ପୁଲିସ ଆଇଆଇସିଙ୍କୁ ସେ ବିଷୟରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲି। ସେଠାରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଯେ, ବିନା ଅନୁମତିରେ ଯାତ୍ରା ହେବା ସହ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଏହାସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ମଧ୍ୟ ଦେଖିବାକୁ ମିଳି ନ ଥିଲା। ତେଣୁ ଯାତ୍ରା କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି।

 

Comments are closed.